Unknown

 

 

 

 

 

 

 

 

 

ଅପରାହ୍ନ

ଅଂଶୁମାନ ଦାସ

 

ଘରେ ପହଞ୍ଚି ଭାଗବତ ବାବୁ ପୁଅକୁ ଓହ୍ଲାଇ ଦେଲେ । ତାପରେ ମୁହଁରୁ ଝାଳ ପୋଛି ପୋଛି ପାହାଚରେ ଉପରକୁ ଉଠିବାକୁ ଲାଗିଲେ । ତୃତୀୟ ମହଲାକୁ ଯାଇ କବାଟ ବାଡ଼େଇଲେ । ବୁଢ଼ୀ ଚାକରାଣୀ କବାଟ ଫିଟାଇ ଦେଲା । ଏଇ ବୁଢ଼ୀ ଚାକରାଣୀଟି ତାଙ୍କୁ ମଣିଷ କରିଛି । ଭୟମିଶା ସ୍ୱରରେ ପଚାରିଲେ, ‘ମା’ ଫେରିଲେଣି ?’

 

ବୁଢ଼ୀ ବ୍ୟଙ୍ଗଭରା ସ୍ୱରରେ ଉତ୍ତର ଦେଲା, ‘ଦେଖିଛ କି ମା’ କେବେ ସାଢ଼େଛଟାବେଳେ ଘରକୁ ଫେରନ୍ତି ।’

 

ଭାଗବତ ବାବୁ ଟିକିଏ ଇତଃସ୍ତତଃ ହୋଇ କହିଲେ, ‘ଯା ହେଉ, ଲୁଗା ବଦଳାଇବାକୁ ସମୟ ମିଳିଲା । ଭଲ ହେଲା । ଭାରି ଗରମ ଲାଗୁଛି ।’

 

ଚାକରାଣୀ ତାଙ୍କ ଦିଗରେ ଟିକିଏ ରାଗିଲା ଭାବରେ, ଟିକିଏ ଘୃଣାଭରା କରୁଣା ସହିତ ଅନାଇଲା । ତା’ପରେ କହିଲା, ‘ଏକାଥରେ ଝାଳ ସରସର । ନିଶ୍ଚୟ ପୁଅକୁ କାଖ କରି ଶୀଘ୍ରଶୀଘ୍ର ଚାଲି ଆସିଛ । ଏବେ ମାଆଙ୍କ ପାଇଁ ସେଇ ସାଢ଼େସାତଟା ଯାଏ ଅନେଇ ବସିଥାଅ । ସାଢ଼େସାତଟା ଆଗରୁ ମୁଁ କୌଣସି ମତେ ଖାଇବାକୁ ଦେଇ ପାରିବିନି । ଏହା ତୁମକୁ ମୁଁ ସଫା କହିଦେଉଛି । ମୁଁ ଆଉ କ’ଣ କରିବି ।

 

ଭାଗବତ ବାବୁ ଯେପରି କିଛି ଶୁଣିପାରିନାହାନ୍ତି, ଏହିପରି ଭାବରେ କହିଲେ ଠିକ୍ ଅଛି-। ବୁଢ଼ାର ହାତ ଦୁଇଟି କିନ୍ତୁ ଭଲ ଭାବରେ ଧୋଇ ଦେବାକୁ ହେବ । ସେ ବାଲିରେ ଖେଳୁଥିଲା। ମୁଁ ଲୁଗା ବଦଳାଇ ଆସୁଛି। କାହାକୁ ବୁଢ଼ାର ହାତଗୋଡ଼ ଭଲ ଭାବରେ ଧୋଇ ଦେବାକୁ କହ ।’

 

ଭାଗବତବାବୁ ଘର ଭିତରକୁ ଯାଇ ଭିତରୁ କବାଟ ଦେଲେ । ଏବେ ସେ ଟିକିଏ ଏକୁଟିଆ ରହିବାକୁ ଚାହାନ୍ତି । ଦିନରାତି ସ୍ତ୍ରୀର ର୍ଦୁବ୍ୟବହାର ଆଉ ଗାଳିରେ ସେ ଅତିଷ୍ଠ ହୋଇ ଉଠିଛନ୍ତି, ଜୀବନ ତାଙ୍କର ଦୁର୍ବିସହ ହୋଇ ପଡ଼ିଛି । କବାଟ ଦେଇ ଘର ମଧ୍ୟରେ ଲୁଚି ନ ରହିଲେ ଆଉ ନିଜକୁ କୌଣସି ମତେ ନିରାପଦ ମନେକରି ପାରନ୍ତି ନାହିଁ । କିଛି ଭାବିବାର, ଯୁକ୍ତି ଦେଖାଇବାର ସାହାସ ମଧ୍ୟ ତାଙ୍କର ନାହିଁ । ଘରେ କବାଟ ଦେଇ ସ୍ତ୍ରୀର ବାକ୍ୟ ଯନ୍ତ୍ରଣା ଆଉ ବିଷଦୃଷ୍ଟିଠାରୁ ନିଜକୁ ରକ୍ଷା କରନ୍ତି । ଗୋଟାଏ ଚେଆର ଟାଣି ନେଇ ବସିପଡ଼ିଲେ ସେ । କିଛି ସମୟ ବିଶ୍ରାମ କରିବା ଏକାନ୍ତ ପ୍ରୟୋଜନ । ବସି ବସି ତାଙ୍କର ମନେହେଲା, ଅଲି ପୁଣି ଘରେ ଗୋଟିଏ ନୂତନ ବିପଦ ହୋଇ ଉଭା ହୋଇଛି । ତାଙ୍କ ସ୍ତ୍ରୀକୁ ସେ ଦୁଇ ଆଖିରେ ଦେଖିପାରେନି । ଏହା ଧ୍ରୂବ ସତ୍ୟ । ତାଙ୍କର ବନ୍ଧୁ ମାଧବକୁ ସେ ମୋଟେ ଦେଖିପାରେନା । ମାଧବ ସଙ୍ଗେ ତାଙ୍କର ଅନେକଦିନୁ ପରିଚୟ । ସେମାନଙ୍କ ପରିବାରର ସେ ଜଣେ ଅନ୍ତରଙ୍ଗ ବିଶ୍ୱସ୍ତ ବନ୍ଧୂ ।

 

ସଙ୍ଗୀ– ଆଜିକାଲି ଏପରି ବନ୍ଧୂତା ଖୁବ୍‌ କ୍ୱଚିତ୍‌ ଦେଖିବାକୁ ମିଳେ । ମାଧବ ହିଁ ତାଙ୍କ ସ୍ତ୍ରୀ ଆଉ ତାଙ୍କ ମଝିରେ ପ୍ରାଚୀର ପରି ଠିଆ ହୋଇ ତାଙ୍କୁ ରକ୍ଷା କରେ । ସ୍ତ୍ରୀର ଅନ୍ୟାୟ ଗାଳିର ପ୍ରତିବାଦ କରେ । ତାଙ୍କ କ୍ରନ୍ଦନ ବନ୍ଦ କରେ । ଏହିପରି ତାଙ୍କ ଦୈନନ୍ଦିନ ଜୀବନର କେତେ ଦୁଃଖ, କେତେ ବିଡ଼ମ୍ବନା ହାତରୁ ମାଧବ ତାଙ୍କୁ ରକ୍ଷା କରିଛି ।

 

କିନ୍ତୁ ଛ’ମାସ ମଧ୍ୟରେ ଅଲି ବଡ଼ ଅମାନିଆ ହୋଇପଡ଼ିଛି । ମୁନିବ ପତ୍ନୀର ବିରୁଦ୍ଧରେ ମୁହଁରେ ଯାହା ଆସେ ତାହା କହେ । ଦିନରେ ଶହେ ଥର କହେ ମୁଁ ହୋଇଥିଲେ ଏ ସବୁ କୌଣସି ମତେ ସହି ନ ଥାନ୍ତି । ତୁମ ନାକରେ ଦୌଡ଼ି ଦେଇ ଘୋଷାରୁଛି, ଆଉ ତୁମେ ସହି ଯାଉଛ । ଭଲ, ଭଲ । ସବୁ ତ ନିଜ ପ୍ରକୃତିର ଅନୁଯାୟୀ । ଅଲିର ଏତେଦୂର ସ୍ପର୍ଦ୍ଧା ଯେ ଦିନେ ମାୟା ସଙ୍ଗେ ସେ ଅତ୍ୟନ୍ତ ଉଦ୍ଧତ ବ୍ୟବହାର କରେ । ଯାହା ହେଉ, ମାୟା ସେଦିନ ବିଶେଷ ରାଗି ନାହିଁ । ଖାଲି ରାତିରେ ସ୍ୱାମୀଙ୍କୁ କହିଥିଲା, ‘ଦେଖ, ଅଲି ଯଦି ଆଉ କୌଣସି ଦିନ ମୋ ମୁହଁ ଉପରେ ଏପରି କଥା କହେ, ମୁଁ ତାକୁ ସେଇ ଦିନହିଁ ବିଦାୟ କରିଦେବି ।’ ଯା ହେଉ ସେ ଦିନଟା ଭଲରେ ଭଲରେ କଟିଗଲା । କିନ୍ତୁ ଯେଉଁ ମାୟା ଦୁନିଆରେ କାହାକୁ ଭୟ କରେନାହିଁ, ସେ ମଧ୍ୟ ଅଲିକୁ ଭୟ କରି ଚଳିଲା । ଭାଗବତ ବାବୁ ଭାବନ୍ତି, ମାୟା ହୁଏତ ତାଙ୍କ କଥା ମନେପକାଇ ଅଲିକୁ କିଛି କହେ ନାହିଁ-। ଯାହାହେଉ ସ୍ୱାମୀକୁ ମଣିଷ କରିଛି, ଶାଶୁଙ୍କ ମୃତ୍ୟୁ ସମୟରେ ସେଇ ତ ପାଖରେ ଥିଲା ! ଏବେ ଆଉ ସେସବୁ ପ୍ରଶ୍ନ ଉଠେନା । ଏହିପରି ଭାବରେ ଆଉ ଚଳିବା ଅସମ୍ଭବ । ଅଳ୍ପ ସମୟ ପରେ ଯାହା ଘଟିବ, ସେ କଥା ଭାବି ଭାଗବତ ବାବୁ ଶଙ୍କିତ ହୋଇ ହୋଇପଡ଼ିଲେ । ସେ ଆଉ କ’ଣ କରିବେ ଅଲିକୁ ବାହାର କରିବା ତାଙ୍କ ପକ୍ଷରେ ଅତ୍ୟନ୍ତ ବେଦନା ଦାୟକ ହେବ, ସେ କଥା ସେ ଭାବିବାକୁ ମଧ୍ୟ ସାହାସ କରିପାରନ୍ତିନି । ପୁଣି ସ୍ତ୍ରୀର ବିରୁଦ୍ଧରେ ତାକୁ ସମର୍ଥନ କରିବା ମଧ୍ୟ ଅସମ୍ଭବ । ହୁଏତ କେତେ ମାସ ମଧ୍ୟରେ ଅବସ୍ଥା ଏପରି ହେବ ଯେ କେହି କାହାକୁ ଆଉ ସହ୍ୟ କରିପାରିବେନାହିଁ । ଭାଗବତବାବୁ ବସି ବସି ଆକାଶ ପାତାଳ କେତେ କ’ଣ ଭାବୁଛନ୍ତି । ଭାବନାର ଆଉ ଶେଷ ନାହିଁ । କିପରି ଯେ ଘଟଣାର ଗୋଟାଏ ନିଷ୍ପତ୍ତି କରିବେ ସେଇ କଥା ଭାବୁଛନ୍ତି । ଭାବି ଭାବି କୂଳକିନାରା ପାଉନାହାନ୍ତି । ନା, କିଛି ଲାଭ ନାହିଁ । ଯାହା ହେବାର ହେବ । ସେ ଆଉ କ’ଣ କରିବେ ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ ସେ ମନେମନେ କହିଲେ, ‘ଭାଗ୍ୟକୁ ବୁଢ଼ା ହୋଇଥିଲା । ବୁଢ଼ା ନ ଥିଲେ ଜୀବନଟା ଏକାଥରେ ମରୁଭୂମି ପରି ଖାଁ, ଖାଁ ହେଉଥାନ୍ତା ।’

 

ଭାବିଲେ ମାଧବ ସଙ୍ଗେ ପରାମର୍ଶ କରି ଦେଖିବେ । ନା, ନା ତାହା ହେବାର ମଧ୍ୟ ଜୁ ନାହିଁ । ତାକୁ ମଧ୍ୟ ଅଲି ମୋଟେ ଦେଖି ପାରେନାହିଁ । ମାଧବ ହୁଏତ ଅଲିକୁ ବାହାର କରିଦେବା ପାଇଁ କହିବ । ନା, ଭାଗବତ ବାବୁ ଆଉ ଭାବି ପାରୁନାହାନ୍ତି । ଏତିକି ବେଳେ ଘଣ୍ଟାରେ ଢଂ ଢଂ କରି ସାତଟା ବାଜି ଉଠିଲା । ଭାଗବତ ବାବୁ ଧଡ଼ପଡ଼ ହୋଇ ଉଠିପଡ଼ିଲେ । ଏଁ, ସାତଟା ବାଜି ଯାଇଛି, ଅଥଚ ଏ ପର୍ଯ୍ୟନ୍ତ ତାଙ୍କର ଲୁଗା ବଦଳା ହୋଇନାହିଁ । ଭୟରେ କମ୍ପି କମ୍ପି ଜାମା ବଦଳାଇଲେ । କୌଣସି ମତେ ପ୍ରସାଧାନ ସାରିଦେଲେ । ଯେପରି ପାଖ ଘରେ କେତେ ଲୋକ ତାଙ୍କ ଅପେକ୍ଷା କରିଛନ୍ତି, କିଛି ଗୋଟାଏ ଜରୁରୀ କାମ ଅଛି । ଭାଗବତ ବାବୁ ଡ୍ରଇଁ ରୁମ୍‌ରେ ଯାଇ ବସିଲେ । ଖବର କାଗଜ ଖୋଲିଲେ । ହଠାତ୍ ଝରକା ପାଖରେ ଯାଇ ଉଙ୍କି ମାରିଲେ । ତା ପରେ ଆଶ୍ୱସ୍ତ ହୋଇ ଆଉଥରେ ଆସି ବସିପଡ଼ିଲେ । ଏଇ ସମୟରେ କବାଟ ଖୋଲିଗଲା । ବୁଢ଼ା ଘର ଭିତରକୁ ପଶି ଆସିଲା, ହାତମୁହଁ ପରିଷ୍କାର, ମୁଣ୍ଡ ବାଳ କୁଣ୍ଡା ଯାଇଛି, ବେଶ୍‌ ହସଖୁସି ଭାବ । ଭାଗବତ ବାବୁ ପୁଅକୁ କୋଳକୁ ଟେକିନେଇ ଚୁମା ଦେଲେ । ତା ପରେ ବୁଢ଼ାକୁ ମୁଣ୍ଡ ଉପରେ ବସାଇ ନଚାଇବାକୁ ଲାଗିଲେ, ତା ପରେ ଆଗପରି ବସି ପଡ଼ିଲେ । ପୁଅ ସଙ୍ଗେ ଖେଳି ଖେଳି ହାଲିଆ ହୋଇ ପଡ଼ିଛନ୍ତି । ବୁଢ଼ାକୁ ଆଣ୍ଠୁ ଉପରେ ବସାଇ ଘୋଡ଼ା ଚଢ଼ାଇଲେ । ବୁଢ଼ା ହସି ହସି ହାତ ତାଳି ଦେଉଛି, ଆନନ୍ଦରେ ଚିତ୍କାର କରୁଛି । ପୁଅ ଯେତେ ଚିତ୍କାର କରୁଛି, ବାପ ବି ସେତେ ଚିତ୍କାର କରୁଛି ।

 

ଭାଗବତ ବାବୁ ବୁଢ଼ାକୁ ଖୁବ୍‌ ଭଲ ପାଆନ୍ତି । ଏକ ଶାନ୍ତଶିଷ୍ଟ ନିର୍ଯ୍ୟାତିତ ପୁରୁଷର ସମସ୍ତ ସ୍ନେହ ଦେଇ ସେ ଏଇ କ୍ଷୁଦ୍ର ପ୍ରାଣୀଟିକୁ ଭଲ ପାଆନ୍ତି । ଉନ୍ମତ୍ତ ସ୍ନେହ -କ୍ଷୁଧାର ଦୂରନ୍ତ ଆବେଗରେ ସେ ଭଲ ପାଆନ୍ତି । ତାଙ୍କ ମଧ୍ୟରେ ଏତେଦିନ ହେଲା ଯେଉଁ ଲାଜ ନମ୍ର ନାରୀ ହୃଦୟ ଲୁଚି ଥିଲା, ଯାହା ଏତେଦିନ ପଥ ନ ପାଇ ତାଙ୍କ ମନର ଋୁଦ୍ଧ କାନ୍ଥରେ ମଥା ବାଡ଼େଇ ମରୁଥିଲା, ବନ୍ଧଭଙ୍ଗା ଦୂରନ୍ତ ରାତିରେ ସେଇ ଭଲ ପାଇବାର ଜୁଆର ତାଙ୍କର ହୃଦୟର ଦୁଇକୂଳ ଭସାଇ ଦେଇଛି । ସେମାନଙ୍କ ବିବାହିତ ଜୀବନର ପ୍ରଥମେ ପ୍ରଥମେ ବି ମାୟାକୁ କିପରି ଯେପରି ଚାପା ବୋଲି ମନେହେଉଥିଲା, ମନରେ ତାର ନ ଥିଲା ରଙ୍ଗ, ନ ଥିଲା ନିଶା, ନ ଥିଲା ସ୍ୱପ୍ନର ନିଶା ତାର ଆଖିରେ । ଏଇ ସମୟରେ ଅଲି ଘର ଭିତରକୁ ପଶି ଆସିଲା । ମୁହଁ ମ୍ଳାନ, ଆଖି ଦୁଇଟି ଛଳ ଛଳ ହେଉଛି । ଉତ୍ତେଜନାରେ ତାର ସର୍ବାଙ୍ଗ ଥର ଥର କରି କମ୍ପୁଛି । ଅଲି କହିଲା; ‘ସାଢ଼େ ସାତଟା ବାଜି ଯାଇଛି ।’

 

ଭାଗବତ ବାବୁ ଟିକିଏ ଆଶ୍ୱସ୍ତି ବୋଧ କଲେ । କିନ୍ତୁ ଶାନ୍ତ ଭାବରେ ଘଣ୍ଟାଆଡ଼କୁ ଚାହିଁ କହିଲେ, ‘ହଁ ସାଢ଼େ ସାତଟା ବାଜିଲାଣି ।’

 

‘ଯା ହେଉ ରୋଷେଇ ଶେଷ ।’

 

ଆସନ୍ନ ଝଡ଼ର ଆଶଙ୍କାରେ ଭାଗବତ ବାବୁ କଥାର ମୋଡ଼ ବୁଲାଇବାକୁ ଚେଷ୍ଟା କଲେ-। କହିଲେ, ‘ବାଃ ! ଏଇତ ତୁମେ ନା କହିଥିଲ ଆଠଟା ଆଗରୁ ଖାଇବା ହୋଇପାରିବ ନାହିଁ-?’

 

‘ଆଠଟା କ’ଣ କହୁଛ ଆଠଟାବେଳେ ଏତେ ଛୋଟ ପିଲା ଖାଇବ ନା ତାହାହେଲେ, ତା ପେଟ ଖରାପ ହେବ । ମା’ ଛଡ଼ା ତାକୁ ଦେଖିବା ପାଇଁ ଆଉ କେହି ଯଦି ନ ଥାନ୍ତେ, ତାହେଲେ କ’ଣ ଯେ ହୁଅନ୍ତା, ସେକଥା ଥରେ ଭାବ ତ ! ମା’ର ତ ପିଲା ପାଇଁ ଆଖିରେ ନିଦ ନାହିଁ, ଭାବି ଭାବି କଣ୍ଟା ହୋଇ ଗଲାଣି । ହଁ; ହଁ; ତାରି କଥା ମୁଁ କହୁଚି । ମା’ ହୋଇଛି । ଏ ପରି ଝିଅମାନେ ଯେ କାହିଁକି ମା’ ହୁଅନ୍ତି ଜାଣେନା ।’

 

ଏହା ଯେ ଆସନ୍ନ ଝଡ଼ର ପୂର୍ବାଭାସ, ଭାଗବତ ବାବୁ ତାହା ବୁଝିପାରିଲେ ନାହିଁ । ନା, ଆଉ ବଢ଼ିବାକୁ ଦେବା କୌଣସି ମତେ ଉଚିତ ନୁହେଁ । ବନ୍ଦ କରିଦେବାକୁ ହେବ । କହିଲେ, ‘ଅଲି, ମାଆଙ୍କ ବିରୁଦ୍ଧରେ କୌଣସି କଥା ମୁଁ ବରଦାସ୍ତ କରିପାରିବି ନାହିଁ । ତୁମେ ମତେ ଭଲ କରି ଜାଣ-। ଭବିଷ୍ୟତରେ କୌଣସି ଦିନ ଯେପରି ଏ ଭୁଲ ଆଉ ନ ହୁଏ ।’

 

ବୁଢ଼ୀ ଚାକରାଣୀ ହତଭମ୍ବ ହୋଇ ଚାହିଁ ରହିଲା । ଗୋଟିଏ କଥା ତା ପାଟିରୁ ଆଉ ବାହାରିଲା ନାହିଁ । ଆଚମ୍ବିତ ହୋଇ ପଛକୁ ଫେରି ଘରୁ ବାହାରିଗଲା । ଯିବା ସମୟରେ ଏତେ ଜୋରରେ କବାଟଟା ବନ୍ଦ କରିଦେଇ ଗଲା ଯେ ଝାଡ଼ ଲଣ୍ଠନର ଝୁଲିଗୁଡ଼ିକ ଟୁଂ ଟାଂ କରି ବାଜି ଉଠିଲା, ମନେହେଲା ଯେପରି ଡ୍ରଇଁ ରୁମ୍‌ରେ ସହସ୍ର ଅଦୃଶ୍ୟ ଘଣ୍ଟା ବାଜୁଛି ।

 

ପ୍ରଥମେ ବୁଢ଼ା ଟିକିଏ ହଡ଼ବଡ଼େଇ ଗଲା । ତାପରେ ଆନନ୍ଦରେ ହାତରେ ତାଳି ମାରିବାକୁ ଲାଗିଲା । ଗାଲ ଫୁଲାଇ ଛାତର ସମସ୍ତ ଶକ୍ତି ଦେଇ ସେ କବାଟ ବନ୍ଦ ହେବାର ଶବ୍ଦ ନକଲ କରି ମୁହଁରେ ଶବ୍ଦ କରିବାକୁ ଲାଗିଲା । ଭାଗବତ ବାବୁ ପୁଅକୁ ଗଳ୍ପ କହିବାକୁ ଆରମ୍ଭ କଲେ । ମନ ଅନ୍ୟମନସ୍କ । ବାରମ୍ବାର ଗଳ୍ପର ଖିଅ ହଜି ଯାଉଛି । ଗଳ୍ପ କୌଣସି ମତେ ଜମୁ ନାହିଁ-। ବୁଢ଼ା ତା ବାପାର ମନର ଅବସ୍ଥା ବୁଝିପାରୁନାହିଁ । ବିଷ୍ଫାରିତ ନେତ୍ରରେ ଅନାଇ ରହିଛି ।

 

ଭାଗବତ ବାବୁ ଘଣ୍ଟା ଦିଗରେ ଅନାଇଛନ୍ତି, ଆଖି ଫେରାଇ ପାରୁନାହାନ୍ତି । ଘଣ୍ଟାର କଣ୍ଟା ଦୁଇଟା ଖୁବ୍‌ ଜୋର୍‌ରେ ଚାଲିଛି । ତାଙ୍କର ମନେହେଲା, ଯେ ପର୍ଯ୍ୟନ୍ତ ମାୟା ଫେରି ନ ଆସିଛି, କଣ୍ଟା ଦୁଇଟା କୌଣସି ପ୍ରକାର ଚାପି ଧରନ୍ତେ । ମାୟାର ବିଳମ୍ବ ହେଉଛି ଦେଖି; ସେ ଯେତେ ବିରକ୍ତ ନ ହେଉଛନ୍ତି, ତାଠାରୁ ଢେର ବେଶୀ ତାଙ୍କର ବିରକ୍ତି ହେଉଛି, ଭୟ ବି ହେଉଛି, ଅବଶ୍ୟମ୍ଭାବୀ ଦୃଶ୍ୟର କଥା ଭାବି । ଆଉ ଦଶ ମିନିଟ୍‌ ମଧ୍ୟରେ ହୁଏତ ମାୟା ଆସିଯିବ । ତାପରେ ଆରମ୍ଭ ହେବ ଝଗଡ଼ା, କୈଫିୟତ୍‌, ଆଉ ମରାମରି । ନା, ଭାଗବତ ବାବୁ ସେ ଦୃଶ୍ୟ ମନେକରିବା ମାତ୍ରେ ଭୟ ପାଉଛନ୍ତି । ଦୁଇଜଣ ସ୍ତ୍ରୀଲୋକ ମୁହାଁମୁହିଁ ଠିଆ ହୋଇ କଳି କରୁଛନ୍ତି ଚିତ୍କାର କରୁଛନ୍ତି, ଏ ତାକୁ ଗାଳି ଦେଉଛି, ବାକ୍ୟ ବାଣରେ ଉଭୟେ ହିଁ ଜର୍ଜରିତ । ଏ କଥା ମନେକରିବା ମାତ୍ରେ ତାଙ୍କ ଛାତି କମ୍ପିବାକୁ ଲାଗିଲା, ତଣ୍ଟି ଶୁଖି କାଠ ହୋଇଗଲା, ସେ ଯେପରି ମରୁଭୂମିର ଉତ୍ତପ୍ତ ବାଲୁକା ଉପର ଦେଇ ଚାଲିଛନ୍ତି, ବିନ୍ଦୁଏ ସୁଦ୍ଧା ଜଳ ନାହିଁ । ତୃଷ୍ଣାରେ ଛାତି ଫାଟି ଯାଉଛି । ଭାଗବତ ବାବୁ ଦୁର୍ବଳ ବୋଧ କରୁଛନ୍ତି । ଏତେ ଦୁର୍ବଳ ଯେ ଏଇ ଏତେସାନ ବୁଢ଼ାକୁ କୋଳ କରିବା ପାଇଁ ଶକ୍ତି ତାଙ୍କର ନାହିଁ ।

 

ଢଂ ଢଂ କରି ଆଠଟା ବାଜିଲା । କବାଟଟା ଆଉଥରେ ଖୋଲିଗଲା । ଅଲି ଆସିଲା, ତାର ସେଇ ରାଗିଲା ଭାବ ଆଉ ନାହିଁ । କିନ୍ତୁ ଆଖି ମୁହଁରେ କିପରି ଯେପରି ଗୋଟାଏ ଦୃଢ଼ ସଂକଳ୍ପ ଫୁଟି ଉଠିଛି । ଭାଗବତ ବାବୁ ଆହୁରି ଭୟ ପାଇଲେ । ଅଲି କହିଲା, ‘ଶେଷଦିନ ଏ ପର୍ଯ୍ୟନ୍ତ ମୁଁ ତୁମ ମାର ସେବା କରିଛି । ଜନ୍ମଠାରୁ କୋଳରେ ପିଠିରେ କରି ମୁଁ ତୁମକୁ ମଣିଷ କରିଛି-। ଆଜି ପର୍ଯ୍ୟନ୍ତ ମୁଁ ତୁମର ଦେଖାଶୁଣା କରୁଛି । କୌଣସି ଦିନ ତୁମ ପରିବାରର କାହାର ଅବିଶ୍ୱାସର ପାତ୍ରୀ ହୋଇନି । ଆଶା କରେ ଏକଥା ସ୍ୱୀକାର କରିବ ।’ ଅଲି ଉତ୍ତର ପ୍ରତ୍ୟାଶାରେ ଚୁପ୍‌ ରହିଲା ।

 

ଭାଗବତ ବାବୁ କହିଲେ, ‘ହଁ, ହଁ ସେ କଥା ସତ ଅଲି ।’

ଅଲି ଆଉଥରେ ଆରମ୍ଭ କଲା, ‘ତୁମେ ଭଲ କରି ଜାଣ ଟଙ୍କା ଲୋଭରେ ମୁଁ କିଛି କରେନା । ତୁମକୁ ମଣି‌ଷ‌ କରିଛି, ସ୍ନେହ କରେ, ସେଇଥିପାଇଁ ତୁମର ମୁହଁ ଚାହିଁ ମୁଁ ସବୁକିଛି କରିଯାଏ । କୌଣସି ଦିନ ତୁମକୁ ଠକାଇନି, ତୁମ ପାଖରେ ମିଛ କଥା ବି କହିନି । ଆଉ ମୋର କୌଣସି କାମରେ ତୁମେ କେବେ ଭୁଲ ଦେଖିପାରିନ..... ।’

 

‘ନିଶ୍ଚୟ, ନିଶ୍ଚୟ ।’

‘ଭଲ କଥା, ଆଉ ମୁଁ ସହି ପାରିବିନି । କେବେ ତୁମକୁ କିଛି କହିନି । ସବୁ ଲୁଚାଇ ରଖିଥିଲି, ଖାଲି ତୁମକୁ ସ୍ନେହ କରେ, ଭଲ ପାଏ ବୋଲି, କିନ୍ତୁ ଆଉ ପାରୁନାହିଁ । ଘଟଣାଟା ଅନେକ ଦୂର ଗଡ଼ିଗଲାଣି । ସମସ୍ତେ ତୁମକୁ ନେଇ ଥଟ୍ଟା ତାମସା କରୁଛନ୍ତି । ତେଣୁ ଆଜି ସବୁକଥା ତୁମକୁ କହିବି । ଯଦିଓ ସେ ସବୁକଥା ମୁହଁରେ ଆଣିବାକୁ ହିଁ ମୋର ଘୃଣା ହେଉଛି । ମା’ କାହିଁକି ଯେତେବେଳେ ଖୁସି ଘରକୁ ଫେରନ୍ତି ଜାଣ ସେ ସବୁ ପ୍ରକାର ଅନାଚାର କରି ବୁଲୁଛନ୍ତି, ସେଥିପାଇଁ-।’

 

ଭାଗବତ ବାବୁ ଏକାଥରେ ହତଭମ୍ବ ହୋଇଗଲେ । ମନେହେଲା ଘଟଣାଟା ତାଙ୍କ ମୁଣ୍ଡରେ ପଶିନି । ସେ ଖାଲି କହିଲେ, ‘ଚୁପ୍‌ କର, ଚୁପ୍‌ କର । ମନା କରୁଛି...।’

 

କିନ୍ତୁ ଅଲି ଅଟଳ । ବାଧା ଦେଇ କହିଲା, ‘ନା, ଆଜି ମୁଁ ତୁମକୁ ସବୁକଥା କହିବି । ମାଧବ ବାବୁ ସଙ୍ଗେ ମା’ ବହୁତ ଦିନ ହେଲା ଅନାଚାରରେ ମଜ୍ଜିଛନ୍ତି । କବାଟ ଉହାଡ଼ରେ ମୁଁ ଅନେକ ଥର ଉଭୟେ ଉଭୟଙ୍କୁ ଚୁମ୍ବନ ଦେବାର ଦେଖିଛି । ଏ ବିଷୟରେ ତୁମେ ନିଶ୍ଚିତ ହୋଇପାର, ଯଦି ମାଧବ ବାବୁଙ୍କର ଯଥେଷ୍ଟ ଟଙ୍କା ପଇସା ଥାଆନ୍ତା, ମା’ କେବେହେଲେ ତୁମକୁ ବିବାହ କରି ନ ଥାନ୍ତେ । ବିବାହ କିପରି ହୋଇଥିଲା ଏକଥା ଯଦି ମନେଥାଏ ତ ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ ବୁଝିପାରିବ ।’

 

ଭାଗବତ ବାବୁଙ୍କ ମୁହଁରେ ବିନ୍ଦୁଏ ସୁଦ୍ଧା ରକ୍ତ ନାହିଁ । ମଡ଼ାପରି ଧଳା ହୋଇଯାଇଛି । ସେ ଠିଆ ହୋଇ କହିଲେ, ‘ଚୁପ୍‌ କର, ଚୁପ୍‌ କର କହୁଚି–ନ ହେଲେ– ।’

 

କିନ୍ତୁ ଅଲି ବନ୍ଦ ହେଲାନି, କହିଲା, ‘ନା, ଆଜି ଆଉ ମୁଁ ଚୁପ୍‌ ରହିବି ନାହିଁ । ତୁମକୁ ଆଜି ମୁଁ ସବୁକଥା କହିବି । ହଁ, ନିଜ ସ୍ୱାର୍ଥ ପାଇଁ ମା’ ତୁମକୁ ବିବାହ କରିଛନ୍ତି । ବିବାହର ପ୍ରଥମ ଦିନଠାରୁ ତୁମକୁ ଠକି ଆସିଛନ୍ତି । ଆଗରୁ ସେମାନଙ୍କ ମଧ୍ୟରେ ଗୋଟାଏ ବୁଝାମଣା ହୋଇଥିଲା । କେତେ ମିନିଟ୍‌ ଭାବିଲେହିଁ ବୁଝିପାରିବ, କିଛି ଆଉ ଅସ୍ପଷ୍ଟ ରହିବ ନାହିଁ । ମା’ ତୁମକୁ ଭଲ ପାଆନ୍ତି ନାହିଁ, ତୁମକୁ ବିବାହ କରି ସେ ଖୁସି ବି ହୋଇନାହାନ୍ତି । ତେଣୁ ତୁମ ଜୀବନଟାକୁ ଏକାଥରେ ନଷ୍ଟ କରିଦେଇଛନ୍ତି । ଏହା ଦେଖି ମୋର ଛାତି ଫାଟି ଯାଉଛି ।’

 

ଭାଗବତ ବାବୁ ହାତମୁଠା କରି ଘର ଭିତରେ ଚାଲୁ ଚାଲୁ କହିଲେ, ‘ଚୁପ୍‌ କର ।’ ତାଙ୍କ ମୁହଁରୁ ଆଉ କୌଣସି କଥା ବାହାରିଲା ନି । କିନ୍ତୁ ବୁଢ଼ୀ ଆଜି କୌଣସିମତେ ଚୁପ୍‌ ରହିବ ନାହିଁ । କୌଣସି କଥା ଶୁଣିବ ନାହିଁ । ଏସବୁ ଦେଖି ବୁଢ଼ା ପ୍ରଥମେ ଘାବରେଇ ଯାଇଥିଲା ତାପରେ ଦୁହିଁଙ୍କୁ ଚିତ୍କାର କରିବାର ଦେଖି ଭୟରେ ଚିତ୍କାର କରିବାକୁ ଲାଗିଲା । ବୁଢ଼ା କାନ୍ଦି କାନ୍ଦି ବାପ ପଛରେ ଯାଇ ଠିଆ ହେଲା । ଆଉ ବାପା ତର୍ଜ୍ଜନ ଗର୍ଜ୍ଜନ କରିବାକୁ ଲାଗିଲେ ।

 

ପୁଅର କାନ୍ଦ ଦେଖି ଭାଗବତ ବାବୁ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ଭୀଷଣ ରାଗିଗଲେ । ତାଙ୍କର ଦୁର୍ବଳତା କଟିଗଲା, ମନରେ ସାହାସ ଆସିଲା । ଦୁଇ ହାତମୁଠା କରି ଅଲି ପାଖକୁ ଛୁଟିଗଲେ । କହିଲେ, ‘ସୟତାନ ! ତୁ ପିଲାର ମୁଣ୍ଡ ଖରାପ କରିଦେବୁ ।’ ଭାଗବତ ବାବୁ ଅଲିକୁ ମାରନ୍ତି କି ନ ମାରନ୍ତି । ଠିକ୍‌ ସେଇ ସମୟରେ ଅଲି ଛାଡ଼ିଲା ତାର ମାରଣାସ୍ତ୍ର ।

 

ମୁଁ ଆପଣଙ୍କୁ ମା’ ପରି ମଣିଷ କରିଛି । ଆଜି ଆପଣ ଇଚ୍ଛା କଲେ ମୋ ଦେହରେ ହାତ ଦେଇପାରନ୍ତି । କିନ୍ତୁ ସେଥିରେ ତ ଆଉ ଆପଣଙ୍କ ସ୍ତ୍ରୀର ପ୍ରତାରଣା ବନ୍ଦ ହେବନି । କିମ୍ବା ବୁଢ଼ା ଯେ ଆପଣଙ୍କ ପୁଅ ନୁହେଁ, ଏଇ ସତ କଥାଟା ମିଛ ହୋଇଯିବନି ।’ ଭାଗବତ ବାବୁଙ୍କ ହାତ ଆଉ ଉଠିଲା ନାହିଁ । ହଠାତ୍‌ ସେ ରହିଗଲେ । ଅଲି ଆଗରେ ପଥର ପରି ଚୁପ୍‌ ହୋଇ ଠିଆହୋଇ ରହିଲେ । ପୃଥିବୀର ସମସ୍ତ ଆଲୋକ ଯେପରି ଗୋଟିଏ ମୁହୂର୍ତ୍ତରେ ଲିଭିଗଲା । ସବୁ ଯେପରି ଓଲଟ ପାଲଟ ହୋଇ ଯାଉଛି, କିଛି ଆଉ ତାଙ୍କ ମୁଣ୍ଡରେ ପଶୁନାହିଁ । ଅଲି ପୁଣି କହିଲା, ‘ପୁଅଆଡ଼େ ଭଲ କରି ଚାହିଁ ଦେଖିଲେ ବୁଝିପାରିବେ ତାର ବାପ କିଏ । ବୁଢ଼ା ମାଧବ ବାବୁଙ୍କ ନକଲ । ସେଇ ମୁହଁ, ସେଇ ଆଖି, ସେଇ କପାଳ । ଟିକିଏ ଲକ୍ଷ୍ୟ କଲେ ଧରା ପଡ଼ିଯିବ । ଆର ଆଖିକୁ ମଧ୍ୟ ଫାଙ୍କି ଦେଇ ହେବନି ।’

 

ଭାଗବତ ବାବୁ ଆଉ ସ୍ଥିର ହୋଇ ରହିପାରିଲେନି । ଅଲିର ଦେହ ଧରି ଖୁବ୍‌ ଜୋର୍‌ରେ ହଲାଇ ଦେଉଦେଉ ‘କହିଲେ’ ବାହାରିଜା ମୋ ଘରୁ ହାରାମଜାଦୀ ! ଏବେ ବାହାରିଯା ନ ହେଲେ ତତେ ଖୁଣ୍‌ କରିଦେବି ।’ ତାପରେ ଅଲିକୁ ନେଇ ପାଖ ଘରକୁ ପେଲି ଦେଲେ । ଟେବୁଲ୍‌ ଉପରେ ଖାଇବାକୁ ବଢ଼ା ହୋଇଥିଲା । ଅଲି ସେଇ ଟେବୁଲ୍‌ ସଙ୍ଗେ ଧକ୍କା ଖାଇ ପଡ଼ିଗଲା-। ଗ୍ଲାସଗୁଡ଼ାକ ଭାଙ୍ଗି ଟିକ୍‌ ଟିକ୍‌ ହୋଇଗଲା । ଅଲି ସଙ୍ଗେ ସଙ୍ଗେ ଉଠିପଡ଼ି ଭାଗବତବାବୁ ତା ମଝିରେ ଟେବୁଲଟା ରଖିଲା । ଭାଗବତବାବୁ ସେତେବେଳେ ଅଲିକୁ ଧରିବାର ଚେଷ୍ଟା କରୁଛନ୍ତି । ଅଲି ଆଉଥରେ ତାର ତୀକ୍ଷ୍ଣଧାର ବାକ୍ୟବାଣ ହାଣିଲା । ‘ଭାଗବତ ବାବୁ, ଆଜି ରାତିରେ ଖାଇବା ପିଇବା‌ ପରେ ଟିକିଏ ବାହାରକୁ ଯିବେ । କିଛିକ୍ଷଣ ପରେ ଫେରିଆସିଲେ ସବୁ ଦେଖି ପାରିବେ । ସେତେବେଳେ ବୁଝିପାରିବେ ମୁଁ ମିଛକଥା କହୁଛିକି ନାହିଁ । ଥରେ ପରୀକ୍ଷା କରନ୍ତୁ, ତାହାହେଲେ ସବୁ ଟେର ପାଇବେ ।’ କହି କହି ଅଲି ତାର ଶୋଇବା ଘରେ ପଶି କବାଟ ଦେଲା ।

 

ଦୁମ୍‌ ଦୁମ୍‌ କରି କବାଟରେ ବାଡ଼େଇ ବାଡ଼େଇ ଭାଗବତ ବାବୁ କହିଲେ ଏବେ ତୁ ମୋ ‘ଘରୁ ବାହାରି ଯା’ ଭିତରୁ ଉତ୍ତର ଆସିଲା ‘ଆପଣ ନିଶ୍ଚିନ୍ତ ଥାଆନ୍ତୁ, ଆପଣଙ୍କ ଘରେ ମୁଁ ଆଉ ମୁହୂର୍ତ୍ତେ ମଧ୍ୟ ରହିବିନି । ଏବେ ମୁଁ ଚାଲିଯାଉଛି ।’

 

ମାତାଲ ପରି ଟଳି ଟଳି କୌଣସି ପ୍ରକାର ସିଡ଼ିରେ ରେଲିଂ ଧରି ଭାଗବତ ବାବୁ ତଳକୁ ଓହ୍ଲାଇ ଆସିଲେ । ବୁଢ଼ା ତଳେ ବସି କାନ୍ଦୁଛି । ଗୋଟାଏ ଚେୟାର ଉପରେ ବସିପଡ଼ିଲେ ବଡ଼ କାତର ଭାବରେ ପୁଅ ଦିଗରେ ସେ ଚାହିଁଲେ । ଆଉକିଛି ତାଙ୍କ ମୁଣ୍ଡରେ ପଶୁ ନାହିଁ । ସବୁ ହଜିଯାଇଛି । ବୋକାପରି ପାଗଳପରି ଶୂନ୍ୟକୁ ଚାହିଁଛନ୍ତି । ବୁଢ଼ୀ ଚାକରାଣୀ ଏବେ ଯେଉଁ ମାରାତ୍ମକ କଥାଗୁଡ଼ାକ ତାଙ୍କୁ କହିଥିଲା, ତାହା ବି ମନେପଡ଼ୁନାହିଁ । ତାପରେ ଧୀରେ ଧୀରେ ସବୁ ପରିଷ୍କାର ହୋଇଗଲା । ଯୁକ୍ତି ସ୍ୱଚ୍ଛ ହୋଇଉଠିଲା । ଗୋଳିଆ ପାଣି ବସିଗଲା । ଏଇ ଭୀଷଣ ସତ୍ୟ ଦର୍ଶନର କ୍ରିୟା ଧୀରେ ଧୀରେ ତାଙ୍କ ଅନ୍ତରରେ ଆରମ୍ଭ ହେଲା ।

 

ଅଲି ଏତେ ସ୍ପଷ୍ଟ କରି, ଏତେ ଜୋର୍‍ ଦେଇ, ଏତେ ଆତ୍ମପ୍ରତ୍ୟୟ ଆଉ ନିଷ୍ଠାର ସଙ୍ଗେ ସବୁକଥା କହିଯାଇଛି ଯେ ତାର ସରଳ ବିଶ୍ୱାସରେ ତାଙ୍କର ଆଉ କୌଣସି ସନ୍ଦେହ ନାହିଁ । କିନ୍ତୁ ହାୟରେ ମନ, ତେବେ ବି ସଂଶୟ । ହୁଏତ ଅଲି ଭୁଲ କରୁଛି । ବୁଢ଼ୀ କ’ଣ ଦେଖି କଅଣ କହୁଛି । ମୋ ପ୍ରତି ସ୍ନେହରେ ଅନ୍ଧ ହୋଇ ହୁଏତ ଭୁଲ ବୁଝିଛି । କିମ୍ବା ମାୟା ପ୍ରତି ଅଜ୍ଞାତ ବିଦ୍ୱେଷ ବଶତଃ ତା ପ୍ରତି ଅବିଚାର କରିଛି । ଯାହାହେଉ ଯେତେ ନିଜକୁ ବୁଝାଇବାକୁ ଚେଷ୍ଟା କରନ୍ତି, ସେତେ ହଜାର ପ୍ରକାର ତୁଚ୍ଛ ଘଟଣା ତାଙ୍କ ମନ ମଧ୍ୟରେ ନାଚି ଉଠିଲା । ସ୍ତ୍ରୀ କଥା, ମାଧବର ଦୃଷ୍ଟି, କେତେ ଛୋଟ ଛୋଟ ଘଟଣା । ବେଶି ରାତିରେ ମାୟାର ଘର ବାହାରକୁ ଯିବା, ଦୁହିଁଙ୍କର ଏକସଙ୍ଗେ ଅନୁପସ୍ଥିତି । ଏପରିକି ସେମାନଙ୍କ କେତେ ଅନୁଲ୍ଲେଖଯୋଗ୍ୟ କିନ୍ତୁ ଅଦ୍ଭୁତ ହାବ ଭାବ ଯାହା ସେତେ‌ବେଳେ କିଛି ବୁଝିପାରୁ ନ ଥିଲେ, ଆଜି ସବୁ କିନ୍ତୁ ତାଙ୍କ ନିକଟରେ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ବୋଲି ମନେହେଉଛି । ତାଙ୍କର ବିବାହ ହୋଇଯିବା ପରେ ଯାହା କିଛି ଘଟିଛି ଗୋଟିଏ ଗୋଟିଏ କରି ସବୁ ତାଙ୍କ ସ୍ମୃତିପଟରେ ଭାସି ଉଠିଲା । ପାଞ୍ଚବର୍ଷର ବିବାହିତ ଜୀବନ ସମୁଦ୍ର ମନ୍ଥନ କରି ବିବାହର ପାତ୍ର ଉଚ୍ଛୁଳି ଉଠିଲା । ଅସହ୍ୟ ଜ୍ୱାଳାରେ ଭାଗବତ ବାବୁଙ୍କ ଦେହ ଜଳି ଯାଉଛି ।

 

ଏବେ ସେ ଆଉ ବୁଢ଼ା କଥା ଭାବୁ ନାହାନ୍ତି, ସେ ଏବେ ଶାନ୍ତ ହୋଇ କାର୍‌ପେଟ୍‌ ଉପରେ ବସିରହିଛି । କିନ୍ତୁ ତାକୁ କିଏ ଆଦର ନ କରିବାର ଦେଖି ସେ ଆଉଥରେ କାନ୍ଦିବାକୁ ଆରମ୍ଭ କଲା । ଭାଗବତ ବାବୁ ଛୁଟି ଯାଇ ପୁଅକୁ କୋଳ କରି ଚୁମା ଦେଲେ । ତାଙ୍କ ପିଲା - ତାଙ୍କରି ପିଲା । ବାକି ସବୁ ଚୁଲିକୁ ଯାଉ । ସେଥିରେ ତାଙ୍କର କ’ଣ ଯାଏ ଆସେ । ବୁଢ଼ାକୁ ଛାତି ମଧ୍ୟରେ ଚାପି ଧରି ତା ମୁଣ୍ଡର ହାଲୁକା ବାଳ ମଧ୍ୟରେ ନିଜର ମୁହଁ ଲୁଚାଇଲେ । ଆଃ, କି ଶାନ୍ତି । ଖୁବ୍‌ ଆସ୍ତେ ଆସ୍ତେ କହିଲେ, ‘ବୁଢ଼ା, ମୋର ପ୍ରାଣର ବୁଢ଼ା ।’ ହଠାତ୍‌ ଆଉଥରେ ଅଲିର କଥା ମନେପଡ଼ିଗଲା । ହଁ, ଅଲି କହିଚି, ବୁଢ଼ା ମାଧବର ପିଲା । ତାଙ୍କର ନୁହେଁ । ..... ନା, ନା, ତାହା କୌଣସି ମତେ ହୋଇ ପାରେନା । ସେ ତା କଥା ଟିକିଏ ସୁଦ୍ଧା ବିଶ୍ୱାସ କରନ୍ତି ନାହିଁ । ବୁଢ଼ା ତାଙ୍କରି ପିଲା, ଏଥିରେ କୌଣସି ସନ୍ଦେହ ନାହିଁ । ଭିକାରୁଣୀ ଚାକରାଣୀଙ୍କ ମୁଣ୍ଡରୁ ଏପରି କେତେ ନା କେତେ ମିଥ୍ୟା ଅପବାଦ ବାହାରେ । ଉଚ୍ଛ୍ୱସିତ ଆବେଗରେ ଆଉଥରେ କହିଲେ, ‘ବୁଢ଼ା ।..... ମୋର ସଙ୍ଖାଳି ।’ ପୁଅ ଚୁପ୍‌ ହୋଇଯାଇଛି, ତାର ବାପା ଯେ ଆଉଥରେ ତାକୁ ଆଦର କରି କୋଳକୁ ନେଇଛନ୍ତି । ଭାଗବତ ବାବୁ ଛାତି ମଧ୍ୟରେ ଶିଶୁ ପୁତ୍ରର ଉତ୍ତାପ ଅନୁଭବ କଲେ । ଶିଶୁର ପୋଷାକ ଭିତର ଦେଇ ତାର ଶାରୀରିକ ଉତ୍ତାପ ପିତାର ବୁକୁ ଭିତରେ ପ୍ରବାହିତ ହେଉଛି । ଭଲ ପାଇବା, ସାହାସ ଆଉ ସୁଖରେ ମନ ପୂର୍ଣ୍ଣ ହୋଇଗଲା, ଶିଶୁ ଦେହର ମଧୂର ତାପରେ ଅନ୍ତର୍ଜ୍ଜ୍ୱାଳା ପ୍ରଶମିତ ହେଲା, ବଞ୍ଚିଗଲେ ଭାଗବତ ବାବୁ । ପୁଅକୁ ଟିକିଏ ଦୂରରେ ବସାଇ ତା ଦିଗରେ ସ୍ନେହ ଭରା ଆଖିରେ ଚାହିଁ ରହିଲେ । କହିଲେ, ବୁଢ଼ା, ବାପ ମୋର ।’ ହଠାତ୍‌ ତାଙ୍କର ମନେ ହେଲା, ଆଚ୍ଛା ସତରେ ଯଦି ମାଧବ ପରି ହୋଇଥାଏ.....ସେତେବେଳେ କ’ଣ..... ହେବ ।

 

ଭାଗବତ ବାବୁଙ୍କ ମଧ୍ୟରେ ଅଦ୍ଭୁତ ଏକ କ୍ରିୟା ଚାଲିଛି, ଗୋଟାଏ ତୀବ୍ର ତୀକ୍ଷ୍ଣ ଅନୁଭୂତି ସୂଚୀପରି ତାଙ୍କର ସର୍ବାଙ୍ଗରେ ଗଳିଯାଉଛି, ଦେହ ଶିରି ଶିରି କରୁଛି, ହାତ ପାଦ ଅବଶ ଯାଉଛି, ହାତ ଦୁଇଟି ଯେପରି ବରଫ ହୋଇଯାଇଛି । ସତରେ ଯଦି ବୁଢ଼ା ମାଧବ ପରି ହୋଇଥାଏ । ପୁଅ ଦିଗରେ ଅପଲକ ନେତ୍ରରେ ଚାହିଁଛନ୍ତି । ପୁଅ ହସୁଛି । ଭାଗବତ ବାବୁ ଅନାଇଛନ୍ତି ତାରି ଆଡ଼େ । ଆଖିରେ ତାଙ୍କର ସେ ଦୀପ୍ତି ଆଉ ନାହିଁ, ମୁହଁରେ ସେ ସ୍ୱାଭାବିକ ସନ୍ତୋଷ ଆଉ ନାହିଁ । ମଧ୍ୟାହ୍ନ ମରୁର ଜ୍ଜ୍ୱାଳା ତାଙ୍କ ଆଖିରେ । ମନରେ ସଂଶୟ ଆଉ ସନ୍ଦେହ । କୁତ୍ସିତ ଅସଭ୍ୟ ସନ୍ଦେହ । ସନ୍ଦେହ ବିଷରେ ମନ ଜର୍ଜ୍ଜରିତ । ସେ ଦେଖୁଛନ୍ତି, ବୁଢ଼ା ମୁହଁରେ ମାଧବର ଐକ୍ୟ ଅଛି କି ନାହିଁ । ମୁହଁ, ଆଖି, ନାକ, କପାଳ ଲକ୍ଷ୍ୟ କରୁଛନ୍ତି । ଯଦି କୌଣସିଟାରେ ଏତେ‌ ଟିକିଏ ମେଳ ବାହାରିପାରେ । କେତେକଥା ଭାବୁଛନ୍ତି । ଚିନ୍ତା ତୀବ୍ର ବେଗରେ ଛୁଟି ଚାଲିଛି । ପାଗଳ ହେବା ଆଗରୁ ଠିକ୍‌ ଏହିପରି ହୁଏ । ହଠାତ୍‌ ବୁଢ଼ାର ମୁହଁଟି ଯେପରି ବଦଳି ଗଲା ପରି ମନେହେଉଛି, ଅଦ୍ଭୁତ ରୂପ ଧାରଣ କରିଛି ସେ, ଅସମ୍ଭବ ମେଳ ଯେପରି ରହିଚି ତା ମୁହଁରେ ।

 

ଅଲି କହିଛି, ‘ଅନ୍ଧ ଆଖିରେ ମଧ୍ୟ ଧୂଳି ଦେବା ସହଜ ନୁହେଁ ।’ ହୁଏତ ନିଶ୍ଚୟ କୌଣସି ଆଶ୍ଚର୍ଯ୍ୟ ସାଦୃଶ୍ୟ ଅଛି । କିନ୍ତୁ କ’ଣ କପାଳ ହଁ, ହୋଇପାରେ । କିନ୍ତୁ ମାଧବର କପାଳ ତ ଆହୁରି ସରୁ ! ତେବେ କ’ଣ ମୁହଁ ମାଧବର ତ ଦାଢ଼ୀ ଅଛି । ତେବେ କିପରି ଧରାପଡ଼ିବ ବୁଢ଼ାର ମେଦ ବହୁଳ ମୁହଁରେ ମାଧବର ଦାଢ଼ୀଭରା ମୁହଁର ସାଦୃଶ୍ୟ ଖେଳି ପାଇବା କ’ଣ ସହଜ

 

ଭାଗବତ ବାବୁ ଭାବୁଛନ୍ତି, ‘ନା, କିଛିତ ଦେଖିପାରୁନାହିଁ । ମୁଣ୍ଡ ବର୍ତ୍ତମାନ ଠିକ୍‌ ନାହିଁ । ବର୍ତ୍ତମାନ କିଛି ବୁଝି ନ ପାରିବା ସ୍ୱାଭାବିକ । କାଲି ସକାଳେ ବିଛଣାରୁ ଉଠି ଆଉଥରେ ଭଲ କରି ଦେଖିବାକୁ ହେବ ।’ ସଙ୍ଗେ ସଙ୍ଗେ ମନକୁ ମନ କହି ଉଠିଲେ, ‘ଯଦି ମୋ’ପରି ହୁଏ, ବଞ୍ଚିଯିବି ତାହେଲେ ।’ ଏହା କହି ବୁଢ଼ାକୁ କାଖକରି ଡ୍ରଇଂ ରୁମ୍‌ରୁ ଆସି ଆଇନା ଆଗରେ ଠିଆ ହେଲେ । ନିଜ ମୁହଁ ପାଖରେ ବୁଢ଼ାର ମୁହଁ ରଖି ପରୀକ୍ଷା କରିବାକୁ ଲାଗିଲେ । ‘ହଁ, ଆମ ଦୁହିଁଙ୍କ ନାକ ଏକ ପ୍ରକାର । .....ଠିକ୍‌ ଏକାପରି...... ହୁଏତ..... କିନ୍ତୁ ତାହା ଠିକ୍‌ ନ ହୋଇପାରେ । ଆଖିର ଚାହାଣୀ ଠିକ୍‌ ମୋ ପରି । ନା, ନା, ବୁଢ଼ାର ଆଖି ତ କଳା । ସର୍ବନାଶ... ତା ହେଲେ ହାୟ ଭଗବାନ ! ନା ଆଉ ଭାବି ପାରୁନାହିଁ । ଏଥର ପାଗଳ ହୋଇଯିବି । ଏବେତ ଆଉ ବେଶୀ କିଛି ଦେଖିପାରୁନି । କିନ୍ତୁ ପରେ ଯଦି..... ନା, ପାଗଳ ହୋଇଯାଉଛି ।’

 

ବୁଢ଼ାକୁ ଚେୟାର ଉପରେ ବସାଇ ଦେଇ ଘରର ଅନ୍ୟ ପାଖରୁ ଗୋଟାଏ ଚେଆର ଟାଣିନେଇ ନିଜେ ବସି ପଡ଼ିଲେ । ବୁଢ଼ା ଦିଗରେ ଚାହିଁ ସେ କାନ୍ଦି ପକାଇଲେ । ବାପାର ଏପରି କାନ୍ଦ ଦେଖି ବୁଢ଼ା ମଧ୍ୟ କାନ୍ଦିବାକୁ ଆରମ୍ଭ କରିଦେଲା ।

 

ଦାଣ୍ଡ କବାଟର ଝିଞ୍ଜିର କିଏ ବାଡ଼େଇବାର ଶବ୍ଦ ଶୁଣାଗଲା । ଭାଗବତ ବାବୁ ଧଡ଼ପଡ଼ କରି ଉଠି ପଡ଼ିଲେ, ଯେପରି ଗୋଟାଏ ବୁଲେଟ୍‌ ତାଙ୍କ ମୁଣ୍ଡର ଖପୁରୀଟା ଫଟାଇ ଦେଇଛି । ମନେ ମନେ କହିଲେ, ‘ମାୟା ଆସିଛି । ବର୍ତ୍ତମାନ କ’ଣ କରିବି ।’

 

ଘର ଭିତରକୁ ଦୌଡ଼ିଯାଇ ଭିତରୁ କିଳିଣୀ ଦେଲେ । ଆଖି ଧୋଇବାକୁ ହେବ । କିନ୍ତୁ ଅଳ୍ପ ସମୟ ପରେ ଆଉଥରେ କବାଟରେ ଝିଞ୍ଜିର ବାଡ଼େଇବାର ଶବ୍ଦ ଶୁଣାଗଲା । ସେ ଚମକି ପଡ଼ିଲେ । ମନେପଡ଼ିଲା, ଅଲି ଚାଲିଯାଇଛି, କାହାକୁ କିଛି କହି ଯାଇନି । ଚାକର ବାକରମାନେ କିଛି ଜାଣିନାହାନ୍ତି । ସେମାନେ କେହି କବାଟ ଖୋଲିବାକୁ ଯିବେ ନାହିଁ । ସେ ବର୍ତ୍ତମାନ କ’ଣ କରିବେ ନିଜେ ଯିବେ ସାମନା ସାମନି ଠିଆ ହେବେ ହଁ, ନିଜେ ଯିବେ । ନିଜର ଘରଦ୍ୱାର, ଏତେ ଭୟ କାହିଁକି ଭାବିଭାବି ନିଜେ ଗଲେ । ହଠାତ୍‌ ଯେପରି ସାହାସ ଆସିଗଲା । ମନରେ ଦୁର୍ଜ୍ଜୟ ସଂକଳ୍ପ । ଆଜି ମୁହାଁମୁହିଁ ଠିଆ ହେବେ । ବହୁଦିନର ମୁଖା ଛିଣ୍ଡାଇ ଦେଇ ସଇତାନକୁ ଥରେ ଦେଖିବେ । ଲଢ଼ାଇ କରିବେ ତା ସହିତ । ପ୍ରଚଣ୍ଡ ଆଘାତଟା ବେଶ୍‌ ପାଚି ଯାଇଛି । ଆଉ ମିଥ୍ୟାର ମୋହରେ ଭୁଲିବେନି । ସତ୍ୟକୁ ଜାଣିବାକୁ ହେବ, ଦେଖିବାକୁ ହେବ । ଦୁର୍ବଳ ସରଳ ମଣିଷଟି କ୍ଷୁବ୍ଧ ହୋଇଛି, ସମୁଦ୍ର ଢେଉର ଆଘାତ ପୋଖରୀରେ ଆସି ଲାଗିଛି । ନିଷ୍ଫଳ ରାଗକୁ ସମ୍ବଳ କରି ସେ ଲଢ଼ିବାକୁ ଚାହାଁନ୍ତି ।

 

ତେବେ ବି ସେ କମ୍ପି ଉଠିଲେ । ସେ କ’ଣ ଭୟ କରୁଛନ୍ତି ହଁ...... ସେୟା ହେବ...... । ହୁଏତ ଏବେ ବି ସେ ସ୍ତ୍ରୀକୁ ଭୟ କରନ୍ତି । ବୀରତ୍ୱ ଆଉ ସାହାସ ମଧ୍ୟରେ ଯେ କେତେ କ୍ଷୁବ୍ଧ କାପୁରୁଷତା ଥାଏ, ତାହା କିଏ କହିପାରିବ କେତେ ଭୀରୁ ଯେ ସାମୟିକ ଉତ୍ତେଜନାରେ କେତେ ଅମୀମ ସାହାସିକ କାର୍ଯ୍ୟ କରିପକାନ୍ତି, ତାର ହିସାବ କିଏ ରଖେ ପାଦ ଚିପି ଚିପି ଦୁଆର ପାଖକୁ ଗଲେ, ତାପରେ କାନ ଖାଡ଼ାକରି ଠିଆହୋଇ ରହିଲେ । ଛାତି ଧଡ଼ଧଡ଼୍‍ କରୁଛି । ନିଜ ଛାତିର ଧଡ଼ଧଡ଼୍‍ ଆଉ ବୁଢ଼ାର କାନ୍ଦ ଛଡ଼ା ଆଉକିଛି ଶୁଣିବାକୁ ପାଇଲେ ନାହିଁ ।

 

ପିଲାଟା ଏପର୍ଯ୍ୟନ୍ତ କାନ୍ଦୁଛି । ଆଉଥରେ ଝିଞ୍ଜିର ଖଡ଼୍‍ଖଡ଼୍‍ ହେଲା । ଭାଗବତ ବାବୁ ଚମକି ପଡ଼ିଲେ, ଯେପରି ବୋମା ଫାଟିବାର ଶବ୍ଦ ଶୁଣୁଛନ୍ତି । ତାପରେ କବାଟ ଖୋଲି ଦେଲେ ଭାଗବତ ବାବୁ । ମାୟା ଓ ମାଧବ ଦୁଆର ମୁହଁରେ ଠିଆ ହୋଇଛନ୍ତି । ଦୁହିଁଙ୍କୁ ଏକାଠି ଦେଖି ଭାଗବତ ବାବୁ ଶିହରି ଉଠିଲେ । ଯେପରି ଭୂତ ଦେଖୁଛନ୍ତି ।

 

ମାୟା ସ୍ୱାମୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲା । ତା କଣ୍ଠରେ ବିରକ୍ତିର ଭାବ । କହିଲା, ‘ତୁମେ ନିଜେ କବାଟ ଖୋଲିବାକୁ ଆସିଛ, ଅଲି କୁଆଡ଼େ ଗଲା ?’

 

ଭାଗବତ ବାବୁଙ୍କ ତଣ୍ଟି ଶୁଖି ଯାଇଛି, ନିଃଶ୍ୱାସ ନେବାକୁ କଷ୍ଟ ହେଉଛି । ଉତ୍ତର ଦେବାକୁ ଚେଷ୍ଟା କଲେ । କିନ୍ତୁ କଣ୍ଠରୁ କୌଣସି ମତେ କୌଣସି ପ୍ରକାର ଶବ୍ଦ ବାହାରିଲା ନାହିଁ ।

 

ମାୟା ପୁଣି ଥରେ କହିଲା ‘ତୁମେ ଘୁଙ୍ଘା କି ପଚାରୁଛି ପରା ଅଲି କୁଆଡ଼େ ଗଲା ଆଉ କାହିଁକି ବା ଯାଇଛି’

 

ଧୀରେ ଧୀରେ ତାଙ୍କର ସ୍ୱାଭାବିକ ଧୈର୍ଯ୍ୟ ଫେରି ଆସିଲା, ଉତ୍ତେଜନା କଟିଯାଇଛି । କିନ୍ତୁ ଏଇ ଯେ ଅସଂଯତ ଉଦ୍ଧତ ସ୍ତ୍ରୀ ଲୋକଟି ତାଙ୍କ ଆଗରେ ଠିଆ ହୋଇଛି, ତା ପ୍ରତି ଗୋଟାଏ ପ୍ରବଳ ବିଜାତୀୟ ଘୃଣାରେ ତାଙ୍କ ମନ ବିଷେଇ ଉଠିଲା । କହିଲେ, ‘ଅଲି ସବୁଦିନ ପାଇଁ ଚାଲିଯାଇଛି । ମୁଁ ତାକୁ ବାହାର କରିଦେଇଛି ।’

 

‘ତୁମେ ତଡ଼ି ଦେଇଛି ? କାହିଁକି ? ପାଗଳ ହେଲ ନା କ’ଣ ?’

‘ହଁ ମୁଁ ତଡ଼ି ଦେଇଛି । ଅଲି ବୁଢ଼ା ସମ୍ବନ୍ଧରେ ଏଣୁତେଣୁ କହୁଥିଲା, ସେଇଥିପାଇଁ ।’

‘ଅଲି ?’

‘ହଁ, ଅଲି, ।’ ସ୍ପର୍ଦ୍ଧାତ କମ୍‌ ନୁହେଁ ! କ’ଣ କହୁଥିଲା ?’

‘ତୁମ ସମ୍ବନ୍ଧରେ !’

‘ମୋ ସମ୍ବନ୍ଧରେ ?’

‘ହଁ, ତୁମ ବିଷୟରେ ଯାହା ମୁହଁକୁ ଆସିଲା, କହିଲା । ସେ ଭାରି ଅସଭ୍ୟ କଥା । ମୋର ତାହା ଶୁଣିବା ଉଚିତ ନୁହେଁ, ଆଉ–’

‘ସେ କ’ଣ କହୁଥିଲା ?’

‘ସେ କଥା ନ ଶୁଣିବାହିଁ ଭଲ ।’

‘ନା, ତୁମକୁ କହିବାକୁ ହେବ । ମୁଁ ଶୁଣିବାକୁ ଚାହେଁ ।’

 

‘ଅଲି କହିଲା, ମୋର ଦୁର୍ଭାଗ୍ୟ ଯେ ତୁମପରି ଗୋଟାଏ ଦାୟିତ୍ୱହୀନ, ଅମନୋଯୋଗୀ, ବେହିସାବୀ ସ୍ତ୍ରୀ ଲୋକ ସଙ୍ଗେ ମୋର ବିବାହ ହୋଇଛି । ତୁମେ ଗୋଟାଏ ଅପଦାର୍ଥ, ସମୟ ଅସମୟ ସମ୍ବନ୍ଧରେ ତୁମର କୌଣସି ଜ୍ଞାନ ନାହିଁ । ତା ଛଡ଼ା ତୁମେ ସ୍ତ୍ରୀ ହେବାର ଅଯୋଗ୍ୟ, ମା’ ନାମର କଳଙ୍କ ।’

 

ତରୁଣୀ ମାୟା ସେତେବେଳକୁ ପାଖ ଘରେ । ମାଧବ ବାବୁ ମଧ୍ୟ ତା ପଛେ ପଛେ ଯାଇଛନ୍ତି । ଅବସ୍ଥାର ଏ ପ୍ରକାର ଦ୍ରୁତ ଓ ଅପ୍ରତ୍ୟାଶିତ ପରିବର୍ତ୍ତନରେ ମାଧବ ବାବୁ ଗୋଟିଏ ସୁଦ୍ଧା କଥା କହିପାରିଲେ ନାହିଁ ।

 

ମାୟା ଜୋତା ଖୋଲିସାରି ସ୍ୱାମୀଙ୍କ ପାଖକୁ ଯାଇ ପଚାରିଲା, ‘ତୁମେ କହୁଚ ତୁମେ ବି କହୁଚ ଯେ ମୁଁ..... ମୁଁ..... ମୁଁ..... ଗୋଟାଏ ?’

 

ଭାଗବତ ବାବୁଙ୍କ ମୁହଁ ଶୁଖିଗଲା । ମୁହଁରେ ଟିକିଏ ସୁଦ୍ଧା ରକ୍ତ ନାହିଁ । ଧୀରେ ଧୀରେ, ଅତି ଶାନ୍ତ ଭାବରେ ଜବାବ ଦେଲେ, ‘ମୁଁ କିଛି କହିନି । ଅଲି ଯାହା ଯାହା କହିଛି, ମୁଁ ତାର ପୁନରାବୃତ୍ତି କରିଛି ମାତ୍ର । ଆଉ ତା ଛଡ଼ା ତୁମେ ତ ଶୁଣିବାକୁ ଚାହିଁଲ । ତୁମ ସମ୍ବନ୍ଧରେ ସେ ଯାହା କହିଛି, ସେଥିପାଇଁ ତ ମୁଁ ତାକୁ ତଡ଼ି ଦେଇଛି । ଏଇ କଥା ତମକୁ କହିବାକୁ ଚାହେଁ ।’

 

ମାୟାର ଖୁବ୍‌ ରାଗ ହେଲା, ଇଚ୍ଛାହେଲା ସ୍ୱାମୀର ନିଶକୁ ଟାଣି ଉପାଡ଼ି ଦେବାକୁ । ସ୍ୱାମୀର କଣ୍ଠସ୍ୱର ଆଉ ହାବଭାବ ଦେଖି ମନେହେଉଛି ସେ ଏବେ ଘରର କର୍ତ୍ତା ଆସନରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହାନ୍ତି । ଉତ୍ତର ଦେବାକୁ ତାର କିଛି ନ ଥିଲା । ମୁହଁରୁ ଗୋଟାଏ ସୁଦ୍ଧା କଥାବି ବାହାରିଲା ନାହିଁ । ତୀକ୍ଷ୍ଣ ବାକ୍ୟ ବାଣରେ ମାୟା ସ୍ୱାମୀକୁ ଆକ୍ରମଣ କରିବାକୁ ଚେଷ୍ଟା କଲା, କହିଲା, ‘ତୁମର ଖାଇବା ପିଇବା ବୋଧ ହୁଏ ଶେଷ ହୋଇଯାଇଛି ?’

 

‘ନା, ମୁଁ ତୁମ ପାଇଁ ଅପେକ୍ଷା କରି ବସିଛି ।’

 

ଅସ୍ଥିର ଭାବରେ ମାୟା ତାର କାନ୍ଧ ହଲାଇଲା । କହିଲା, ‘ସାତଟା ପରେ ମୋ ପାଇଁ ବସି ରହିବା ନିହାତି ବୋକାମୀ । ତୁମର ଅନୁମାନ କରିବା ଉଚିତ ଥିଲା, ମୁଁ କେଉଁଠାରେ ନା କେଉଁଠାରେ ବାଧ୍ୟ ହୋଇ ଅଟକି ଯାଇଛି । ହୁଏତ ମୋ ହାତରେ ଅନେକ କାର୍ଯ୍ୟ ଅଛି, କିଣାକିଣି କିମ୍ବା ବନ୍ଧୁମାନଙ୍କ ସଙ୍ଗେ ଦେଖା ସାକ୍ଷାତ୍‍ ଏହିପରି ଅନେକ କାମ ।’

 

ତାପରେ ହଠାତ୍‌ ତାର ମନେହେଲା କେଉଁଠାରେ କ’ଣ କରିଛି ତାର ଗୋଟିଏ କୈଫିୟତ ଦେବ । କହିଲା, ବଡ଼ବଜାରର ଗୋଟିଏ ଦୋକାନରେ କେତେଗୁଡ଼ିଏ ଆସବାବପତ୍ର କିଣିବାର କଥା ଥିଲା । ବୁଲୁବୁଲୁ ସାତଟା ପାଖାପାଖି କଲେଜ ଛକରେ ମାଧବ ବାବୁଙ୍କ ସଙ୍ଗେ ଦୈବାତ୍‌ ଦେଖା ହୋଇଗଲା । ତାପରେ ମାଧବ ବାବୁ ବାଧ୍ୟ କରିବାରୁ ଗୋଟାଏ ହୋଟେଲରେ କିଛି ଖାଇନେଲୁ । ନାମମାତ୍ର ଖାଇବା - ହୋଟେଲରେ କିଛି ନ ଥିଲା । ସାମାନ୍ୟ ଜଳଖିଆ ଥିଲା । ଘରକୁ ଫେରିବାକୁ ମୁଁ ତର ତର ହେଉଛି । ରାତି ହୋଇଗଲାଣି । ଫେରିବା ପାଇଁ ମୁଁ ଛଟପଟ ହେଉଛି । କଅଣ ଆଉ କରିବି କୌଣସି ପ୍ରକାର ଦୁହେଁ ଭାଗକରି ତାହା ଖାଇଲୁ । ଖାଇବା ନା ଚୁଲି ।’

 

ଭାଗବତ ବାବୁ ସରଳ ଭାବରେ କହିଲେ, ‘ତୁମେ ଠିକ୍ କରିଛ । ମୁଁ ତୁମର ଦୋଷ ଦେଉନାହିଁ ।’

 

ଏତେବେଳେ ଯାଏ ମାଧବ ବାବୁ ମାୟା ପଛରେ ଠିଆ ହୋଇଥିଲେ । ଏବେ ସେ ଆଗେଇ ଆସି କହିଲେ, ‘ଭାଗୁ ଭଲ ଅଛୁତ ।’

 

ଭାଗବତ ବାବୁ କହିଲେ ‘ହଁ ଭଲଅଛି ।’

 

ସ୍ୱାମୀଙ୍କ ଶେଷ କଥା କିନ୍ତୁ ଛୁଞ୍ଚି ପରି ମାୟା ଦେହରେ ଗଳିଗଲା । ମାୟା କହିଲା, ‘ଦୋଷ ଧରୁନ ମାନେ ସେ କଥା କାହିଁକି କହୁଛ ଲୋକେ ଅନେକ କଥା ଭାବିପାରନ୍ତି, ମନେକରି ପାରନ୍ତି ତୁମେ ହୁଏତ କିଛି ଗୋଟାଏ ଇଙ୍ଗିତ କରୁଛ ବୋଲି ।’

 

‘ମୋଟେ ତା’ ନୁହେଁ । ମୁଁ ଖାଲି କହିବାକୁ ଚାହେଁ ତୁମର ଡେରି ହେବାସତ୍ତ୍ୱେ ମୁଁ ମୋଟେ ଚିନ୍ତିତ ହୋଇନି ଏବଂ ଏଥିପାଇଁ ତୁମକୁ ଦୋଷ ବି ଦେଇନି ।’

 

‘ଡେରି ସତ୍ତ୍ୱେ ମାନେ ଲୋକେ ଶୁଣିଲେ ମନେ କରିବେ ଘର ବାହାରେ ରାତି କଟାଇ ମୁଁ ଘରକୁ ଫେରିଛି ।’

 

ତା ନୁହେଁ, ମୋଟେ ତା’ ନୁହେଁ । ମୁଁ ଖାଲି ତୁମର ଡେରି କଥା କହୁଛି । ଏହାଛଡ଼ା ଆଉ କିଛି ତ କହିନି । ଆଉ ‘ଡେରି’ ଶବ୍ଦଟା ବ୍ୟବହାର କରିଛି ତାର କାରଣ ଆଉ କୌଣସି ଶବ୍ଦ ମୁଁ ପାଇଲିନି ବୋଲି । ତୁମେ କହି ଯାଇଥିଲ ସାଢ଼େ ଛଟା ମଧ୍ୟରେ ଫେରିବ ବୋଲି , କିନ୍ତୁ ଫେରିଲ ଆଠଟାରେ । ଏହାକୁ ନିଶ୍ଚୟ ଡେରି ବୋଲି କହିବାକୁ ହେବ । ଅନ୍ତତଃ ଏତକ ମୁଁ ଭଲ କରି ବୁଝିଛି-।...... ଏଥିରେ ମୁଁ ମୋଟେ ଆଶ୍ଚର୍ଯ୍ୟ ହୋଇନି ।’

 

ମାୟା ଦେଖିଲା ସ୍ୱାମୀ ତାର କୌଣସି କଥାର ପ୍ରତିବାଦ କରିବେ ନାହିଁ, ସବୁକଥା ମାନିନେବେ । ସେ ଆଉ କୌଣସି କଥା ନ କହି ଘର ଭିତରକୁ ଚାଲିଗଲା । ପିଲାଟା କାନ୍ଦୁଛି । ମନ ଟିକେ ନରମ ହୋଇଗଲା । ସ୍ନେହଭରା ସ୍ୱରରେ ପଚାରିଲା, ‘କ’ଣ ହେଇଛି ବାବୁ କାନ୍ଦୁଛୁ କାହିଁକି ।’

 

‘କହିଲି ପରା ଅଲି ତା ସଙ୍ଗେ ଭଲ ବ୍ୟବହାର କରିନି ।’

‘ଡାଆଣୀ ତାକୁ କ’ଣ କରିଚି ।’

‘ନା, ନା, ସେପରି କିଛି ନୁହେଁ । ଟିକିଏ ଠେଲି ଦେଇଥିଲା, ସେଇଥିରେ ବୁଢ଼ା ପଡ଼ିଗଲା-।’

 

ପୁଅକୁ ଦେଖିବା ପାଇଁ ଇଚ୍ଛା ହେଲା ମାୟାର । ଦୌଡ଼ି ଯାଇ ଘର ଭିତରକୁ ପଶିଗଲା ସେ । କିନ୍ତୁ ଘଟଣା ଦେଖି ସ୍ତମ୍ଭିତ ହୋଇ ପଥର ପରି ଠିଆ ହୋଇ ପଡ଼ିଲା ମାୟା । ଟେବୁଲ୍‍ଟା ତଳେ ଓଲଟି ପଡ଼ିଛି । ଗ୍ଲାସ ଥାଳି ସବୁ ତଳେ ଗଡ଼ୁଛି । ମାୟା ଗମ୍ଭୀର ଭାବରେ ପଚାରିଲା, ‘କିଏ ଏଇ ସର୍ବାନାଶ କରିଛି ?’

 

‘କହିଲିପରା ଅଲି ।’

ମାୟା ରୂଢ଼ ଭାବରେ ତାଙ୍କୁ ବାଧା ଦେଇ କହିଲା, ‘ନା, ସତରେ ଆଉ ସହି ହେବନି । ସହିବାର ଗୋଟାଏ ସୀମା ଅଛି । ମୋ ବିଷୟରେ ମୁହଁରେ ଯାହା ମନେ ତାହା କହିବ । ମୁଁ ଯେପରି ଗୋଟାଏ ବେଶ୍ୟା । ମୋ ପିଲାକୁ ମରାମରି କରିବ, ମୋର ଜିନିଷପତ୍ର ଭାଙ୍ଗି ଚୁରମାର କରିବ, ମୋ ଘରକୁ ନରକ କରି ରଖିବ, ଆଉ ତୁମେ ମୁହଁ ବୁଜି ସବୁ ସହିଯିବ । ତୁମର ହାବଭାବ ଦେଖି ମନେହୁଏ ଏସବୁ ତୁମେ ଖୁବ୍ ସ୍ୱାଭାବିକ ବୋଲି ମନେକର ।’

 

‘ମୋଟେ ନୁହେଁ, କରେନାହିଁ ବୋଲି ତ ଅଲିକୁ ବାହାର କରି ଦେଇଛି ।’

‘ସତେ..... ଅଲିକୁ ବାହାର କରିଦେଇଛ କିନ୍ତୁ ତୁମର ତାକୁ ପୋଲିସରେ ଦେବା ଉଚିତ ଥିଲା । ଏସବୁ ଘଟଣାରେ ପୋଲିସ ହାତରେ ଛାଡ଼ିଦେବା ଉଚିତ ।’

 

‘ନା, ତାହା ମୁଁ କରିପାରିବି ନାହିଁ, ଆଉ ମୋଦ୍ୱାରା ତାହା ସମ୍ଭବ ନୁହେଁ । ..... ତାଛଡ଼ା ତାର ଏପରି କୌଣସି କାରଣବି ନ ଥିଲା । ସେଥିରେ ଅନେକ ଅଡ଼ୁଆ ହୋଇଥାନ୍ତା । ମୁହଁରେ ଚୂନ କଳା ଲାଗିଥାନ୍ତା ।’

 

ସ୍ୱାମୀ କଥା ଶୁଣି ମାୟା ନିଜର କାନ୍ଧ ନଚାଇ କହିଲା,

‘ଦେଖୁଛି ତୁମେ କୌଣସି ଦିନ ମଣିଷ ହେବ ନାହିଁ । ଚିରଦିନ ଏହିପରି ଅମଣିଷ ହୋଇ ରହିଯିବ । ମନରେ ଟିକିଏ ସୁଦ୍ଧା ଜୋର ନାହିଁ, ଦୃଢ଼ତା ନାହିଁ, ଉତ୍ସାହ ବା ଉଦ୍ୟମ କିଛି ନାହିଁ-। ତୁମ ଆଦରର ଅଲି ନିଶ୍ଚୟ ତୁମକୁ ଏପରି କିଛି କହିଛି, ଯେଉଁଥି ପାଇଁ ତାକୁ ଏପରି ଭାବରେ ତଡ଼ି ଦେଇଛ । ସେତିକିବେଳେ ଯଦି ମୁଁ ଥାଆନ୍ତି, ଯଦି ଏକ ମିନିଟ୍‌ ପାଇଁ, ତାହେଲେ..... ତାହେଲେ..... ।’

 

ଉତ୍ତେଜନାରେ ମୁହଁରୁ କଥା ବାହାରିଲା ନାହିଁ । ଡ୍ରଇଂ ରୁମ୍‌ର କବାଟ ଖୋଲି ସିଧା ବୁଢ଼ା ପାଖକୁ ଯାଇ ତାକୁ କାଖେଇ ଧରି ତା ମୁହିଁରେ ଚୁମା ଦେଲା । ତାପ‌ରେ ମଧୂର ସ୍ୱରରେ କହିଲା, ‘ବୁଢ଼ା, ଧନ ମୋର କ’ଣ ହୋଇଛି ବାବୁ କାନ୍ଦୁଛୁ କାହିଁକି ?’

 

ବୁଢ଼ା ତାର ଶିଶୁ ଆଖିରେ ଚାରି ଦିଗରେ ଗୋଟାଏ ଅଶୁଭ ଲକ୍ଷଣ ଦେଖିପାରି କହିଲା, ‘ମା, ଅଲି ବାପାଙ୍କୁ ମାରିଛି ।’

 

ଅବାକ୍‌ ହୋଇଗଲା ମାୟା । ଅଲି ତା ସ୍ୱାମୀଙ୍କୁ ମାରିଛି । କୌଣସି ମତେ ବିଶ୍ୱାସ କରି ହେଉନାହିଁ । ସମସ୍ତ ଘଟଣାଟା ତାପକ୍ଷରେ ଖୁବ୍‌ ମଜ୍ଜାର ବୋଲି ମନେହେଲା । ଭାରି ହସ ମାଡ଼ିଲା; କୌଣସି ମତେ ହସ ଚାପି ପାରିଲା ନାହିଁ ମାୟା । ଆଖି ଦୁଇଟି କୌତୁକରେ ଉଚ୍ଛୁଳି ଉଠିଲା, ଓଠରେ ଗୋଟାଏ ବାଙ୍କରେଖା ଦେଖାଗଲା, ନାକପୁଡ଼ା ଫୁଲି ଉଠିଲା, ଶେଷରେ ହସରେ ଫାଟି ପଡ଼ିଲା ସେ । ଭିତରୁ କିଏ ଯେପରି କୁତୁକୁତୁ କରୁଛି । ହସି ହସି ଖୁବ୍‌ ବେଦମ୍‌ ହୋଇଗଲା ସେ । ଚିକ୍‌ଚିକ୍‌ ଦୁଇଧାଡ଼ି ଧଳା ଦାନ୍ତ ଫାଙ୍କରେ ଶ୍ଳେଷାତ୍ମକ ସ୍ୱରରେ କହିଲା । କଥାଗୁଡ଼ିକ ଭାଗବତ ବାବୁଙ୍କୁ ତୀର ପରି ବିନ୍ଧିବାକୁ ଲାଗିଲା ।

 

‘ହାଃ, ହାଃ, ହାଃ ! .....ହାଃ .....ହାଃ ! ଅଲି ମୋ ସ୍ୱାମୀଙ୍କୁ ମାରିଛି । ହାଃ..... ହାଃ..... ହାଃ..... ହାୟରେ କପାଳ ! ହାଃ..... ହାଃ..... ହାଃ ।’

 

ଭାଗବତ ବାବୁ ଆଉ ଚୁପ୍‌ ହୋଇ ରହିପାରିଲେ ନାହିଁ । ପ୍ରତିବାଦ କଲେ; ‘କେବେ ନୁହେଁ, କେବେ ନୁହେଁ । ମିଛକଥା, ମିଛକଥା..... ପ୍ରକୃତରେ ମୁଁ ତାକୁ ଏପରି ଜୋର୍‌ରେ ଡ୍ରଇଁ ରୁମ୍‌କୁ ଠେଲି ଦେଲି ଯେ, ଅଲି ସମ୍ଭାଳି ନପାରି ଟେବୁଲ୍‌ ସଙ୍ଗେ ଧକ୍କା ଖାଇ ମାଟି ଉପରେ ପଡ଼ିଗଲା । ଟେବୁଲ୍‌ଟା ସେଥିପାଇଁ ଓଲଟି ପଡ଼ିଛି । ବୁଢ଼ା ଠିକ୍‌ ଦେଖିପାରିନି । ମୁଁ ବରଂ ରାଗରେ ଅଲି ଉପରକୁ ହାତ ଉଠାଇଥିଲି ।’

 

ମାୟା ବୁଢ଼ାକୁ ପଚାରିଲା, ‘ବୁଢ଼ା, ଅଲି କ’ଣ ବାପାଙ୍କୁ ମାରିଛି ?’

ମାୟା ସଙ୍ଗେ ସଙ୍ଗେ କଥାର ମୋଡ଼ ଘୂରାଇ ନେଇ ଅନ୍ୟ ପ୍ରସଙ୍ଗକୁ ଚାଲି ଆସିଲା ।

‘ଏତେବେଳ ଯାଏ ବୁଢ଼ାତ ଖାଇନି । ବୁଢ଼ା, ତୁ ଏପର୍ଯ୍ୟନ୍ତ ଖାଇନୁ ?’

‘ନା, ନା ।’

 

ତା’ପରେ ଆଉଥରେ ସେ ସ୍ୱାମୀଙ୍କୁ ଆକ୍ରମଣ କରିବାକୁ ଆରମ୍ଭ କଲା, ‘ତୁମେ ପାଗଳ ହୋଇଗଲ ନା କ’ଣ ମୁଣ୍ଡ କ’ଣ ତୁମର ଖରାପ ହୋଇଗଲା ସାଢ଼େ ଆଠଟା ବାଜିଗଲାଣି । ପୁଅ ଏପର୍ଯ୍ୟନ୍ତ ଖାଇ ନାହିଁ, ଏ ଦିଗରେ କ’ଣ ଟିକିଏ ହୋସ ଅଛି ?’

 

ଭାଗବତ ବାବୁ ଆତ୍ମପକ୍ଷ ସମର୍ଥନ କରିବାକୁ ଯଥାସାଧ୍ୟ ଚେଷ୍ଟା କଲେ । ଏଇ ଅପ୍ରତ୍ୟାଶିତ ଦୃଶ୍ୟର ଆକସ୍ମିକତାରେ ସେ ଏତେ ଅଭିଭୂତ ହୋଇପଡ଼ିଥିଲେ ଯେ ସତରେ ତାଙ୍କ ମୁଣ୍ଡ ଠିକ୍‌ ନ ଥିଲା । ଜୀବନର ଏଇ ଅନିର୍ବାର୍ଯ୍ୟ ପରିଣତିରେ ସେ ଏକାଥରେ ଭାଙ୍ଗି ପଡ଼ିଛନ୍ତି । ଶାନ୍ତ ଭାବରେ କହିଲେ, ‘ତୁମକୁ ଛାଡ଼ି ଖାଇ ବସିବାକୁ ଇଚ୍ଛା ମୋର ନ ଥିଲା । ତେଣୁ ଆମେ ତୁମ ପ୍ରତୀକ୍ଷାରେ ବସିଥିଲୁ । ପ୍ରତିଦିନ ତ ତୁମର ଡେରି ହୁଏ, ତେଣୁ ଆମେ ତୁମକୁ ଚାହିଁ ବସିଥିଲୁ ।’

 

ମାୟା ଗୋଟାଏ ଇଜି ଚେୟାର ଉପରେ ବସି ପଡ଼ି ରାଗିଲା ସ୍ୱରରେ କହିଲା, ଏପରି ମଣିଷ ନେଇ ଆଉ ପାରିହେବନି । ଏକାବେଳକେ ଅସହ୍ୟ । କିଛି ବୁଝିପାରିବେ ନାହିଁ, ବୁଝିବାର ଚେଷ୍ଟା ମଧ୍ୟ କରିବେନି । ମୁଣ୍ଡରେ ଏକଦମ କିଛି ନାହିଁ । ନା, ଆଉ ପାରି ପାରିବିନାହିଁ । ଆଛା ଧର ଯଦି ମୁଁ କେଉଁଦିନ ରାତି ବାରଟାରେ ଘରକୁ ଫେରେ, ତାହେଲେ ପୁଅ ଉପାସ ଥିବ ଯେହେତୁ ମୋର ଗଦର୍ଭ ସ୍ୱାମୀଙ୍କ ମୁଣ୍ଡରେ ଟିକିଏ ବୁଝିବା ପରି ବୁଦ୍ଧି ନାହିଁ ଯେ ସାଢ଼େ ସାତଟା ବାଜି ଯାଇଛି, ଏବଂ ହୁଏତ ମୁଁ କେଉଁଠାରେ କୌଣସି କାମରେ ଅଟକି ଯାଇଛି କିମ୍ବା ରାସ୍ତାରେ କୌଣସି ବିପଦରେ ପଡ଼ିଛି.....।’

 

ଭାଗବତ ବାବୁ ଟିକିଏ କମ୍ପି ଉଠିଲେ, ମନେହେଉଛି ଆଉଥରେ ଯେପରି ତାଙ୍କ ରାଗ ଚଢ଼ି ଯାଉଛି, ଆଉ ଯେପରି ସେ ନିଜକୁ ସମ୍ଭାଳି ପାରୁନାହାନ୍ତି । ଏଥର ରାଗରେ କଅଣ ଗୋଟାଏ କରି ବସିବେ । ଏପରି ସମୟରେ ମାଧବ ବାବୁ ଆଗେଇ ଆସି ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଝିରେ ଠିଆ ହେଲେ । ମାୟାଆଡ଼େ ଚାହିଁ କହିଲେ, ‘ଏ ତୁମର ଭାରି ଅନ୍ୟାୟ । ଭାଗୁ କିପରି ଜାଣିବ ଯେ ତୁମର ଏତେ ଡେରି ହେବ ତା’ଛଡ଼ା, ଏତେରାତି ତ ତୁମର କୌଣସି ଦିନ ହୁଏନି । ତାପରେ ପୁଣି ଅଲି ନାହିଁ । ଏସବୁ ଝଂଝଟ ସେ ଏକା ସମ୍ଭାଳିବ କିପରି ?’

 

ମାଧବ ବାବୁଙ୍କ କଥାରେ ମାୟା ଖୁବ୍‌ ରାଗିଗଲା । କହିଲା, ‘ଏସବୁକଥା ଶୁଣିବାକୁ ଚାହେଁନାହିଁ । ତାଙ୍କୁ ଏକେଲା ସବୁ କରିବାକୁ ହେବ । ମୁଁ କିଛି ଜାଣେନି, କରିପାରିବି ନାହିଁ ସଫା କହୁଛି । ସେ ଯାହା ଭଲ ବୁଝିବେ କରନ୍ତୁ ।’ ଏହା କହି ସେ ପାଖ ଘରକୁ ଚାଲିଗଲା ।

 

ପୁଅ ଯେ ଏ ପର୍ଯ୍ୟନ୍ତ କିଛି ଖାଇନାହିଁ, ଏ କଥା ସେ ଯେପରି ଭୁଲିଯାଇଛି ।

 

ମାଧବ ବାବୁ ବନ୍ଧୁଙ୍କୁ ସାହାଯ୍ୟ କରିବାରେ ଲାଗିଗଲେ । ଟେବୁଲ ଉପରୁ ଭଙ୍ଗା କାଚ ଗୋଟାଇ ନେଇ ବାହାରେ ପକାଇ ଦେଲେ । ଥାଳି ବାସନ ସବୁ ଗୋଟାଇ ରଖିଲେ । ବୁଢ଼ାକୁ ଗୋଟାଏ ଚଉକି ଉପରେ ବସାଇ ଦେଲେ । ଭାଗବତ ବାବୁ ଚାକରାଣୀକୁ ଆଦେଶ ଦେଲେ, ‘ଶୀଘ୍ର ଖାଇବାକୁ ଆଣ ।’

 

ଚାକରାଣୀଟି ସବୁ ଦେଖି ଶୁଣି ଖୁବ୍‌ ଆଶ୍ଚର୍ଯ୍ୟ ହୋଇଗଲା । ଏଠାରେ ଏତେ କଥା ହୋଇଯାଇଛି ଅଥଚ ସେ କିଛି ଜାଣେନା । ଯାହେଉ ରୋଷେଇ ଘରୁ ପୁଣି ଖାଇବା ଜିନିଷ ନେଇ ଆସିଲା ।

 

ଭାଗବତ ବାବୁ ପୁଅ ପାଖରେ ବସିଲେ । ଆଜିକାର ଘଟଣାରେ ସେ ଅତ୍ୟନ୍ତ ଉତ୍ତେଜିତ । ନିଜକୁ ବିପନ୍ନ ବୋଧ କରୁଛନ୍ତି ସେ । ପୂଅକୁ ଖୁବ୍‌ ଯତ୍ନର ସହିତ ଖୁଆଇଲେ । ନିଜେ ବି ଖାଇବାକୁ ଚେଷ୍ଟା କଲେ । କିନ୍ତୁ ଖାଇପାରିଲେନି । କିଛି ତଣ୍ଟିରେ ଗଳୁନାହିଁ, ତଣ୍ଟି ଯେପରି ପକ୍ଷାଘାତରେ ପଙ୍ଗୁ ହୋଇଯାଇଛି । ଯାହେଉ, ଅନେକ ଚେଷ୍ଟା କରି କିଛି ଖାଇ ନେଲେ ।

 

ଏତିକିବେଳେ ମାଧବର ମୁହଁକୁ ଭଲରୂପେ ଚାହିଁ ଦେଖିବାକୁ ପ୍ରବଳ ଇଚ୍ଛା ତାଙ୍କ ମଧ୍ୟ‌ରେ ଧୀରେ ଧୀରେ ଜାଗି ଉଠିଲା – ମାଧବ ମୁହଁରେ ବୁଢ଼ାର କୌଣସି ସାଦୃଶ୍ୟ ଅଛି କି ନାହିଁ ଦେଖିବା ପାଇଁ ଗୋଟିଏ ଅସୁସ୍ଥ ମନୋବିକାର ତାଙ୍କ ମଧ୍ୟରେ ଜାଗି ଉଠିଲା । କିନ୍ତୁ କୌଣସିମତେ ମୁହଁ ଟେକି ଚାହିଁପାରୁ ନାହାନ୍ତି – ବୋଧହୁଏ ସାହାସ ପାଉନାହିଁ । ଶେଷରେ ମୁଣ୍ଡ ଟେକି ଦ୍ରୁତ ସୁତୀକ୍ଷ୍ଣ ଶରସନ୍ଧାନୀ ଦୃଷ୍ଟିରେ ଥରେ ଚାହିଁଲେ ମାଧବର ମୁହଁକୁ । କ’ଣ ବା ଦେଖିବାର ଅଛି ଏଇ ମୁହଁଟିକୁ ତ ଶୈଶବ ଅବସ୍ଥାରୁ ଚିହ୍ନନ୍ତି । କିନ୍ତୁ ଆଜି ତାଙ୍କର ମନେହେଲା ଯେପରି ଆଗରୁ କୌଣସି ଦିନ ମାଧବର ମୁହଁ ଭଲରୂପେ ଲକ୍ଷ୍ୟ କରିନାହାନ୍ତି । ତାଙ୍କର ମାନସ ପଟରେ ମାଧବର ଯେଉଁ ଛବି ମୁଦ୍ରିତ ଅଛି ତାହାଠାରୁ ବାସ୍ତବରେ ମାଧବ ଯେପରି ଭିନ୍ନ । ମଝିରେ ମଝିରେ ସେ ବନ୍ଧୁର ମୁହଁକୁ ଅନେଇ ଦେଖୁଛନ୍ତି । ଦେଖୁଛନ୍ତି ତା ମୁହଁର ଛୋଟ ଛୋଟ ରେଖାଗୁଡ଼ିକୁ । ତାର ସାମାନ୍ୟତମ ବୈଶିଷ୍ଟ୍ୟ ମଧ୍ୟରେ ବୁଢ଼ା ସଙ୍ଗେ ଏତେ ଟିକିଏ ସାଦୃଶ୍ୟ ମିଳିବ କି ନାହିଁ । ସଙ୍ଗେ ସଙ୍ଗେ ବୁଢ଼ାର ମୁହଁଟି ଭଲ କରି ଦେଖି ଦେଉଛନ୍ତି – ଏପରି ଭାବରେ ଦେଖୁଛନ୍ତି ଯେ କେହି ଯେପରି ତାଙ୍କ ମନ ମଧ୍ୟରେ ଯେଉଁ ଝଡ଼ ଉଠିଛି, ତାର ଟେର ନ ପାଆନ୍ତି । ପୁଅକୁ ଖୁଆଇବାର ଛଳନା କରି ତାର ମୁହଁଟି ବାରମ୍ବାର ପରୀକ୍ଷା କରି ଦେଖୁଛନ୍ତି ।

 

ଖାଲି ଦୁଇଟି କଥା ତାଙ୍କ କାନରେ ବାଜୁଛି । ‘ପୁଅର ବାପା, ପୁଅର ବାପା ।’ ମୁଣ୍ଡ ମଧ୍ୟରେ ଖାଲି ସେଇ ଦୁଇଟି କଥା ଗୁଣୁ ଗୁଣୁ ହେଉଛି । ଛାତିର ପଡ଼ାଉଠାର ସଙ୍ଗେ ସଙ୍ଗେ ସେଇ ଦୁଇଟି କଥା ତାଙ୍କର ସମସ୍ତ ଚେତନା ମଧ୍ୟରେ ଘୁରି ବୁଲୁଛି । ମୁଣ୍ଡ ଧକ୍‌ଧକ୍‌ କରୁଛି । ଅସହ୍ୟ ଯନ୍ତ୍ରଣାରେ ମୁଣ୍ଡ ଯେପରି ଛିଣ୍ଡି ଯାଉଛି, ଆଖି କାନ ଦେଇ ଯେପରି ନିଆଁ ବାହାରି ଯାଉଛି । ହଁ, ସେଇ ଯେ ଲୋକଟି ତାଙ୍କ ଆଗରେ ଶାନ୍ତ ଶିଷ୍ଟ ଭଦ୍ରଲୋକପରି ବସିଛି ହୁଏତ ସେଇ ତାଙ୍କ ପିଲାର..... ତାଙ୍କ ପ୍ରାଣାଧିକ ବୁଢ଼ାର..... ତାଙ୍କ ଛୋଟ ସ୍ନେହପିତୁଳା ବୁଢ଼ାର ବାପ । ଭାଗବତ ବାବୁ ଆଉ ଖାଇଲେ ନାହିଁ, ଖାଇ ପାରିଲେ ନାହିଁ । ଅସହ୍ୟ ଯନ୍ତ୍ରଣା ଯେପରି ଦେହ ଭିତରଟା କୋରେଇ କୋରେଇ ଖାଉଛି । ଏ ପ୍ରକାର ଯନ୍ତ୍ରଣା ହେଲେ ମଣିଷ ପାଗଳ ହୋଇଯାଏ, ଚିତ୍କାର କରି କାନ୍ଦି ଉଠେ, ମାଟିରେ ଚିତ୍‌ ହୋଇପଡ଼େ, ଆଗରେ ଯାହା ପାଏ ତାହା କାମୁଡ଼ିଧରେ । ଗୋଟାଏ ଛୁରୀ ନେଇ ନିଜ ଛାତିରେ ବସାଇ ଦେଲେ ହୁଏତ ଏ ଜ୍ୱାଳାର ଶେଷ ହେବ, ବିକ୍ଷୁବ୍ଧ ମନରେ ଶାନ୍ତି ଆସିବ, ସେ ବଞ୍ଚିଯିବେ ।

 

ଏପରି କି ବଞ୍ଚାଯାଏ, ପ୍ରତିଦିନ ସକାଳେ ନିଦରୁ ଉଠିବେ, ଖାଇବେ । ରାସ୍ତାରେ ବୁଲିଯିବେ, ସନ୍ଧ୍ୟା ପରେ ଘରକୁ ଫେରି ଆସିବେ, ପୁଣି ଭୋଜନ ଓ ରାତିରେ ନିଦ୍ରା..... ଆଉ ଆହାର, ବିହାର, ସ୍ୱପ୍ନ, ଜାଗରଣରେ ତାଙ୍କ ମନ ମଧ୍ୟରେ ଥିବ ଖାଲି ଗୋଟାଏ ସନ୍ଦେହ..... ‘ମାଧବ ବୁଢ଼ାର ବାପା ।’ ଏଇ ସନ୍ଦେହ ଦୁଃସ୍ୱପ୍ନ ପରି ତାଙ୍କ ବୁକୁ ମଧ୍ୟରେ ଚାପି ହୋଇ ରହିଥିବ । ଏଇ ଶ୍ୱାସରୋଧକାରୀ ସନ୍ଦେହର ବୋଝ ନେଇ କିପରି ସେ ବାଟ ଚାଲିବେ ନା, ସେ ଶକ୍ତି ତାଙ୍କର କୌଣସି ମତେ ରହିବ ନାହିଁ , ପାଦେ ସୁଦ୍ଧା ଚାଲିପାରିବେନି, ଆପେ ଆପେ ପୋଷାକ ପିନ୍ଧି ପାରିବାର ଶକ୍ତି ପର୍ଯ୍ୟନ୍ତ ତାଙ୍କର ରହିବ ନାହିଁ । କୌଣସି କଥା ଭାବିପାରିବେନି । ମୁହଁ ଟେକି କାହା ସଙ୍ଗେ କଥା କହିପାରିବେ ନାହିଁ । ପ୍ରତିଦିନ, ପ୍ରତିଘଣ୍ଟା, ପ୍ରତିମୂହୁର୍ତ୍ତ ଏଇ ଭୀଷଣ ସତ୍ୟକୁ ଜାଣି; ଅନୁମାନ କରି, ତାକୁ ଆବିଷ୍କାର କରିବାକୁ ଚେଷ୍ଟା କରିବେ । ଭାଗ୍ୟର ନିଷ୍ଠୁର ପରିହାସ । ନିଜ ପିଲାର ମୁହଁକୁ ସାହାସ କରି ଚାହିଁପାରିବେନି, ଯେଉଁ ମୁହଁଟି ଦେଖି ତାଙ୍କ ପ୍ରାଣ ଉଲସି ଉଠେ, ସେଇ ମୁହଁ ଆଜି ତାଙ୍କୁ ଥଟ୍ଟା କରିବ ଆଉ ସେଇ ଭୀଷଣ ସନ୍ଦେହ କଣ୍ଟାପରି ତାଙ୍କ ସର୍ବାଙ୍ଗରେ ବିନ୍ଧିବ, ଦେହର ଅସ୍ଥି –ମଜ୍ଜା ପର୍ଯ୍ୟନ୍ତ ଗଳି ଗଳି ଯିବ । ତାଙ୍କୁ ବଞ୍ଚିବାକୁ ହେବ, ଗୋଟିଏ ଘରେ ରହିବାକୁ ହେବ – ବୁଢ଼ା ସଙ୍ଗେ ରହିବାକୁ ହେବ, ବୁଢ଼ାକୁ ଭଲ ପାଇବାକୁ ହେବ । ଅଥଚ ତାକୁ ଘୃଣା କରିବାକୁ ହେବ । ଏହା ଅସମ୍ଭବ । ଏହାର ଗୋଟାଏ ବିହିତ ବ୍ୟବସ୍ଥା ତାଙ୍କୁ କରିବାକୁ ହେବ-। ଶେଷରେ ବୁଢ଼ାକୁ ଘୃଣା କରିବାକୁ ହେବ ହାୟ ଭଗବାନ ! ଏ କି ଅବସ୍ଥାରେ ତୁମେ ପକାଇଲ ଯଦି ଥରେ ଜାଣି ପାରନ୍ତେ ମାଧବ ବୁଢ଼ାର ପିତା, ତା ହେଲେ ସେ ନିଶ୍ଚିନ୍ତ ହୋଇପାରନ୍ତେ । ମନରେ ଶାନ୍ତି ପାଆନ୍ତେ । ଅନ୍ତର୍ଜ୍ଜ୍ୱାଳା ଲିଭି ଯାଆନ୍ତା । ନିଜର ଦୁର୍ଭାଗ୍ୟକୁ ମାନିନେଇ ପାରନ୍ତେ । ଏ ଯନ୍ତ୍ରଣା ସହି ହୋଇ ଯାଆନ୍ତା । କିନ୍ତୁ ଏଇ ସନ୍ଦେହ ମଧ୍ୟରେ ବଞ୍ଚି ରହିବା ଏକାଥରେ ଅସମ୍ଭବ ।

 

ଜାଣି ନ ପାରିଲେ, ପ୍ରତି ମୁହୂର୍ତ୍ତରେ ସେ ଜାଣିବା ପାଇଁ ଚେଷ୍ଟା କରିବେ । ଆଉ ଅସହ୍ୟ ଯନ୍ତ୍ରଣା ତାଙ୍କୁ ଭୋଗ କରିବାକୁ ହେବ । ବୁଢ଼ାକୁ ଆଦର କରିବାକୁ ହେବ, ଚୁମା ଦେବାକୁ ହେବ । ପର ପିଲାକୁ ଆଦର କରି ଚୁମା ଦେବାକୁ ହେବ । ତାକୁ ଆଦର କରି ବୁଲାଇ ନେବାକୁ ହେବ, କାଖ କରିବାକୁ ହେବ, ଭଲ ପାଇବାକୁ ହେବ । ଆଉ ସବୁବେଳେ ସନ୍ଦେହର ଜ୍ୱାଳାରେ ଜଳି ମରିବାକୁ ହେବ । ‘ବୁଢ଼ା ହୁଏତ ମୋ ପିଲା ନୁହେଁ ।’ ମନ ମଧ୍ୟରେ ଏଇ ପ୍ରାଣଘାତୀ ସନ୍ଦେହର ବିଷ ପୁରାଇ କିପରି ସେ ବଞ୍ଚିବେ ତାଠାରୁ ବୁଢ଼ାର ମୁହଁ ନ ଦେଖିବା, ତାକୁ ପରିତ୍ୟାଗ କରିବା ଅନେକ ଗୁଣରେ ଭଲ । ଜନ ବହୁଳ କର୍ମବ୍ୟସ୍ତ ଜନପଥରେ ତାକୁ ଛାଡ଼ିଦେଲେ ଚାଲି ଆସିବା ତାଙ୍କ ପକ୍ଷରେ ଖୁବ୍‌ ଭଲ ହେବ । କିମ୍ବା ଦୂରକୁ, ବହୁ ଦୂରକୁ ଚାଲି ଯିବାକୁ ହେବ, ଯେଉଁଠାରେ କେହି ତାଙ୍କୁ ଚିହ୍ନି ନାହାନ୍ତି, ଜାଣିନାହାନ୍ତି, ଯେଉଁଠାରେ ଏଇ କଳଙ୍କମୟ କଥା ତାଙ୍କୁ ଆଉ ଶୁଣିବାକୁ ହେବ ନାହିଁ ।

 

କବାଟଟା ହଠାତ୍‌ ଖୋଲି ଯିବାରୁ ସେ ଚମକି ଉଠିଲେ । ମାୟା ଘର ଭିତରକୁ ପଶି ଆସି କହିଲା, ‘ମତେ ଭାରି ଭୋକ ହେଉଛି ମାଧବ ବାବୁ ! ତମକୁ ନିଶ୍ଚୟ ଭୋକ ହେଉଥିବ ।’

 

ମାଧବ ବାବୁ ହଁ ନା କିଛି କହିପାରୁନାହାନ୍ତି । ଇତଃସ୍ତତଃ କରୁଛନ୍ତି । ତାପରେ ଥା ଥା ମା ମା ହୋଇ କହିଲେ ‘ଭାରି ଜୋର୍‌ରେ ହେଉଛି ।’

 

ତାପରେ ଦୁହେଁ ଖାଇବାକୁ ବସିଲେ ।

 

ଭାଗବତ ବାବୁ ମନେ ମନେ କହିଲେ, ସେମାନେ ‘କ’ଣ ସତରେ କେଉଁଠାରେ ଖାଇ ଆସିଛନ୍ତି ନା ଗୋପନରେ ଦୁହେଁ କେଉଁଠି ପ୍ରେମ କରୁଥିଲେ ହୁଏତ ସେଇଥି ପାଇଁ ମାୟାର ଏତେ ଡେରି ହେଲା ।’

 

ଦୁହେଁ ବେଶ୍‌ ମନଭରି ଖାଇଲେ । ଭୋକ ହେଉଥିଲା ସେମାନଙ୍କୁ ।

 

ମଝିରେ ମଝିରେ ଦୁହେଁ ମୁରୁକି ମୁରୁକି ହସୁଛନ୍ତି, ଥଟ୍ଟା ତାମ୍‍ସା କରୁଛନ୍ତି । ଭାଗବତ ବାବୁ ଲୁଚି ଲୁଚି ସ୍ତ୍ରୀକୁ ଲକ୍ଷ୍ୟ କରୁଛନ୍ତି ।

 

ମାୟା ପିନ୍ଧିଥିଲା ଦୁଧ ଅଳତା ରଙ୍ଗର ଶାଢ଼ୀ । ସୁନ୍ଦର ଅଳଙ୍କାର ଗୁଚ୍ଛ, ଶୁଭ୍ର ଗ୍ରୀବାଦେଶ ଓ ସୁଢ଼ଳ ହାତ ଦୁଇଟି ତାର ହାଲୁକା ସୁଗନ୍ଧିତ ପୋଷାକର ଆବରଣ ମୁକ୍ତ, ଯେପରି ଅନନ୍ତ ସମୁଦ୍ର ମଧ୍ୟରୁ ଫେନିଳ ଶୁକ୍ତି ଉଙ୍କି ମାରୁଛି ।

 

ଏଇ ହତଭାଗ୍ୟ ଲୋକଟି ସଙ୍ଗେ ମାୟା ଏତେ ସମୟ ଯାଏ କ’ଣ କରୁଥିଲା ଭାଗବତ ବାବୁ ମାନସ ନେତ୍ରରେ ଦେଖିପାରିଲେ – ମାଧବ ତାଙ୍କ ସ୍ତ୍ରୀକୁ ଚୁମ୍ବନ ଦେଉଛି – ଉଚ୍ଛ୍ୱସିତ ଆବେଗରେ ପ୍ରେମ ନିବେଦନ କରୁଛି । ତାଙ୍କ ଆଗରେ ଦୁହେଁ ପାଖାପାଖି ବସିଛନ୍ତି । ଆଖି ଆଗରେ ସେମାନଙ୍କୁ ଦେଖିପାରୁଛନ୍ତି, ଅଥଚ ସବୁ ରହସ୍ୟ ରହସ୍ୟରେ ରହି ଯାଉଛି । କିଛି ସମ୍ପୂର୍ଣ୍ଣରୂପେ ଉଦ୍‌ଘାଟନ କରିପାରୁନାହାନ୍ତି, ଅନୁମାନ ବି କରିପାରୁନାହାନ୍ତି ।

 

ଯଦି ପ୍ରଥମରୁ ସେମାନେ ତାଙ୍କୁ ଠକି ଥାଆନ୍ତି, ତାହେଲେ ସେମାନେ ତାଙ୍କୁ ନେଇକି କି ଥଟ୍ଟା ତାମ୍‍ସା ନ କରିଛନ୍ତି ଏହା କ’ଣ ସମ୍ଭବ । ତାଙ୍କ ବାପା କିଛି ଟଙ୍କା ରଖିଯାଇଛନ୍ତି । ତାହାବୋଲି ତାଙ୍କ ପରି ଜଣେ ସହୃଦୟ ମଣିଷକୁ, ତାଙ୍କ ସରଳ ବିଶ୍ୱାସର ସୁଯୋଗ ନେଇ, ଏମାନେ ବୋକା ବନାଇବେ । ମାଙ୍କଡ଼ ନାଚ ନଚାଇବେ ମଣିଷର ଏଇ ଭଣ୍ଡାମି କାହିଁକି ତାର ଆତ୍ମାରେ ଫୁଟି ଉଠୁନି । ହୃଦୟର ଅନ୍ଧକାର କାହିଁକି ଆତ୍ମାର ଶୁଭ୍ର ଆଲୋକରେ ପ୍ରକାଶ ହେଉନାହିଁ ପବନ କାହିଁକି ତାର ମୁଖା ଖୋଲିଦେଉ ନାହିଁ ଯେଉଁ କଣ୍ଠ ଦେଇ ପବିତ୍ର ମନ୍ତ୍ର ଉଚ୍ଚାରିତ ହୁଏ, ଆଉ ସେଇ କଣ୍ଠରୁ କିପରି ମିଥ୍ୟା କଥା ବାହାରେ, ଯେଉଁ ଆଖିରେ ମଣିଷ ଅକୃତ୍ରିମ ପ୍ରେମର ଦୃଷ୍ଟି ନିକ୍ଷେପ କରେ, ସେଇ ଆଖିରେ ପୁଣି ଏତେ ମିଥ୍ୟା, ଏତେ ଚତୁର ଅଭିନୟ । ଏଇ ଅସଭ୍ୟ ଅକୃତଜ୍ଞ ଦୁନିଆରେ ହୁଏତ ସବୁ ହିଁ ସମ୍ଭବ । ଭାଗବତ ବାବୁ ସେମାନଙ୍କୁ ଲକ୍ଷ୍ୟ କରୁଛନ୍ତି । କୌଣସି ବିଶେଷ ଇଙ୍ଗିତ କିମ୍ବା କୌଣସି କଥା ବା ଅସ୍ୱାଭାବିକ ବଚନ ଭଙ୍ଗୀ କିଛି ଗୋଟାଏ ପାଇଲେ ହେଲା । ହଠାତ୍‌ ଭାବିଲେ, ‘ନା ଏବେ କିଛି ହେବନି । ଆଜି ନିଶ୍ଚୟ ଲୁଚି ଲୁଚି ଏମାନଙ୍କୁ ଧରିବି ।’ ମାୟାକୁ କହିଲେ, ‘ମାୟା, ମୁଁ ଯେତେବେଳେ ଅଲିକି ତଡ଼ିଛି, ଆଜି ରାତିରେ ଗୋଟାଏ ନୂଆ ଚାକରାଣୀ ଠିକ୍‌ କରିବି ମୁଁ । ଏବେ ମୁଁ ବାହାରୁଛି, କାଲି ସକାଳ ଆଗରୁ ନୂଆ ଚାକରଣୀ ଯୋଗାଡ଼ କରିଦେବି । ଫେରୁ ଫେରୁ ବେଶୀ ରାତି ହୋଇପା‌ରେ ।’

 

ମାୟା କହିଲା, ହଁ ଠିକ୍‌ କଥା । ମୁଁ ଏବେ କୁଆଡ଼େ ଯାଉନାହିଁ । ତୁମେ ଫେରି ନ ଆସିବା ପର୍ଯ୍ୟନ୍ତ ଏଇଠାରେ ଆମେ ଅପେକ୍ଷା କରିଚୁ । ମାଧବ ବାବୁ ରହିଲେ, ଆମେ ଦୁହେଁ ବସି ବସି କଥାବର୍ତ୍ତା ହେଉଛୁ । ତୁମେ ଶୀଘ୍ର ଫେରିଆସ ।’

 

ଭାଗବତ ବାବୁ ଉଠି ପଡ଼ିଲେ । ପାଦ ଟଳୁଛି । କାନ ଭାଁ ଭାଁ କରୁଛି । ଆଖିରେ କିଛି ଦେଖାଯାଉନାହିଁ, କାନରେ କିଛି ଶୁଣା ଯାଉନାହିଁ, ଅସହ୍ୟ ଯନ୍ତ୍ରଣାରେ କପାଳ ଟଣ୍ ଟଣ୍ କରୁଛି । ଭୂତ ଗ୍ରାସିଥିବା ମଣିଷପରି ବିଷ୍ଫାରିତ ଶୂନ୍ୟ ଦୃଷ୍ଟି । ଯନ୍ତ୍ରପରି କହିଲେ, ‘ମୁଁ ଆସୁଛି । ପୁଣି ଦେଖାହେବ ।’ ଟଳି ଟଳି ଚାଲିଗଲେ । ସ୍ୱାଭାବିକ ମଣିଷ ପରି ଚାଲି ପାରୁନାହାନ୍ତି । ଥର ଥର କରି ପାଦ କମ୍ପୁଛି । ଭୟ ହେଲା ହୁଏତ ପଡ଼ିଯିବେ । କାନ୍ଥଧରି କୌଣସି ପ୍ରକାର ଘରୁ ବାହାରି ଆସିଲେ । ପାଦତଳୁ ମାଟି ଘୁଞ୍ଚି ଯାଉଛି । ପୃଥିବୀଟା ଯେପରି କମ୍ପୁଛି । ଉତ୍ତାଳ ତରଙ୍ଗଭରା ବିକ୍ଷୁବ୍ଧ ସମୁଦ୍ର ବକ୍ଷରେ କ୍ଷୁଦ୍ର ଜାହାଜ ପରି ଅସହାୟ ଭାବରେ ଦୋହଲୁଛି ।

 

କବାଟ ବନ୍ଦ ହେବାର ଶବ୍ଦ ଶୁଣି ମାୟା ଆଉ ମାଧବ ବାବୁ ଦୁହେଁ ଯାଇଁ ଡ୍ରଇଂରୁମ୍‌ରେ ବସିଲେ । ମାଧବ ବାବୁ କହିଲେ, ‘ତୁମେ କ’ଣ ପାଗଳ ହୋଇଛ କି ତା ନ ହେଲେ ତୁମ ସ୍ୱାମୀକୁ ଏପରି ନିର୍ଯ୍ୟାତିତ କରୁଛ କାହିଁକି ଏହା ତୁମର ନିତାନ୍ତ ଅନ୍ୟାୟ ।’

 

ମାୟା ସଙ୍ଗେ ସଙ୍ଗେ ମାଧବ ବାବୁଙ୍କ ଦିଗରେ କଟମଟ କରି ଚାହିଁ କହିଲା, ‘ସେତିକି ଥାଉ । ଢେର ହୋଇଛି । ତୁମ କଥା ଶୁଣିଲେ ଦେହରେ ନିଆଁ ଲାଗିଯାଏ । ବନ୍ଧୁ ପ୍ରତି ଆଜିକାଲି ତୁମର ଭାରି ଦରଦ ଦେଖୁଛି । କେତେଦିନ ହେଲା ତୁମେ ତାଙ୍କୁ ଟିକିଏ ଉଚ୍ଚ ଧରଣର ସହୀଦ ବୋଲି ଭାବିବାକୁ ଆରମ୍ଭ କରିଛ । ଏହା ତୁମର ଗୋଟାଏ କୁସଂସ୍କାର ହୋଇ ଠିଆ ହେଲାଣି । ଏପରି ପିଲାଳିଆ କଥା ଶୁଣିବାକୁ ମତେ ମୋଟେ ଭଲ ଲାଗେନି । ଦେହରେ ନିଆଁ ଲାଗିଯାଏ ।’

 

ମାଧବ ବାବୁ ଗୋଟାଏ ଇଜି ଚେଆରରେ ବସିପଡ଼ି କହିଲେ ‘ସହୀଦ ହିସାବରେ ଭାଗବତକୁ ମୁଁ ମୋଟେ ଟେକି ଧରିନି । ଆଉ ଏ ପ୍ରକାର ଅଦ୍ଭୁତ କଳ୍ପନା ଶକ୍ତି ବି ମୋର ନାହିଁ । କିନ୍ତୁ ଟିକିଏ ସ୍ଥିରହୋଇ ଆମ ଅବସ୍ଥାଟା ଥରେ ଭାବି ଦେଖ ତ । ଆମର ବିପଦଜନକ ଅବସ୍ଥା କଥା ଜାଣିଶୁଣି ଭାଗବତକୁ ଏପରି ଭାବରେ ରଗେଇବା, ଦିନରାତି ତା ସଙ୍ଗେ କଟ୍‍କଟ୍‍ ହେବା ମୋଟେ ଉଚିତ ନୁହେଁ ।’

 

ମାୟା କହିଲା, ବାଃରେ, ମୁଁ ପୁଣି କେତେବେଳେ ତାଙ୍କ ସଙ୍ଗେ କଟ୍‍କଟ୍‍ ହେଲି ଗୋରୁଟାକୁ ଦେଖିଲେ ମୋର ସର୍ବାଙ୍ଗ ଜଳିଯାଏ । ଗୋରୁର ଯେଉଁପରି ବ୍ୟବହାର ପାଇବା ଉଚିତ ମୁଁ ଠିକ୍‌ ସେହିପରି ତାକୁ ଦିଏ । ତା’ଠାରୁ ବେଶୀ କିଛି କରେନା । ମିଛରେ ମତେ ଦୋଷ ଦେଉଛ କାହିଁକି ?’

 

ମାଧବ ବାବୁ ଅଧୈର୍ଯ୍ୟ ହୋଇପଡ଼ିଲେ । ଟିକିଏ ରାଗିଲାପରି କହିଲେ, ‘ତୁମେ ଠିକ୍‌ ଗୋରୁପରି କାର୍ଯ୍ୟ କରୁଛ । ସବୁ ମାଇପେ ସମାନ । ବୁଦ୍ଧିସୁଦ୍ଧି ବୋଲି କୌଣସି ପଦାର୍ଥ ତୁମମାନଙ୍କର ନାହିଁ । ଭଗବାନ ଯେ କେଉଁ ଧାତୁରେ ତୁମମାନଙ୍କୁ ଗଢ଼ିଛନ୍ତି, ତାହା ମୁଁ ବୁଝିପାରୁନାହିଁ । ଭାଗବତ ଭଲ ଲୋକ, ଦୟାଳୁ, ଆଉ ହୃଦୟବାନ ମଣିଷ । ସମସ୍ତଙ୍କୁ ବିଶ୍ୱାସ କରେ ବୋଧହୁଏ ବହୁତ ବେଶୀ ବିଶ୍ୱାସ କରେ । ତାର ସରଳ ବିଶ୍ୱାସକୁ ବୋକାମୀ ମଧ୍ୟ କୁହାଯାଇପାରେ । କିନ୍ତୁ ଭାବତ ଥରେ ତାର ଚରିତ୍ର ଆଉ ବ୍ୟବହାରର କଥା । ତୁମକୁ କେତେ ସ୍ୱାଧୀନତା ସେ ଦେଇଛି – ସେ କଥା କୌଣସି ଦିନ ଭାବି ଦେଖିଛ କି ତା ଛଡ଼ା ମୁଁ ଯେତେବେଳେ ମନେ ସେତେବେଳେ ଆସେ, ତୁମେ ଯେତେବେଳେ ମନେ ସେତେବେଳେ ମୋ ସଙ୍ଗେ ବାହାରକୁ ଯାଅ ଯେତେବେଳେ ଖୁସି ଘରକୁ ଫେର । ସେତ କୌଣସି ଦିନ ଆମ ବିଷୟରେ ଗୋଟିଏ କଥା ବି କହେ ନାହିଁ, ଆଉ ଆମକୁ ଏତେ ଟିକିଏ ସନ୍ଦେହ ବି କରେନାହିଁ । ଆମେ ତ ଅତ୍ୟନ୍ତ ସ୍ୱାଧୀନ, ସେ ତ ମୁହୂର୍ତ୍ତକ ପାଇଁ ଆମକୁ ବିରକ୍ତ କରିବାକୁ ଆସେନାହିଁ । ତୁମେ ଯେତେବେଳେ ଯାହା ଖୁସି ତାହା କରୁଛ । ଅଥଚ ରାତିଦିନ ତୁମେ ତା ପିଛା ଲାଗିଛ । ବାକ୍ୟ ଯନ୍ତ୍ରଣା‌ରେ ବିଚରାକୁ ଅତିଷ୍ଠ କରି ତୋଳୁଛ । କିନ୍ତୁ ମନେରଖ, ସେ ବି ମଣିଷ, ଦିନେ ନା ଦିନେ ତାର ଘୁମନ୍ତ ପୌରୁଷ ଜାଗି ଉଠିବ ତାର – ନିର୍ଯ୍ୟାତିତ, ଲାଞ୍ଛିତ ପୌରୁଷ ସେଦିନ ଆମକୁ ଭାଙ୍ଗି ଟିକି ଟିକି କରି ମଇଳା ଗଦାରେ ପକାଇ ଦେବ । ଆଉ ସେଇ ସର୍ବନାଶର ଦିନ ତୁମେ ହିଁ ଡାକି ଆଣୁଛ ।’

 

ମାୟା ଆଉଥରେ କଟ୍‍ମଟ୍‍ କରି ମାଧବ ବାବୁଙ୍କଆଡ଼େ ଚାହିଁ କହିଲା, ‘କହିଲି ପରା ତୁମର ଏସବୁ କଥା ମତେ ମୋଟେ ଭଲ ଲାଗୁନି ବୋଲି । ଆଉ ମୋର ଧୈର୍ଯ୍ୟ ନାହିଁ । ଭାରି ଲଜ୍ଜାର କଥା ଯେ ତୁମେ ସେଇ ଗଧଟାକୁ ଭୟ କର । ତୁମେ କାପୁରୁଷ । ସବୁ ପୁରୁଷ ସମାନ । ତୁମେ ସବୁ କାପୁରୁଷ ।’

 

ମାଧବ ବାବୁ ତୀକ୍ଷ୍ଣ ସ୍ୱରରେ କହିଲେ, ‘ମୁଁ ଜାଣିବାକୁ ଚାହେଁ ସେ ତୁମର କି କ୍ଷତି କରିଛି କାହିଁକି ତୁମେ ଦିନରାତି ତା ପଛରେ ଲାଗିଛ । ତୁମକୁ କ’ଣ ସେ ସୁଖରେ ରଖିନି ତୁମକୁ କ’ଣ ମାର୍‍ଧର୍‍ କରେ, ତୁମକୁ ପ୍ରତାରିତ କରି କଅଣ ସେ ଅନ୍ୟ କୌଣସି ସ୍ତ୍ରୀଲୋକ ସଙ୍ଗେ ଗୋପନରେ ପ୍ରେମ କରୁଛି, ମୁଁ ଜାଣେ, ତୁମେ ବି ଠିକ୍‌ ଜାଣ । ଏଥିରୁ କୌଣସିଟି ସେ କରେନାହିଁ । ତେବେ ତୁମେ କାହିଁକି ତାକୁ ଏପରି କଷ୍ଟ ଦେଉଛ, କାହିଁକି ତାର ଜୀବନକୁ ଦୁର୍ବିସହ କରି ତୋଳୁଛ, ତାର ଭଲ ପଣିଆର ସୁଯୋଗ ନେଇ ଏପରି କରିବା ଭାରି ଅନ୍ୟାୟ । ତା’ ଛଡ଼ା ତୁମେ ନିଜେତ ବ୍ୟଭଚାରିଣୀ, ତୁମେ ତା’ ସଙ୍ଗେ ବିଶ୍ୱାସ ଘାତକତା କରିଛ, ତୁମର ବିବେକ ପ୍ରତି ମୁହୂର୍ତ୍ତରେ ତୁମକୁ ଦଂଶନ କରୁଛି, ତେଣୁ ତୁମେ ବି ଦିନରାତି ତୁମ ସ୍ୱାମୀକୁ କାମୁଡ଼ି ଛିଣ୍ଡାଇ ଟିକ୍‍ଟିକ୍‍ କରି ନିଜ ଉପରେ ପ୍ରତିଶୋଧ ନେଉଛ ।’

 

ମାୟା ମାଧବ ବାବୁଙ୍କ ନିକଟକୁ ଆଗେଇ ଗଲା । କଟ୍‍ମଟ୍‍ କରି ଚାହିଁ ରହିଲା, ତା’ର ଆଖି ଦେଇ ଯେପରି ନିଆଁ ବାହାରି ପଡ଼ୁଛି, ଆଉ ସେଇ ନିଆଁର ଶିଖା ମାଧବ ବାବୁଙ୍କ ସର୍ବାଙ୍ଗ ଲେହନ କରୁଛି । କେତୋଟି ମୁହୂର୍ତ୍ତ ପରେ କହିଲା, ‘ବାଃ, ଶେଷରେ ତୁମେ ମୋର ଦୋଷ ଦେଉଛ ମୁଁ ତାକୁ ଠକୁଚି, ଏ କଥା ତୁମେ କହି ପାରିଲ କି ଅସହ୍ୟ ତୁମ ମନଟା ଦେଖୁଛି ଦୁନିଆରେ ସବୁ ସମ୍ଭବ ।’

 

ମାଧବ ବାବୁ ଲଜ୍ଜାରେ ମୁଣ୍ଡ ତଳକୁ କରି ବସି ରହିଲେ । ଆତ୍ମପକ୍ଷ ସମର୍ଥନ କରିବାର ଚେଷ୍ଟାକରି କହିଲେ, ‘ମୁଁ ତୁମର ଦୋଷ ଦେଉନି । ମୁଁ ଖାଲି କହିବାକୁ ଚାହେଁ, ତୁମେ ତୁମ ସ୍ୱାମୀ ସଙ୍ଗେ ଭଲ ବ୍ୟବହାର କର । ତା’ ବିଶ୍ୱାସ ଉପରେ ଆମର ଅସ୍ତିତ୍ୱ ବଜାୟ ଅଛି । ଏତିକି ମନେରଖିଲେ ହିଁ ଯଥେଷ୍ଟ । ଆଉ ମୋର କିଛି କହିବାର ନାହିଁ ।’

 

ମାଧବ ବାବୁ ଆଉ ମାୟା ସାମନାସାମନି ଠିଆ ହୋଇଛନ୍ତି । ଖୁବ୍‌ ପାଖକୁ ପାଖ ଠିଆ ହୋଇଛନ୍ତି, ପରସ୍ପରର ନିଶ୍ୱାସ ପରସ୍ପର ଦେହରେ ବାଜୁଛି । ମାଧବ ବାବୁ ଲମ୍ବା । ଦେହର ରଙ୍ଗ ଟିକିଏ ମଇଳା । ଲମ୍ବା ଲମ୍ବା ନିଶ । ହାବଭାବ ଚଳଣିରେ ସୁରୁଚିର ଅଭାବ ଆଖିରେ ପଡ଼େ । କିନ୍ତୁ ସେ ଅତ୍ୟନ୍ତ ସୁଦର୍ଶନ । ନିଜ ସମ୍ବନ୍ଧରେ ତାଙ୍କର ଖୁବ୍‌ ଉଚ୍ଚ ଧାରଣା । ମାୟା ମୋଟା, ଅଳ୍ପ ଉଚ୍ଚା ରଙ୍ଗ ସଫା । ମୋଟାମୋଟି ତାକୁ ‘ସୁନ୍ଦରୀ’ ବୋଲି କୁହାଯାଇପାରେ । ଅଳ୍ପ ଦୋକାନଦାରୀ ଭାବ ଓ ଅଳ୍ପ ଚଟୁଳତା ଅଛି । ଦୋକାନର ଦୁଆର ମୁହଁରେ ଠିଆ ହୋଇ ଗ୍ରାହକମାନଙ୍କୁ ଦୃଷ୍ଟି ବାଣରେ ଶୀକାର କରି ସାଦରେ ଭିତରକୁ ନେଇଯିବାର କାଇଦା ତାକୁ ବେଶ୍‌ ଜଣାଥିଲା । ଏଇଭାବରେ ହଠାତ୍‌ ଦିନେ ତାର ବିବାହ ହୋଇଗଲା । ସାଧାସିଧା ସରଳ ପ୍ରକୃତିର ଏକ ଭଦ୍ରଲୋକ ପ୍ରତିଦିନ ସକାଳେ ବାହାରିବା ସମୟରେ ତାକୁ ଦେଖିଯାଆନ୍ତି, ଆଉ ଫେରିବାବେଳେ ପ୍ରତିଦିନ ତା’ସଙ୍ଗେ ଦେଖାହୁଏ । ଏହିପରି ଦୁହିଁଙ୍କ ଭିତରେ ଚିହ୍ନା ପରିଚୟ ହୁଏ; ତାପରେ ଦିନେ ବିବାହ ମଧ୍ୟ ହୋଇଯାଏ ।

 

ମାୟା କହିଲା, ‘ଦେଖୁଛି ତୁମେ ବି ଗୋଟାଏ ଗଧ । ସେ ମୋତେ ବାହା ହୋଇଛି, ମତେ ଟଙ୍କା ଜୋର୍‍ରେ କିଣି ରଖିଛି ବୋଲି ମୁଁ ତାକୁ ଘୃଣା କରେ । ତାର ପ୍ରତ୍ୟେକ କଥା, ପ୍ରତ୍ୟେକ କାର୍ଯ୍ୟ, ତାର ଚିନ୍ତା ଭାବନା - ସବୁ ମୋ ସ୍ନାୟୁ ଉପରେ ପ୍ରତିକ୍ରିୟା ସୃଷ୍ଟି କରେ । ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ତାର ଜଡ଼ତା ଯାହାକୁ ତୁମେ କହ ଦମ୍ଭ, ତାର ନିର୍ବୁଦ୍ଧିତା ତୁମ ମତରେ ଯାହା ବିଶ୍ୱାସ, ମତେ ଆଘାତ କରେ । ମୁଁ ସହିପାରୁନାହିଁ, ସର୍ବାଙ୍ଗ ହୁହୁ କରି ଜଳିଉଠୁଛି । ମୋ ମନ ବିଦ୍ରୋହ କରିଉଠୁଛି । ତାଛଡ଼ା ସବୁଠାରୁ ଯାହା ବଡ଼, ତୁମ ଜାଗାରେ ତାକୁ ବସାଇବାକୁ ମୁଁ ବାଧ୍ୟ ହୋଇଛି, ତୁମ ପରିବର୍ତ୍ତେ ତା ଗଳାରେ ମାଳା ଦେଇଛି । ଏଇ ଅସହ୍ୟ ଯନ୍ତ୍ରଣା ଦିନରାତି କଣ୍ଟାପରି ମତେ ବାନ୍ଧୁଛି । ଯଦିଓ ସେ ଆମର କୌଣସି କାର୍ଯ୍ୟରେ ନ ଥାଏ, ଆମର କୌଣସି କାର୍ଯ୍ୟରେ ବାଧା ଦିଏନି, ନିଜର ଅଧିକାର ଦାବି କରେନା, ତେବେବି ଏଇ ନିରୀହ ଦୁର୍ବଳ ମନୁଷ୍ୟକୁ ସର୍ବଦା ମୁଁ ଆମ ମଝିରେ ଦୁର୍ଲଂଘ୍ୟ ପ୍ରାଚୀର ପରି ଅନୁଭବ କରେ । ମନେହୁଏ ତା’ପାଇଁ ଆମେ ଗୋଟାଏ ଆତଙ୍କ ମଧ୍ୟରେ ବାସ କରୁଛୁ, ତା’ପାଇଁ ଆମେ ଦୁହେଁ ଦୁହିଁଙ୍କୁ ସମ୍ପୂର୍ଣ୍ଣରୂପେ ନିଜର କରିପାରୁନାହୁଁ । ତାଛଡ଼ା..... ତାଛଡ଼ା..... ଏହା ଏକାବେଳେକେ ଅସହ୍ୟ । ଆମକୁ ସେ ଏତେଟିକିଏ ସୁଦ୍ଧା ସନ୍ଦେହ ବି କରେନାହିଁ, ସେ ଶକ୍ତି ମଧ୍ୟ ସେ ଗଧଟାର ନାହିଁ । ତାକୁ ମୁଁ ସ୍ୱାମୀ ବୋଲି ଭାବି ମଧ୍ୟ ପାରେନି । ଅଥଚ ସେ ଯେ ମୋର ସ୍ୱାମୀ, ଏହି ଅନିବାର୍ଯ୍ୟ ନିଦାରୁଣ ସତ୍ୟ ସ୍ୱୀକାର ନ କରି ଉପାୟ ନାହିଁ । ଏକଥା ମନେପଡ଼ିଲେ ମୋର ଦେହ ବିଷେଇ ଉଠେ । ମଝିରେ ମଝିରେ ମନେହୁଏ ଗଧର କାନ ଦୁଇଟା ଧରି ଚିତ୍କାର କରି କୁହନ୍ତି, ତମର କ’ଣ ଆଖି ନାହିଁ ଦେଖି ପାରୁନା ମାଧବ ବାବୁଙ୍କୁ ମୁଁ ଭଲପାଏ ଲୋକଟା ଯଦି ମୋତେ ଟିକିଏ ମାତ୍ର ସନ୍ଦେହ କରନ୍ତା, ରାଗ ହୁଅନ୍ତା, ଇର୍ଷା କରନ୍ତା, ସ୍ୱାମୀତ୍ୱର ଅଧିକାର ଦାବି କରନ୍ତା, ତାହେଲେ ହୁଏତ ତାକୁ ମତେ ଏତେ ଖରାପ ଲାଗୁ ନ ଥାନ୍ତା ।’

 

ମାଧବ ବାବୁ ହସି ହସି କହିଲେ, ‘ଆପାତତଃ ଟିକିଏ ଧୈର୍ଯ୍ୟ ଧରି ଚୁପ୍‌ ରହ । ଆମ ଜୀବନରେ ଅଶାନ୍ତିକୁ ଡାକି ଆଣନି ।’

 

ମାୟା କହିଲା, ‘ନା, ତାହା କରିବିନି । ଏତେ ବୋକା ଝିଅ ମୁଁ ନୁହେଁ । ଏ ବିଷୟରେ ତୁମେ ନିଶ୍ଚିନ୍ତ ରହିପାର । କିନ୍ତୁ ଗଧଟାକୁ ପୁଣି ଭୟ କାହିଁକି କିନ୍ତୁ ତାକୁ ମୁଁ କେତେ ଘୃଣାକରେ, ତା’ ମୁହଁ ଦେଖିବା ମୋ ପକ୍ଷରେ କେତେଦୂର ବିରକ୍ତିକର, ତାହା ତୁମେ ବୁଝିନ – ତାହା ତୁମର କଳ୍ପନାତୀତ । ତୁମକୁ ତ ତାକୁ ଭଲ ଲାଗେ । ତାକୁ ତୁମେ ସାଦର ଅଭ୍ୟର୍ଥନା କର । ପୁରୁଷଗୁଡ଼ିକ ମଝିରେ ମଝି‌ରେ କିପରି ରହସ୍ୟମୟ ହୋଇଉଠନ୍ତି ।’

 

କିନ୍ତୁ ମଝିରେ ମଝିରେ ଅଭିନୟ କରିବା ଦରକାର, ଏହା ସମସ୍ତେ ଜାଣି ରଖିବା ଉଚିତ-

 

‘କିନ୍ତୁ ଏଇଟା ଅଭିନୟ କରିବା ବା ନ କରିବାର ପ୍ରଶ୍ନ ନୁହେଁ । ଏହା ହୃଦୟର ପ୍ରଶ୍ନ, ଅନୁଭୂତିର କଥା । ତୁମେ ପୁରୁଷମାନେ ଯେତେବେଳେ ଅନ୍ୟପୁରୁଷକୁ ଠକ, ମନେହୁଏ ତୁମେ ତାକୁ ପସନ୍ଦ କର, ତା ପ୍ରତି ତୁମର ସହାନୁଭୂତି ଥାଏ, ତାକୁ ତୁମେ ଭଲପାଅ । କିନ୍ତୁ ଆମେ ଝିଅମାନେ ଅନ୍ୟ ଜାତିର, ଏକାଥରେ ଅନ୍ୟଧାତୁରେ ଗଢ଼ା । ଯେଉଁ ମୁହୂର୍ତ୍ତରେ ଆମେ କୌଣସି ପୁରୁଷକୁ ଠକାଇବାକୁ ଆରମ୍ଭ କରୁ, ସେଇ ମୁହୂର୍ତ୍ତରୁ ଆମେ ତାକୁ ଘୃଣାକରୁ, ସେତିକିବେଳୁ ଆମେ ତାର ଚରମ ଶତ୍ରୁ ହୋଇଯାଉ । ଏଠାରେ ଆମେ ତୁମପରି ଅଭିନୟ କରିପାରୁନାହିୁଁ । ସିଧା ଆମନ୍ତ୍ରଣ କରୁ, ତାକୁ ଆଘାତ କରୁ ।’

 

କିନ୍ତୁ ଅନ୍ୟ ସ୍ତ୍ରୀକୁ ଗୋପନରେ ପ୍ରେମ କରିଛି ବୋଲି, ତାକୁ କାହିଁକି ଘୃଣା କରିବି ।’

 

‘ନା ତୁମେ ବୁଝିବ ନାହିଁ । କୌଣସି ମତେ ନୁହେଁ । ପୁରୁଷ ଜାତିଟା ଏହିପରି । ତୁମମାନଙ୍କର କାହାର ସୂଷ୍ମ ଅନୁଭୂତି ନାହିଁ, ତୁମେ ସବୁ ସ୍ଥୂଳ । ଏହା ହୃଦୟ ଦେଇ ଉପଲବ୍ଧ କରିବାର ଜିନିଷ, ଅନ୍ତରରେ ଅନୁଭବ କରିବାକୁ ହୁଏ । ତର୍କ କରି, ଯୁକ୍ତି ଦେଇ ବୁଝାଯାଏନା । ଭାଷାରେ ପ୍ରକାଶ କରାଯାଏନା । ତା ଛଡ଼ା ତୁମର ଉଚିତ ବି ନୁହେଁ..... ତୁମକୁ ଏସବୁ କଥା କହି କୌଣସି ଲାଭ ନାହିଁ । ତୁମେ ବୁଝିପାରିବ ନାହିଁ । ପୁରୁଷ ଜାତିଟାର କୌଣସି ସୂଷ୍ମ ଅନୁଭୂତି ନାହିଁ । ସମ୍ବେଦନଶୀଳ ମନ ବି ତୁମର ନାହିଁ ।’

 

ମାୟା କଥା ଶେଷ କରି ମୁରୁକି ମୁରୁକି ହସିବାକୁ ଲାଗିଲା । ବ୍ୟଭିଚାରିଣୀ ସ୍ତ୍ରୀଲୋକର ମୃଦୁ ଭର୍ତ୍ସନା ମିଶିଥିଲା ସେଇ ହସରେ । ତାପରେ ନିଜର କୋମଳ ହାତ ଦୁଇଟି ମାଧବ ବାବୁଙ୍କ କାନ୍ଧ ଉପରେ କଣି ଯୌବନର ସୁଧାଭାଣ୍ଡ ପ୍ରଣୟୀର ମୁହଁ ପାଖକୁ ଟେକି ଧରିଲା । ମାଧବ ବାବୁ ଟିକିଏ ନଇଁପଡ଼ି ତାର ଲହୁଣୀ ପରି କୋମଳ ଦେହକୁ ଦୁଇ ହାତରେ ଚାପି ଧରିଲେ । ତାପରେ ଦୁହିଁଙ୍କର ଓଷ୍ଠାଧାର ମିଳିତ ହେଲା ଗୋଟିଏ ଚୁମ୍ବନରେ । ଆଲିଙ୍ଗନବଦ୍ଧ ହୋଇ ଅଧରକୁ ଅଧର ସ୍ପର୍ଶ କରି ସେମାନେ ଠିଆ ହୋଇଛନ୍ତି, ଏପରି ସମୟରେ ପଛରେ କିଏ ଯେପରି ହଲି ଉଠିଲା ।

 

କୌଣସି ଶବ୍ଦ ଶୁଣିପାରିନାହାନ୍ତି ସେମାନେ । କବାଟ ଖୋଲିବାର ଶବ୍ଦ ସେମାନେ ଶୁଣିବାକୁ ପାଇନାହାନ୍ତି । ହଠାତ୍‌ ମାୟା ଆତଙ୍କିତ ହୋଇଉଠିଲା, ଯେପରି ଭୂତ ଦେଖିଛି ସେ । ଦୁଇ ହାତରେ ମାଧବ ବାବୁଙ୍କୁ ଠେଲି ଦୂ‌ରେଇ ଦେଲା । ଭାଗବତ ବାବୁଙ୍କୁ ଏତେବେଳକେ ଦୁ‌ହେଁ ଦେଖିବାକୁ ପାଇଲେ । ସେ ସେମାନଙ୍କ ଦିଗରେ ଚାହିଁଛନ୍ତି । ତାଙ୍କ ଆଖି ଦୁଇଟି ହିଂସ୍ରଜନ୍ତୁ ପରି ଧକ୍‌ଧକ୍‌ କରି ଜଳୁଛି । ରାଗରେ ସର୍ବାଙ୍ଗ ଥର ଥର କରି କମ୍ପୁଛି ।, ପାଦରେ ଜୋତା ନାହିଁ । ଥରେ ମାୟାଆଡ଼େ, ଥରେ ମାଧବଆଡ଼େ ଅନେଇଲେ ସେ । ଆଖି ଦୁଇଟି ବିଦ୍ୟୁତ୍‌ ପରି ଦ୍ରୁତ ଗତିରେ ଘୁରିବାକୁ ଲାଗିଲା । ତାଙ୍କୁ ଦେଖି ମନେହେଲା ସେ ପାଗଳ ହୋଇ ଯାଇଛନ୍ତି । ମୁହଁରେ ଗୋଟିଏ ସୁଦ୍ଧା ଶବ୍ଦ ନାହିଁ । ହଠାତ୍‌ ବାଘ ପରି ମାଧବ ବାବୁଙ୍କ ଉପରକୁ ଝାମ୍ପି ପଡ଼ିଲେ । ଏପରି ଜୋର୍‌ରେ ତାଙ୍କୁ ଚାପି ଧରିଲେ ଯେ, ଯେପରି ଗଳା ଚିପି ମାରି ପକାଇବେ । ତାପରେ ଭୀଷଣ ଜୋର୍‍ରେ ମାଧବ ବାବୁଙ୍କୁ ଘରର ଅନ୍ୟ ଦିଗକୁ ଠେଲି ଦେଲେ। ମାଧବ ବାବୁ ଆଉ ଠିଆ ହୋଇପାରିଲେନି, ଟଳି ଟଳି କାନ୍ଥ ସଙ୍ଗେ ଜୋର୍‌ରେ ଧକ୍କା ଖାଇଲେ । ମୁଣ୍ଡଟା ଠକ୍‌ କରି କାନ୍ଥରେ ବାଡ଼େଇ ହୋଇଗଲା ।

 

ସ୍ୱାମୀ ତାର ପ୍ରଣୟୀକୁ ଖୁନ୍‌ କରିବାକୁ ଉଦ୍ୟତ ହେଉଛନ୍ତି ଦେଖି ମାୟା ଆଉ ଚୂପ୍‌ ରହିପାରିଲାନି । ବାଘପରି ସ୍ୱାମୀର ଦେହ ଉପରକୁ ଡେଇଁପଡ଼ି ଦୁଇହାତରେ ତାଙ୍କ ବେକ ଚିପି ଧରିଲା । ହାତର ନଖ ବସିଯାଇ ଭାଗବତ ବାବୁଙ୍କ ଗଳାରୁ ଝର ଝର କରି ରକ୍ତ ବୋହିବାକୁ ଲାଗିଲା । ମାୟା ତାର ସମସ୍ତ ଶକ୍ତି ଦେଇ ସ୍ୱାମୀଙ୍କୁ ଚାପି ଧରି ତାଙ୍କ ବେକକୁ କାମୁଡ଼ି ଦେଲା । ଭାଗବତ ବାବୁଙ୍କ ନିଶ୍ୱାସ ବନ୍ଦ ହୋଇଯିବା ଉପରେ । ମାଧବ ବାବୁଙ୍କୁ ସେ ଛାଡ଼ିଦେଲେ । ମାୟା ସେ ପର୍ଯ୍ୟନ୍ତ ତାଙ୍କୁ ଛାଡ଼ି ନାହିଁ, ଠିକ୍‌ ପୂର୍ବପରି ମାଡ଼ି ବସିଛି । ସ୍ତ୍ରୀର ଅଣ୍ଟାରେ ହାତ ଦେଇ ତାକୁ ଜୋରରେ ଠେଲି ଦେଲେ ।

 

ସାଧାରଣତଃ ଭଲ ଲୋକମାନଙ୍କର ରାଗ ସହଜରେ ଶାନ୍ତ ହୋଇଯାଏ । ତାଙ୍କ ରାଗ ବି ବେଶୀ ସମୟ ସ୍ଥାୟୀ ହେଲାନାହିଁ । ରାଗ ଶାନ୍ତ ହେବା ପରେ ପରେ ତାଙ୍କ ଦେହ ବି ନିସ୍ତେଜ ହୋଇଗଲା ।

 

ଭାଗବତ ବାବୁ ଠିଆ ହୋଇଛନ୍ତି । କ୍ଲାନ୍ତ ଅବସନ୍ନ ଦେହ, ମନ ହତାଶାରେ ମୂହ୍ୟମାନ, ଶୂନ୍ୟ ଦୃଷ୍ଟି । ମୁଣ୍ଡରେ କିଛି ପଶୁନାହିଁ । ଏହାପରେ କ’ଣ କରିବେ କିଛି ଜାଣନ୍ତି ନାହିଁ । ପରାଭୂତ ମଣିଷର କରୁଣ ମୂର୍ତ୍ତି ପରି ଚାହିଁ ରହିଛନ୍ତି । ତାଙ୍କର ପୈଶାଚିକ ତାପମାତ୍ରା ଅନେକ ତଳକୁ ଖସି ଆସିଛି । ଯେଉଁ ଟିକକ ଧସ୍ତାଧସ୍ତି କରିଛନ୍ତି, ସେଥିରେ ହିଁ ସମସ୍ତ ତାପ ଶେଷ ହୋଇ ଯାଇଛି । ବୁଦ୍‌ବୁଦ୍‌ ପରି ତାଙ୍କର ସମସ୍ତ ସାହାସ, ସମସ୍ତ ଉଦ୍ୟମ ଶେଷ ହୋଇଯାଇଛି । ଚେତନା ଫେରି ଆସିବାରୁ କହିଲେ ‘ବାହାରି ଯାଅ, ବାହାରି ଯା.....ମୋ ଘରୁ । ବର୍ତ୍ତମାନ ହିଁ ବର୍ତ୍ତମାନ ।’ ମାଧବ ବାବୁ କାନ୍ଥରେ ଭରା ଦେଇ ପଥର ପରି ଚୁପ୍‌ ହୋଇ ଠିଆ ହୋଇଛନ୍ତି । ଘଟଣାର ବୈଦ୍ୟୁତିକ ଆକସ୍ମିକତାରେ ସେ ଅତ୍ୟନ୍ତ ଅଭିଭୂତ, ସଂଜ୍ଞାହୀନ । କିଛି ବୁଝିପାରୁନାହାନ୍ତି । ଅନ୍ଧକାର ଭବିଷ୍ୟତ ମଧ୍ୟରେ ଦୃଷ୍ଟି ହଜିଯାଇଛି । ମନେହେଉଛି, ଗୋଟାଏ ଭୟଙ୍କର ଭୂମିକମ୍ପରେ ପୃଥିବୀଟା ଭାଙ୍ଗି ଟିକି ଟିକି ହୋଇଯାଇଛି । ଚାରିଦିଗରେ ଧୂଳି ଆଉ ଧୂଆଁ, ନିଃଶ୍ୱାସ ବନ୍ଦ ହୋଇଯାଉଛି । ନିରନ୍ଧ୍ର ଅନ୍ଧକାରରେ ପୃଥିବୀ ମଗ୍ନ । କେଉଁଠାରେ ଟିକିଏ ସୁଦ୍ଧା ଆଲୋକ ନାହିଁ, ଟିକିଏ ସୁଦ୍ଧା ପବନ ନାହିଁ-। ଖୁବ୍‌ ଭୟ ପାଇଛନ୍ତି ସେ । ଟିକିଏ ହଲିବାର ସାହସ ମଧ୍ୟ ନାହିଁ । ଏପଟେ ଛୋଟ ଟେବୁଲ ଉପରେ ହାତ ଦୁଇଟି ରଖି ଆଗକୁ ଝୁଙ୍କି ମାୟା ଠିଆ ହୋଇଛି । ଆଲୁଳାୟିତ କେଶ ପିଠି ଉପରେ ପଡ଼ିଛି । ବ୍ଲାଉଜ୍‌ର ବୋତାମଗୁଡ଼ିକ ଖୋଲି ଯାଇଛି । ବଡ଼ିସ ଘୁଞ୍ଚି ଯାଇଛି । ଅନାବୃତ୍ତ ବକ୍ଷ, ସରମ ସଙ୍କୋଚ ହୀନ । ମାୟା ଏତେ ଉତ୍ତେଜିତ ଯେ ନାରୀର ସ୍ୱାଭାବିକ ଲଜ୍ଜା ଟିକକ ବି ହରାଇ ବସିଛି । ଦୁଇଜଣ ପୁରୁଷ ଆଗରେ ଅଥଚ ଲୁଗାପଟା ସଜାଡ଼ି ନେବାର କୌଣସି ପ୍ରୟୋଜନ ସେ ମନେକରୁନାହିଁ । ପୈଶାଚିକ ଉନ୍ନତ୍ତତା, ଅମାନୁଷିକ ପ୍ରତିହିଂସା ପରାୟଣତା ତାର ନାରୀତ୍ୱର ସମସ୍ତ ସମସ୍ତ ମାଧୂର୍ଯ୍ୟ, ସମସ୍ତ ଲାବଣ୍ୟ ଗ୍ରାସ କରିଦେଇଛି । ହିଂସ୍ର ପଶୁପରି ଆଖି ଦୁଇଟି ତାର ଜଳୁଛି । କ୍ରେଧରେ, ଉତ୍ତେଜନାରେ ଥର ଥର କରି କମ୍ପୁଛି । ବର୍ତ୍ତମାନ ବୋଧହୁଏ, ଭାଗବତ ବାବୁଙ୍କ ଉପରେ ଝାମ୍ପି ପଡ଼ି ତାଙ୍କୁ ତୀକ୍ଷ୍ଣ ନଖ ଦାନ୍ତରେ ଛିଣ୍ଡାଇ ଟିକ୍‌ଟିକ୍‌ କରିଦେବ ।

 

ଭାଗବତ ବାବୁ ଚିତ୍କାର କରି ଉଠିଲେ, ‘ବାହାରି ଯା.....ବାହାରି ଯା କହୁଚି ମୋ ଘରୁ...... ବର୍ତ୍ତମାନ ବାହାରି ଯା । ତୁମମାନଙ୍କ ମୁହଁ ଦେଖିବାକୁ ଚାହେଁନି । ଏବେବି ଠିଆ ହେଇଚ ମୋ ଆଗ‌ରେ ଏତେଦୂର ସ୍ପର୍ଦ୍ଧା । ମାରିଦେବି କହୁଚି ।’

 

ତାଙ୍କର ବର୍ବର ରାଗ ଅନେକ କମି ଆସିଚି ଦେଖି ମାୟାର ସାହାସ ବଢ଼ିଗଲା । ଦୁଇପାଦ ଆଗେଇ ଆସି କହିଲା, ‘ତୁମ ମୁଣ୍ଡ ଖରାପ ହୋଇଯାଇଛି ନା କ’ଣ ? କ’ଣ ହୋଇଛି, ଅକାରଣରେ ଏତେ ରାଗିବାର କାରଣ କ’ଣ ।

 

ସହିବାର ମଧ୍ୟ ଗୋଟାଏ ସୀମା ଅଛି । ସ୍ତ୍ରୀର ସୀମାହୀନ ସ୍ପର୍ଦ୍ଧାରେ ତାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ଦୂରନ୍ତ କ୍ରୋଧ ତାଙ୍କୁ ଆବୋରି ବସିଲା । ଆଉ ସହିପାରିଲେ ନାହିଁ । ବିଧା ଉଞ୍ଚାଇ ସ୍ତ୍ରୀକୁ ମାରିବାକୁ ଆଗେଇଗଲେ । ଚିତ୍କାର କରି କହିଲେ, ‘ଓଃ..... ଏତେଦୂର ସ୍ପର୍ଦ୍ଧା ! ଅସହ୍ୟ । ମୁଁ ସବୁ ଶୁଣିଛି..... । ନିଜ କାନରେ ଶୁଣିଛି । ଆଉ ମତେ ଠକାଇ ପାରିବୁନି ମାଗିଖାଇ ।

 

ବାହାରି ଯା ମୋ ଘରୁ । ତୁମେ ଦୁହେଁ ସଇତାନ । ଏ ଘରେ ଆଉ ଏକ ସେକେଣ୍ଡ ତୁମ ପାଇଁ ଜାଗା ହେବନି । ପୁଣି ଠିଆ ହୋଇଚ ବାହାରି ଯା କହୁଚି ।...ନ ହେଲେ...। ନ ହେଲେ ଦୁହିଁଙ୍କୁ ହାଣିଦେବି । .....ଯା .....ଯା.....।

 

ମାୟା ବୁଝିପାରିଲା ଏଠାରୁ ତାର ଅନ୍ନ ଏଥର ଉଠିଲା । ସ୍ୱାମୀ ସବୁ ଜାଣିପାରିଛନ୍ତି । ଏବେ ଆଉ ଭଲ ମଣିଷ ସାଜିବାର କୌଣସି ମାନେ ହୁଏନା । ସେ ଚେଷ୍ଟା ବି ବୃଥା । ଶତଚେଷ୍ଟା କଲେବି ଏବେ ଆଉ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବା ସମ୍ଭବ ନୁହେଁ । ସ୍ୱାମୀର ଆଦେଶ ମୁତାବକ ଏ ଘର ଛାଡ଼ି ଯିବାକୁ ହେବ । ଏ ପ୍ରକାର ବିପଜ୍ଜନକ ଅବସ୍ଥାରେ ତାର ପୈଶାଚିକ ସ୍ପର୍ଦ୍ଧା, ବର୍ବର, ଔଦ୍ଧତ୍ୟ ଆଉଥରେ ଜାଗି ଉଠିଲା । କ୍ରୋଧୋନ୍ମତ୍ତ ସ୍ୱାମୀ ପ୍ରତି ମନରେ ତାର ଅସୀମ ଘୃଣା, ଏଇ ଘୃଣା ହିଁ ତାକୁ ବନ୍ୟ ପଶୁପରି ହିଂସ୍ର, ଉଦ୍ଧତ କରି ତୋଳୁଛି । ସ୍ୱାମୀକୁ ଅଗ୍ରାହ୍ୟ କରିବାର ସାହାସ ଜଗାଉଛି । ପାଟି କରି କହିଲା, ‘ଆସ ମାଧବ ବାବୁ, ସେ ଯେତେବେଳେ ଆମକୁ ତଡ଼ି ଦେଉଛନ୍ତି, ଚାଲ ତୁମ ସଙ୍ଗେ ତୁମ ଘରକୁ ଯିବା ।’

 

ମାଧବ ବାବୁ କିନ୍ତୁ ଟିକିଏ ସୁଦ୍ଧା ହଲଚଲ ହେଉନାହାନ୍ତି । ଭାଗବତ ବାବୁଙ୍କର ପୁଣି ରାଗ ଚଢ଼ିଗଲା । ଚିତ୍କାର କରି ଉଠିଲେ, ‘ଯା, ବାହାରି ଯା ମୋ ଘରୁ ।.....ସଇତାନ୍‌, ବଦ୍‌ମାସ.....। ବାହାର ଏଠୁ..... ନ ହେଲେ.....ନ ହେଲେ.....ହାଣି ପକାଇବି ।’ ଏହା କହି ଗୋଟାଏ ଚେଆର ଉଠାଇ ବୁଲାଇବାକୁ ଲାଗିଲେ ସେ ।

 

ଧୀରେ ଧୀରେ ଆଗେଇ ଯାଇ ମାୟା ପ୍ରଣୟୀଙ୍କ ହାତ ଧରି କାନ୍ଥ ପାଖରୁ ଟାଣି ଆଣିଲା । ତାପରେ ଟାଣି ଟାଣି ତାଙ୍କୁ କବାଟ ଯାଏ ନେଇ ଆସି କହିଲା, ‘ଆସ ବନ୍ଧୁ.....ଚାଲିଆସ-। ଲୋକଟା ପାଗଳ ହୋଇଗଲାଣି । ଏଠାରେ ଆଉ ମୁହୂର୍ତ୍ତେ ସୁଦ୍ଧା ନୁହେଁ । ଚାଲିଆସ ।’ ଯାଉ ଯାଉ ଆଉଥରେ ଫେରି ଆସିଲା । ସ୍ୱାମୀର ଘର ଛାଡ଼ି ଚାଲିଯିବା ଆଗରୁ, କିପରି ତାଙ୍କୁ ଆଘାତ ଦେବ, କିପରି ତାଙ୍କ ଉପରେ ଚରମ ପ୍ରତିଶୋଧ ନେବ, ଏଇ ପ୍ରକାର ନାନା ଚିନ୍ତା ତା ମନରେ । ହଠାତ୍‌ ମନରେ ଗୋଟାଏ ଦୁଷ୍ଟ ମତଲବ ଆସିଲା । ବିଶ୍ୱାସଘାତିନୀ ସ୍ତ୍ରୀଲୋକମାନଙ୍କ ମୁଣ୍ଡରେ ଏଇ ପ୍ରକାର ମତଲବ ବେଶୀ ଖେଳେ । ଦୃଢ଼ ଭାବରେ କହିଲା, ‘ମୋ ପୁଅକୁ ମୁଁ ନେଇଯିବି ।’

 

ଭାଗବତ ବାବୁ ହଠାତ୍‌ ଚମକି ପଡ଼ିଲେ, ମୁହଁରୁ ଭଲ କରି କଥା ବାହାରିଲା ନାହିଁ, ଥଥମତ ହୋଇ କୌଣସି ପ୍ରକାର କହିଲେ, ‘ତୋର.....ତୋର.....ପିଲା ‘ମୋ ପୁଅ’ ବୋଲି କହିବାକୁ ଲାଜ ଲାଗୁନାହିଁ .....ତୁ ପୁଣି ପୁଅକୁ ଦାବି କରୁଛୁ, ସ୍ପର୍ଦ୍ଧାତ କମ୍‌ ନୁହେଁ ।.....ଖୁବ୍‌ ବଢ଼ି ବଢ଼ି କଥା କହୁଚୁ । ପୁଣି ଠିଆ ହେଲୁ ବାହାର.....। ବାହାରି ଯାଅ ଶୀଘ୍ର ।’

 

ହସି ହସି ମାୟା ଆଗେଇ ଆସିଲା । ମୁହଁରୁ ଦୁଷ୍ଟ ହସ, ପ୍ରତିହିଂସା ଚରିତାର୍ଥ କରିବାର ପୈଶାଚିକ ହସ । ସ୍ୱାମୀର ଅସ୍ତିତ୍ୱ ପର୍ଯ୍ୟନ୍ତ ଉପେକ୍ଷା କରି ଉଦ୍ଧତ ଭାବରେ ତାଙ୍କ ଆଗରେ ଠିଆ ହୋଇ କହିଲା, ‘ମୋ ପୁଅକୁ ମୁଁ ଚାହେଁ । ତାକୁ ଅଟକାଇବାର କୌଣସି ଅଧିକାର ତୁମର ନାହିଁ । କାହିଁକି ଜାଣ କାରଣ ସେ ତୁମର ପୁଅ ନୁହେଁ । ବୁଢ଼ା ମାଧବ ବାବୁଙ୍କ ପୁଅ । ବୁଝିପାରୁଛ ।’

 

ଭାଗବତ ବାବୁ ଉତ୍ତର ଦେଲେ, ‘ସବୁ ତୋର ଜାଲିଆତି ।’

ମାୟା କହିଲା, ତୁମେ ଗୋଟାଏ ନିପଟ ଗଧ । ତୁମ ଛଡ଼ା ପୃଥିବୀ ସାରା ଲୋକେ ଏ ଖବର ଜାଣନ୍ତି । ମୁଁ ବୁଢ଼ାର ମା’, ମୁଁ କହୁଚି ଏଇ ଭଦ୍ରଲୋକ ବୁଢ଼ାର ବାପା । ତାଙ୍କ ମୁହଁକୁ ଥରେ ଚାହିଁଲେ ସବୁ ବୁଝିପାରିବ ।’

 

ଭାଗବତ ବାବୁଙ୍କ ମୁଣ୍ଡ ଉପରେ ଯେପରି ଆକାଶ ଛିଣ୍ଡି ପଡ଼ିଲା । ଟଳି ଟଳି ଟିକିଏ ପଛେଇ ଆସି ହଠାତ୍‌ ବୁଲି ଠିଆ ହେଲେ । ତାପରେ ଦୌଡ଼ିଯାଇ ପାଖ ଘରୁ ବୁଢ଼ାକୁ ନେଇ ଆସିଲେ । ହଠାତ୍‌ ନିଦ ଭାଙ୍ଗି ଯିବାରୁ ସେ ଭୟରେ କାନ୍ଦି ଉଠିଲା । ମାୟାର ବେକ ଉପରେ ତାକୁ ପକାଇ ଦେଇ ପାହାଚଆଡ଼କୁ ଠେଲି ଦେଲେ ତାକୁ । ପାହାଚ ପାଖରେ ମାଧବ ବାବୁ ଅପେକ୍ଷା କରି ରହିଥିଲେ ।

 

ସେମାନେ ବାହାରି ଯିବାପ‌ରେ ସେ ଧଡ଼୍‌କରି କବାଟ ବନ୍ଦ କରି ଶିଙ୍କୁଳି ଲଗାଇଦେଲେ-। ତାପରେ ଡ୍ରଇଂ ରୁମ୍‌ରୁ ଯାଇ ତଳେ ପଡ଼ିଗଲେ ।

 

ଜୀବନର ଏଇ ଆକସ୍ମିକ ପରିବର୍ତ୍ତନରେ ଭାଗବତ ବାବୁ ଅଭିଭୂତ ହୋଇପଡ଼ିଛନ୍ତି । କିଛି ଭାବିବା ପାଇଁ ମନର ଅବସ୍ଥା ନାହିଁ । କେତେକ’ଣ ଘଟିଗଲା, କୁଆଡ଼େ ଯାଉଛନ୍ତି, କ’ଣ ଏହାର ପରିଣତି, ଏଇସବୁ ଦାର୍ଶନିକତତ୍ତ୍ୱ ତାଙ୍କ ମନରେ ଦିନକ ପାଇଁ ସୁଦ୍ଧା ଉଦୟ ହୋଇନି ।

 

ସଙ୍ଗୀହୀନ, ପ୍ରେମହୀନ, ଆଲୋକ ହୀନ ଜୀବନର ଅଭିଶାପ ସେ ମଥା ପତାଇ ଗ୍ରହଣ କରି ନେଇଛନ୍ତି । ସ୍ୱୀକାର କରି ନେଇଛନ୍ତି ନିଷ୍ଠୁର ଭବିଷ୍ୟତକୁ । ସଂସାରରେ କାହାପ୍ରତି ତାଙ୍କର କୌଣସି ଅଭିଯୋଗ ନାହିଁ । ଏପରିକି ଯେଉଁମାନେ ତାଙ୍କ ଜୀବନର ଆଲୋକ ଲିଭେଇ ଦେଉଛନ୍ତି, ପବନକୁ ବିଷାକ୍ତ କରି ତୋଳିଛନ୍ତି, ସେମାନଙ୍କ ପ୍ରତିବି ତାଙ୍କର କୌଣସି ବିଦ୍ୱେଷ ନାହିଁ, ସମସ୍ତଙ୍କୁ ସେ କ୍ଷମା ଦେଇଛନ୍ତି । ପଥ ଉପରୁ ଦିନେ ସଂସାରର ମୋହରେ ପ୍ରେମର ଆକର୍ଷଣରେ, ସନ୍ତାନ ମଧ୍ୟରେ ଅମରତ୍ୱ ଲାଭ କରିବାର ଦୁରାଶାରେ ଘରକୁ ଆସିଥିଲେ । ନୀଡ଼ ବାନ୍ଧିଥିଲେ ପ୍ରେମର ସ୍ନିଗ୍ଧତାରେ । କିନ୍ତୁ ନୀଡ଼ ବାନ୍ଧିଲେ, ଯେ ବାଡ଼ ଦେବାକୁ ହୁଏ, ତାକୁ ଯେ ମଜଭୂତ କରି ଗଢ଼ିବାକୁ ହୁଏ, ଏ ଧାରଣା ତାଙ୍କର ନ ଥିଲା । ଭୁଲର ଚୋରାବାଲିରେ ଗଢ଼ିଥିଲେ ନୀଡ଼, ସ୍ୱପ୍ନ ଦେଇ ତାକୁ ଘେରାଇ ରଖିଥିଲେ । ଭଲପାଇବାର ଲାବଣ୍ୟରେ ଭରି ଦେଇଥିଲେ ପ୍ରତ୍ୟେକ ଇଟା, ଠକା କିନ୍ତୁ ହଠାତ୍‌ ଦିନେ ପ୍ରଚଣ୍ଡ ଝଡ଼ ଆସି ଭାଙ୍ଗି ଦେଇଗଲା ତାଙ୍କ ତାସର ଘର । ନଷ୍ଟନୀଡ଼ର ଧ୍ୱଂସସ୍ତୂପ ମଧ୍ୟରେ ସେ ନିଜର ତୀବ୍ର ହାହାକାର ଶୁଣିପାରିଲେ । ପ୍ରାଣ ହାହାକାର କରି ଉଠିଲା, ଘର ଛାଡ଼ି ପୁଣି ପଥଉପରକୁ ଚାଲି ଆସିଲେ । ଆଗରେ ଅନନ୍ତ ପଥ, ଉଦାର, ଉନ୍ମକ୍ତ । କିନ୍ତୁ ଶାନ୍ତି କାହିଁ, ମୁକ୍ତି କାହିଁ, ପ୍ରେମର ଆଲୋକ କାହିଁ ।

 

ସେ ଏକା ଥାଆନ୍ତି, ସମ୍ପୂର୍ଣ୍ଣ ଏକା । ଆଉଥରେ ପ୍ରାକ୍‌ ବିବାହିତ ଜୀବନକୁ ଫେରି ଆସିଛନ୍ତି । ବାହାରେ ବାହାରେ ଘୁରି ବୁଲନ୍ତି; ଆଗପରି ବାହାରେ ହୋଟେଲରେ ଖାଆନ୍ତି ।

 

ଲୋକ ନିନ୍ଦାକୁ ସେ ଭାରି ଭୟ କରନ୍ତି, ଚେଷ୍ଟାକରି ଏଡ଼ାଇ ଚାଲନ୍ତି । ସ୍ତ୍ରୀ ପାଇଁ ମାସିକ ଭତ୍ତାର ବନ୍ଦୋବସ୍ତ କରି ଦେଇଛନ୍ତି । ମାୟା ସଙ୍ଗେ ଆଉ କୌଣସି ପ୍ରକାର ସମ୍ବନ୍ଧ ନାହିଁ । ମନରୁ ତାକୁ ପୋଛି ପକାଇଛନ୍ତି ।

 

କିନ୍ତୁ ବୁଢ଼ାକୁ ମୁହୂର୍ତ୍ତକ ପାଇଁବି ଭୁଲି ପାରନ୍ତି ନାହିଁ । ମନର ଅଭ୍ୟନ୍ତରକୁ କେତେବେଳେ ଯେ ସେ ପଶିଯାଇଛି । ତାହାର ଟେର୍‍ ସେ ପାଆନ୍ତି ନାହିଁ । ଦିନରାତି ଖାଲି ଗୋଟାଏ ଚିନ୍ତା.....। ବୁଢ଼ା..... ବୁଢ଼ା..... ବୁଢ଼ା ।

 

ରାତିରେ ଘରେ ଯେତେବେଳେ ଏକୁଟିଆ ଥାଆନ୍ତି ଚମକି ପଡ଼ନ୍ତି । ମନେହୁଏ, ବୁଢ଼ା ଆସିଛି, ବାପା, ବାପା ବୋଲି ଡାକୁଛି । ଉତ୍ତେଜନାରେ ନାଡ଼ି ଦ୍ରୁତ ବେଗରେ ଛୁଟି ଚାଲେ, ଆନନ୍ଦର ଆତିଶଯ୍ୟରେ ପିଲାଙ୍କ ପରି ଡେଇଁ ପଡ଼ନ୍ତି । ଝରକା କବାଟ ଖୋଲି ଚାରିଦିଗରେ ଅନାଇ ଦେଖନ୍ତି-। ହୁଏତ ସେ ଫେରିଆସିଛି । କୁକୁର ବିଲେଇ ମାନେତ ମଝିରେ ମଝିରେ ଛୁଟି ଆସନ୍ତି ମା’ ପାଖରୁ-। ମଣିଷ, ଶିଶୁ କ’ଣ ପଶୁଠାରୁ ହୀନ ।

 

ଭୁଲ ଭାଙ୍ଗିଯାଏ, ବୁଝିପାରନ୍ତି ବୁଢ଼ା ଆସିନି । ସେ ଏବେ ତା’ ମା’ ପାଖରେ । ତା’ ମା’ ତାକୁ ଆସିବାକୁ କାହିଁକି ଦେବ ଦୁଆର ବନ୍ଧ କରି ଚେଆର ଉପରେ ବସି ପଡ଼ନ୍ତି । ତାଙ୍କର ବୁକୁଫଟା ଦୀର୍ଘଶ୍ୱାସରେ ବାୟୁମଣ୍ଡଳ ଗୋଟାଏ ଅବ୍ୟକ୍ତ ବ୍ୟଥାରେ ଗୁମରି ଉଠେ ହତାଶାରେ, ବେଦନାରେ, ଅର୍ଦ୍ଧ ମୃତ ପରି ବସିରହନ୍ତି । ବସିରହି ବୁଢ଼ା କଥା ଭାବନ୍ତି । ଯେତେ ଚେଷ୍ଟା କରନ୍ତି ଅତୀତକୁ ଭୁଲିଯିବାକୁ, କିଛି ଭୁଲିପାରନ୍ତି ନାହିଁ । ଅତୀତ ଯେପରି ମୁଖର ହୋଇଉଠେ, କେତେକଥା କୁହେ ତାଙ୍କ କାନରେ ।

 

ବୁଢ଼ା ପାଇଁ ମନ ବ୍ୟାକୁଳ ହୋଇଉଠେ । ମିନିଟ ପରେ ମିନିଟ, ଘଣ୍ଟା ପରେ ଘଣ୍ଟା କଟିଯାଏ । ଦିନ ପରେ ରାତି ହୁଏ । ରାତି ପରେ ଭୋର ହୁଏ । ସୂର୍ଯ୍ୟ ଉଠେ । ପୃଥିବୀ ରଙ୍ଗୀନ ସ୍ୱପ୍ନରେ ଝଲ ମଲ କରି ଉଠେ । କିନ୍ତୁ ତାଙ୍କ ଜୀବନରେ ଖାଲି ଅନ୍ଧକାର ସାନ୍ଧ୍ର ଅନ୍ଧକାର । ବିଚିତ୍ରବର୍ଣ୍ଣା ସୁରଭିତ ପ୍ରକୃତି ତାଙ୍କ ନିକଟରେ ଚିରଦିନ ପାଇଁ ଲିପ୍ତ ।

 

ବୁଢ଼ାକୁ ଫେରାଇ ଆଣିବାକୁ ଚାହାନ୍ତି । ତା’ପାଇଁ ଦିନରାତି ମନ ଝୁରି ମରେ । ମୁହୂର୍ତ୍ତକ ପାଇଁ ତାକୁ ଭୁଲିପାରନ୍ତି ନାହିଁ । ଏହା ଖାଲି ତାଙ୍କ ଆଧ୍ୟାତ୍ମିକ କାମନା ନୁହେଁ । ଦେହ ଓ ମନର ଉଗ୍ର ସ୍ନେହ -କ୍ଷୁବ୍ଧା । ବୁଢ଼ାକୁ ଚୁମା ଦେବା ପାଇଁ, କୋଳରେ ଧରି ଆଦର କରିବା ପାଇଁ, ତାକୁ ଆଣ୍ଠୁରେ ବସାଇ ନଚାଇବା ପାଇଁ ତାଙ୍କର ତୀବ୍ର ବ୍ୟାକୁଳତା ଜାଗିଉଠେ । ଉଗ୍ର ନିଶାରେ ମାତାଲ ବିଭୋର ହେଲାପରି ସେ ବିଭୋର । ଅନୁଭବ କରନ୍ତି ବୁଢ଼ା ଆସିଛି । ତାଙ୍କ ବେକକୁ ଧରି ଚୁମା ଦେଉଛି । ତାର ଛୋଟ ଛୋଟ ନରମ ବାଳ ତାଙ୍କ ଗାଲ ଉପରେ ଆସି ପଡ଼ିଚି । ବେଶ୍‌ ସଲ ସଲ ଲାଗୁଛି । ବୁଢ଼ାର କେତେକଥା ତାଙ୍କର ମନେପଡ଼େ । ପିତୃହୃଦୟର ଉଗ୍ରମାଦକତା ତାଙ୍କୁ ଅସ୍ଥିର କରେ । ପୁଅକୁ ଫେରି ପାଇବା ପାଇଁ ମନ ହାହାକାର କରିଉଠେ । ବେଦନାରେ ସମସ୍ତ ଶରୀର ବ୍ୟଥିତ ହୋଇଉଠେ ।

 

ଦିନରେ ଶହେଥର ନିଜକୁ ନିଜେ ପ୍ରଶ୍ନ କରନ୍ତି ମୁଁ କ’ଣ ତେବେ ବୁଢ଼ାର ବାପା ତା’ ନ ହେଲେ ତା’ ପାଇଁ ମୋ ମନ ଏପରି ବ୍ୟସ୍ତ ହେଉଚି କାହିଁକି ରକ୍ତର ଟାଣ ନ ଥିଲେ ଏପରି ହେବା ଅସମ୍ଭବ ।

 

ରାତିରେ ବିଛଣାରେ ଶୋଇ ଶୋଇ ଏପରି ସବୁ ସମ୍ଭବ ଅସମ୍ଭବ କଥା କେତେ କ’ଣ ଭାବନ୍ତି । ଭାବନାର ଶେଷ ନାହିଁ ।

 

ଅସରନ୍ତି ଭାବନା ହାତରୁ କୌଣସି ମତେ ଆଉ ମୁକ୍ତି ନାହିଁ । ଚିନ୍ତା ଜାଲରେ ଆବଦ୍ଧ ହୋଇ ତାଙ୍କ ପ୍ରାଣ କମ୍ପିଉଠେ । ନିଶ୍ୱାସ ବନ୍ଦ ହୋଇଆସେ । ତାପରେ କେତେବେଳେ ଶୋଇପଡ଼ନ୍ତି । ସେ ଦିନଟା ପାଇଁ ରକ୍ଷା ପାଆନ୍ତି ।

 

ମାୟା ଚାଲିଯିବା ପରେ ପ୍ରଥମେ ପ୍ରଥମେ ତାଙ୍କ ମନରେ ବୁଢ଼ା ମାଧବବାବୁଙ୍କ ପିଲା ବୋଲି କୌଣସି ସନ୍ଦେହ ନ ଥିଲା । କିନ୍ତୁ କ୍ରମେ କ୍ରମେ ତାଙ୍କର ସନ୍ଦେହ ହେବାକୁ ଲାଗିଲା । ହୁଏତ ମାୟା ମତେ ଠକାଇଛି । ମିଛ କଥା କହି ମତେ ଭୁଲ ବୁଝାଇଛି । ମତେ ପାଗଳ କରିବା ପାଇଁ ହୁଏତ ସେ ଏ କାର୍ଯ୍ୟ କରିଛି । ଅସମ୍ଭବ ନୁହେଁ ସବୁ ସମ୍ଭବ ହୋଇପାରେ । ଧୀର ହୋଇ ସବୁକଥା ବିଚାର କଲେ ତାହା ହିଁ ମନେହୁଏ । ହଁ ନିଶ୍ଚୟ ସେ ମିଛ କହୁଛି ।

 

କିନ୍ତୁ ସତ ଘଟଣାଟା କିପରି ଜଣାଯିବ ମାଧବ ହୁଏତ ଜାଣିଥିବ । ସେ ହୁଏତ ସତକଥା କହିପାରେ । କିନ୍ତୁ ଏକଥା ତାକୁ କିପରି ପଚରାଯିବ ଆଉ ସେ’ବା ରାଜିହେବ କାହିଁକି ?

 

ବେଳେବେଳେ ରାତି ଅଧରେ ନିଦ ଭାଙ୍ଗିଯାଏ ।

Unknown

ସଂକଳ୍ପ କରନ୍ତି, ମାଧବ ପାଖକୁ ଯିବି । ତାକୁ ଯାଇ ପଚାରିବି ତାର ଯାହା ଦରକାର କହ, ମୁଁ ତାହା ଦେବି । ମତେ ସବୁକଥା ଖୋଲିକରି କହ । ଏପରି ମତେ ଜାଳିପୋଡ଼ି ମାରନା । ଆଉ ମୁଁ ସହିପାରୁନି ।

 

ହତାଶ୍‍ ହୋଇ ଆଉଥରେ ଶୋଇପଡ଼ନ୍ତି ।

ନା, ସେ କ’ଣ କେବେ ସତ କହିବ । ମାୟା ପରି ସେ ବି ମିଛକଥା କହିବ । କାଳେ ମୁଁ ମୋ ପିଲାକୁ ଛଡ଼ାଇ ଆଣିବି ସେଇଥି ପାଇଁ । ସେ ବି ମତେ ପ୍ରତାରିତ କରିବ । କ’ଣ ଯେ କରିବି-। କିଛି କରିବାର ନାହିଁ ।

 

ବୋକାପରି କି ଭୁଲ ନ କରିଛି । କାହିଁକି ଏଇ ସର୍ବନାଶ, ଡାକି ଆସିଲି ଭାବିଚି, ଧୀରେ ସୁସ୍ଥେ ଯାହା ହେଉ ଗୋଟାଏ କିଛି କହିଥିଲେ ହୋଇଥାନ୍ତା । ଦୁଇମାସ ଚୁପ୍‌ ରହିଥିଲେ ଘଟଣାଟା ସହଜରେ ଜଣାପଡ଼ିଥାନ୍ତା । ବୋକାସାଜି ରହିବା ମୋର ଉଚିତ ଥିଲା । ମୁଁ ଯେ ସେମାନଙ୍କୁ ମୋଟେ ସନ୍ଦେହ କରେନାହିଁ, ଏହିପରି ଭାବରେ ରହିବା ଉଚିତ ଥିଲା । ତା ହେଲେ ଠିକ୍‌ ଧରାପଡ଼ି ଯାଇଥାନ୍ତା ।

 

ମାଧବ ବୁଢ଼ାକୁ ଚୁମା ଦେଉଛି ଏତିକି ମାତ୍ର ଦେଖି ପାରିଥିଲେ ଯଥେଷ୍ଟ ହୋଇଥାନ୍ତା । ବନ୍ଧୁ କ’ଣ କେବେ ବାପପରି ଚୁମା ଦେଇପାରେ, ଆଦର କରିପାରେ ବାପର ଅନ୍ତରର ଆବେଗ ସେ କିପରି ପାଇବେ ନା, କି ଭୁଲ ହୋଇଗଲା । କବାଟ ଉହାଡ଼ରେ ରହି ସେମାନଙ୍କୁ ପହରା ଦେବା ଉଚିତ ଥିଲା ମୋର । ଏତେ ଟିକିଏ ବୁଦ୍ଧି ହେଲାନାହିଁ ମାଧବ ଯଦି ବୁଢ଼ାକୁ କୋଳକୁ ନେଇଥାନ୍ତା, ଗଭୀର ଆବେଗରେ ଚୁମା ଦେଇଥାନ୍ତା, ବୁଢ଼ା ଖେଳୁଛି, ଅଥଚ ତାର ଯଦି କୌଣସି ଆଗ୍ରହ ନ ଥାନ୍ତା ତାହାହେଲେ ସେ କେବେହେଲେ ବୁଢ଼ା ର ପିତା ନୁହେଁ, ଅକ୍ଳେଶରେ ବୁଢ଼ାକୁ ମୋ ପାଖରେ ରଖି ଦେଇପାରିଥାନ୍ତି । କିନ୍ତୁ ତାର ମା’କୁ ଦୂର କରି ଦେବାକୁ କିଛି କଷ୍ଟ ହୋଇ ନ ଥାନ୍ତା-। କି ସୁଖୀ ନ ହୋଇପାରିଥାନ୍ତି ତା’ ହେଲେ ।

 

ଭାଗବତ ବାବୁ ବିଛଣାରେ ଶୋଇ ଛଟପଟ କରୁଛନ୍ତି । ଦେହରୁ ନିଆଁ ବାହାରୁଛି । ମନରେ ଟିକିଏ ସୁଦ୍ଧା ଶାନ୍ତି ନାହିଁ । ଶୋଇ ଶୋଇ ଭାବୁଛନ୍ତି । ବୁଢ଼ା ର କଥା । ମାଧବର କଥା । ବୁଢ଼ା ଓ ମାଧବ ଦୁହିଁଙ୍କ କଥା । ଭାବି ଭାବି ମୁଣ୍ଡ ଗରମ ହୋଇଉଠେ । କିନ୍ତୁ ତେବେ ବି ସଠିକ୍‌ ଉତ୍ତର ମିଳେନାହିଁ । ମାଧବର କୌଣସି ସନ୍ଦେହଜନକ ବ୍ୟବହାର କଥା ମୋଟେ ମନେପଡ଼େ ନାହିଁ, କୌଣସି ବିଶେଷ ଭଙ୍ଗୀ ବା କୌଣସି ଅର୍ଥପୂର୍ଣ୍ଣ ଦୃଷ୍ଟି, କୌଣସି କଥା କିମ୍ବା ଆଦର, କୌଣସି କଥା, ମନେପଡ଼େ ନାହିଁ । ତା ଛଡ଼ା ମାୟାର ବି ତ ପୁଅ ପ୍ରତି କୌଣସି ଆଗ୍ରହ ନ ଥିଲା । ବୁଢ଼ା ଯଦି ତାର ପ୍ରଣୟୀର ଔରଷ ଜାତ ସନ୍ତାନ ହୋଇଥାନ୍ତା, ତାହେଲେ ନିଶ୍ଚୟ ସେ ବୁଢ଼ାକୁ ଆହୁରି ବେଶୀ ଭଲ ପାଇଥାନ୍ତା ।

 

ସେମାନେ ନିଶ୍ଚୟ ତାଙ୍କ ଉପରେ ପ୍ରତିଶୋଧ ନେବାପାଇଁ ବୁଢ଼ାକୁ ତାଙ୍କ ପାଖରୁ ଛଡ଼ାଇ ନେଇଛନ୍ତି । ବୁଢ଼ାକୁ ସେ କେତେ ଭଲ ପାଆନ୍ତି ତାହା ସେମାନେ ଜାଣନ୍ତି । ବୁଢ଼ାକୁ ଛାଡ଼ି ସେ ମୁହୂର୍ତ୍ତେ ସୁଦ୍ଧା ବଞ୍ଚିପାରିବେ ନାହିଁ, ବୁଢ଼ା ତାଙ୍କର ଏକମାତ୍ର ଆଶା, ତାଙ୍କର ଏକମାତ୍ର ଭରସା-– ସେ କଥା ସେମାନେ ଜାଣନ୍ତି । କି ନିଷ୍ଠୁର ସେମାନେ । ସେ ସେମାନଙ୍କ ଗୁପ୍ତ ପ୍ରଣୟକୁ ଧରି ପକାଇଛନ୍ତି ବୋଲି ସେମାନେ ତାଙ୍କ ଉପରେ ଏହିପରି ନିଷ୍ଠୁର ପ୍ରତିଶୋଧ ନେଇଛନ୍ତି । ମନେ ମନେ ସ୍ଥିର କଲେ ସେ । ସକାଳ ହେଉ, ସିଧା ଯାଇ ଅଦାଲତରେ ଆବେଦନ ପେଶ୍‍ କରିବେ । ଆଇନର ସାହାଯ୍ୟ ନେଇ ପୁଅକୁ ଫେରାଇ ଆଣିବେ । କୌଣସି କଥା ଶୁଣିବେ ନାହିଁ, କୌଣସି ବାଧା ମାନିବେ ନାହିଁ ।

 

କିନ୍ତୁ କିନ୍ତୁ.....କିନ୍ତୁ.....ସଂକଳ୍ପ ପୁଣି ଶିଥିଳ ହୋଇଆସେ । ଉତ୍ସାହରେ ଭଟ୍ଟା ପଡ଼େ । ମାୟା ମାଧବକୁ ଯେପରି ଭଲ ପାଏ, ସେ କ’ଣ ଆଉ ତା ପାଖରେ.....ଆତ୍ମଦାନ......କରିନାହିଁ ପ୍ରେମିକ ପାଖରେ ନିଜକୁ ନିଃଶେଷ କରିଦେବାହିଁ ତ ସ୍ତ୍ରୀମାନଙ୍କର ଧର୍ମ । ପ୍ରେମର ଚରମ ପରିଣତି-– ତାର ସାର୍ଥକତା । କେତେ ଜନାକୀର୍ଣ୍ଣ ଜନପଦ, କେତେ ଗିରିପଥ, ପାହାଡ଼ ପର୍ବତ, କର୍ମ ଚଞ୍ଚଳ ନଗର ଅତିକ୍ରମ କରି ନଦୀ ଶେଷରେ ସାଗରରେ ଆସି ମିଳିତ ହୁଏ । ଏଇଠାରେତ ପୂର୍ଣ୍ଣତା । ନିଜକୁ ହଜାଇ ଦେବାରେହିଁତ ଶାନ୍ତି । ମାୟା ବି ନିଶ୍ଚୟ..... ନା, ଆଉ କୌଣସି ସନ୍ଦେହ ନାହିଁ । ବୁଢ଼ା ମାଧବର, ତାଙ୍କର ନୁହେଁ ।

 

ତା ହେଲେ ତ ପରପିଲାକୁ ସାରା ଜୀବନ ନିଜର ବୋଲି ମଣିଷ କରିବାକୁ ହେବ, ଆଦର କରିବାକୁ ହେବ । ଭୟରେ ବୁଢ଼ାର ମୁହଁକୁ ସେ ଚାହିଁ ପାରିବେ ନାହିଁ । ଆଦର କରି ଚୁମା ଦେବାକୁ ଯିବେ । ସେ ତାଙ୍କୁ ‘ବାପା’ ‘ବାପା’ ବୋଲି ଡାକିବ । ‘ବୁଢ଼ା ମୋର ପୁଅ ନୁହେଁ, ସେ ମାଧବର ପିଲା’ ଏଇ ଚିନ୍ତା ତାଙ୍କୁ ଦଗ୍ଧ କରି ମାରିବ, ଛୁଞ୍ଚିପରି ବିନ୍ଧିବ ।

 

ନା, ବୁଢ଼ାକୁ ଆଉ କୌଣସିମତେ ଅଣାଯିବ ନାହିଁ । ଆଣିଥିଲେ ତ ତାଙ୍କୁ ଭୀଷଣ ଶାସ୍ତି ପାଇବାକୁ ହୋଇଥାନ୍ତା, ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାନ୍ତା । ତା’ଠାରୁ ଏକୁଟିଆ ରହିବାହିଁ ଯଥେଷ୍ଟ ଭଲ । ଏକାକୀ ବାର୍ଦ୍ଧକ୍ୟର ଦ୍ୱାରରେ ଉପସ୍ଥିତ ହୋଇ ମୃତ୍ୟୁ ବରଣ କରିବା ହିଁ ଯଥେଷ୍ଟ ଭଲ ।

 

ପ୍ରତିଦିନ, ପ୍ରତିରାତି ଏଇପରି ଭାବରେ ବିତେ । ଦିନ ଯାଏ, ରାତି ଆସେ, ରାତି ଯାଏ; ଆଉଥରେ ଦିନ ହୁଏ । କିନ୍ତୁ ଭାଗବତ ବାବୁଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସେନାହିଁ । ଉତ୍ତପ୍ତ ମସ୍ତିଷ୍କରେ ଦୁଶ୍ଚିନ୍ତା ଆଉ ସନ୍ଦେହର ବିଭୀଷିକା । କି ଅସହ୍ୟ ବେଦନା । କି ତୀବ୍ର ଜ୍ୱାଳା । ଏଇ ଜ୍ୱାଳାର କୌଣସି ଔଷଧ ନାହିଁ । ଦିନରାତି ଅସହ୍ୟ ଜ୍ୱାଳା ।

 

ସନ୍ଧ୍ୟାର ମୌନ ଅନ୍ଧକାରକୁ ତାଙ୍କର ଭାରି ଭୟ, ଗୋଧୂଳିର ପାଣ୍ଡୁର ବିଷର୍ଣ୍ଣତା ତାଙ୍କର ଆତଙ୍କ । ଅନ୍ଧକାରର ନିର୍ଜ୍ଜନତାରେ ମନ ବିଷାଦରେ ପୂରିଉଠେ । ନୈରାଶ୍ୟ ଆସି ଛାତି ଉପରେ ଚାପି ବସେ । ଦୁଃସ୍ୱପ୍ନର ଭାରରେ ଅଭିଭୂତ ହୋଇପଡ଼ନ୍ତି, ଦୁଶ୍ଚିନ୍ତାରେ ପାଗଳ ହୋଇଯାନ୍ତି ।

 

ଦୁର୍ବୁତ୍ତମାନଙ୍କୁ ମଣିଷ ଯେତେ ଭୟ ନ କରେ, ତା’ଠାରୁ ଯଥେଷ୍ଟ ବେଶୀ ଭୟକରେ ନିଜର ମନକୁ, ନିଜର ସର୍ପିଳ ଚିନ୍ତାକୁ । ନିଜର ଚିନ୍ତାଠାରୁ ପଳାଇବାକୁ ଚେଷ୍ଟା କରନ୍ତି ଭାଗବତ ବାବୁ ।

 

ଘର ଖାଲି କେହି ନାହାନ୍ତି । ଅନ୍ଧକାର, ଖାଁ ଖାଁ କରୁଛି । ଦେଖିଲେ ଦେହ ଶିହରି ଉେଠ-। ମନେହୁଏ ଯେପରି ଭୂତର ଘର । ବାସସ୍ଥାନର ଭୟାବହ ଶୂନ୍ୟତା ଆଉ ଜନହୀନ ପଥର ରିକ୍ତତାରେ ସେ ସବୁଠାରୁ ବେଶୀ ଭୟ ପାଆନ୍ତି ।

 

ଘରେ ବସି ବସି ଯେତେବେଳେ ପ୍ରାଣ କମ୍ପିଉଠେ ଭାଗବତ ବାବୁ ରାସ୍ତା ଉପରକୁ ବାହାରି ପଡ଼ନ୍ତି । ରାତି ହୋଇଚି । ରାସ୍ତା କଡ଼ରେ ଆଲୋକ ମାଳା ମିଞ୍ଜି ମିଞ୍ଜି ହୋଇ ଜଳୁଛନ୍ତି । କେତେବେଳେ କେମିତି ଜଣେ ଦୁଇଜଣ ପଥିକର ପାଦ ଶବ୍ଦ ଶୁଣାଯାଉଛି । ଭୟ ହୁଏ ହୁଏତ ଚୋର, ଡକାୟତ । ରାତିରେ, ଅନ୍ଧକାରରେ ଶୀକାର ଖୋଜି ବାହାରିଛନ୍ତି । ଭୟରେ ଦେହ ଶିହରି ଉଠେ । ପାଦ ଦୁଇଟି ନିଜର ଅଜାଣତରେ ଛୁଟି ପଳାଇବାକୁ ଚେଷ୍ଟା କରେ ।

 

ଏକା ଏକା ବୁଲିବାକୁ ଚେଷ୍ଟା କରନ୍ତି । କିନ୍ତୁ ପାରନ୍ତି ନାହିଁ । ଅନ୍ଧକାର ଭଲ ଲାଗେ ନାହିଁ । ନିର୍ଜ୍ଜନତାରେ ପ୍ରାଣ ହାହାକାର କରିଉଠେ ।

 

ସହରର ରାଜପଥର ଆଖି ଝଲସା ଆଲୋକ ତାଙ୍କୁ ଡାକୁଛି, ମନୁଷ୍ୟର ସମାଜ ଇସାରା ଦେଇ ନିମନ୍ତ୍ରଣ ଜଣାଉଛି ।

 

ନିଜର ଅଜାଣତରେ ଆଲୋକ ମାଳାରେ ସୁଶୋଭିତ ରାଜପଥ ଦିଗରେ ପାଦ ବଢ଼ାଇଲେ । ତୀବ୍ର ଆଲୋକ ତାଙ୍କୁ ମୁକ୍ତି ଆଣିଦେବ ଚିନ୍ତାର ଆକ୍ରମଣରୁ ମୁକ୍ତି । ଅଳ୍ପ ସମୟ ପାଇଁ ସବୁ ଭୁଲିଯାନ୍ତି । ନିଜକୁ, ପୁଅକୁ ସାରା ଜଗତକୁ । ଆଲୋକର ସ୍ପର୍ଶରେ ମନର ଅନ୍ଧକାର କଟିଯାଏ-

 

କିନ୍ତୁ ସବୁ ହିଁ ସାମୟିକ । ଚଳମାନ ଜନତାର ସ୍ରୋତରେ ଏକା ଭାସି ଭାସି ଆଉଥରେ କ୍ଲାନ୍ତ ହୋଇପଡ଼ନ୍ତି । ମଣିଷ ଆଉ ଭଲ ଲାଗନ୍ତି ନାହିଁ । ଆଲୋକ ବି ନୁହେଁ । କିନ୍ତୁ ଘରକୁ ଫେରିବାକୁ ସାହାସ ହୁଏନା । ଅନ୍ଧକାର ଘର । ସେଠାକୁ ଯାଇ କ’ଣ ହେବ ଘରତ ଅନେକ ଦିନୁ ଭାଙ୍ଗି ଗଲାଣି । ଭଙ୍ଗା ଇଟା ନେଇ କ’ଣ କରିବେ ଭାଗବତ ବାବୁ ତା’ଛଡ଼ା, ଘରକୁ ଫେରିଲେ ପୁଣି ସେଇ ପୁରୁଣା ଚିନ୍ତା । ଅସଭ୍ୟ, ଶ୍ୱାସରୋଧକାରୀ ସନ୍ଦେହ ଆଉ ଦ୍ୱନ୍ଦ୍ୱ ।

 

ଦେଖୁ ଦେଖୁ ରାତି ବଢ଼େ । ରାସ୍ତାର ଭିଡ଼ କ୍ରମଶଃ ପାତଳା ହୋଇଆସେ । ପଥିକମାନଙ୍କ ସଂଖ୍ୟା କମିଯାଏ । ନିର୍ଜନ ନିସ୍ତବ୍ଧ ପଥ ଯେପରି ଆଁ କରି ତାଙ୍କୁ ଗିଳିବାକୁ ଆସୁଛି । ଭୟ ହୁଏ, ଅନ୍ଧାକାରର ଭୟ, ଜନହୀନ ମୌନ ପଥର ଭୟ । ନା, ଏଠାରେ ଆଉ ମୁହୂର୍ତ୍ତେ ସୁଦ୍ଧା ନୁହଁ । କୁଆଡ଼େ ପଳାଇବାକୁ ହେବ । ଇତଃସ୍ତତଃ ହୋଇ ହୋଇ ଶେଷରେ ଗୋଟାଏ ବଡ଼ ହୋଟେଲ ଭିତରକୁ ପଶିଗଲେ ଭାଗବତ ବାବୁ ।

 

ତୀବ୍ର ଆଲୋକର ଝଲକରେ ଚାହିଁ ହେଉନାହିଁ । ତଥାପି ଏଇ ଭଲ । ଘର ଯାହାର ପୋଡ଼ିଛି, ରାଜ ପଥରେ ଯାହାର ମନ ରହୁନାହିଁ, ତା ପକ୍ଷରେ ଏଇ ନରକ ହିଁ ଭଲ । ଭାଗବତ ବାବୁ ଗୋଟିଏ ଟେବୁଲ ପାଖକୁ ଯାଇ ବସି ପଡ଼ିଲେ । ବୟ ଆସି ସଲାମ ଠୁଙ୍କି ହେଲା । ଭାଗବତ ବାବୁ ବିଅର ପାଇଁ ଅର୍ଡର ଦେଲେ ।

 

ଟ୍ରେରେ ବିଅର ଓ କାଚ ଗ୍ଲାସ ନେଇ ଆସିଲା ବୟ । ଭାଗବତ ବାବୁ ଧିରେ ଧିରେ ଚାଖି ଚାଖି ପିଇବାକୁ ଲାଗିଲେ । ସେ ତ ଆଉ ମାତାଲ ନୁହନ୍ତି ।

 

ଜଣ ଜଣ କରି ମାତାଲ ସବୁ ଚାଲି ଯାଉଛନ୍ତି । ଭାରି ଆଶ୍ୱସ୍ତି ଲାଗିଲା ତାଙ୍କୁ । ଇଚ୍ଛାହୁଏ, ସେମାନଙ୍କ ହାତ ଧରି ଟାଣି ଆଣି ନିଜ ପାଖରେ ବସାଇ ରଖନ୍ତେ । ଆଉକିଛି ସମୟ ଅପେକ୍ଷା କରିବାକୁ କହନ୍ତେ ।

 

ଭୟହୁଏ, ବୋଧହୁଏ ବନ୍ଦ ହେବାର ସମୟ ହୋଇ ଆସିଲାଣି, ବୟ ତାଙ୍କ ପାଖକୁ ଛୁଟି ଆସିବ, ‘ସାର ଉଠନ୍ତୁ, ବନ୍ଦ ହେବାର ସମୟ ହୋଇଗଲାଣି ।’

 

ପ୍ରତିଦିନ ସମସ୍ତେ ଯାଇ ସାରିବା ପରେ ସେ ହୋଟେଲରୁ ଯାଆନ୍ତି । ଧୀରେ ଧୀରେ ଜଣ ଜଣ କରି ମାତାଲମାନେ ବିଦାୟ ନିଅନ୍ତି ଗୋଟାଏ ଗୋଟାଏ କରି ଆଲୋକ ଲିଭିଯାଏ । ଖାଲି ତାଙ୍କ ମୁଣ୍ଡ ଉପରର ଆଉ କାଉଁଟରର ଆଲୋକଟା ଜଳେ । ତାପରେ ଟେବୁଲ ଚେଆର ଧୋଇ ସଫା କରି ଭିତରେ ରଖାହୁଏ । ଭାଗବତ ବାବୁ ଅତ୍ୟନ୍ତ ଆଶ୍ୱସ୍ତିରେ କ୍ୟାସିୟରକୁ ଚାହିଁ ଚାହିଁ ଦେଖନ୍ତି । ଲୋକଟା ଗୋଟି ଗୋଟି କରି ସବୁ ଟଙ୍କା ଗଣି ଡ୍ରୟର ଭିତରେ ରଖେ ।

 

ନା’ ଆଉ ବସି ରହିବା ଚଳିବ ନାହିଁ । ଉଠି ପଡ଼ନ୍ତି । ବୟମାନେ ଠେଲା ଠେଲି କରି ତାଙ୍କୁ ବାହାରେ ଛାଡ଼ି ଦେଇ ଆସନ୍ତି ।

 

ସେମାନେ କଥାବାର୍ତ୍ତା ହୁଅନ୍ତି, ‘ଶଳା ବେଶୀ ପକାଇଛି ।’

ସେମାନେ ହୁଏତ ମନେକରନ୍ତି ଘର ବୋଲି ତାଙ୍କର କିଛି ନାହିଁ ।

 

ପୁଣି ସେଇ ଅନ୍ଧାକର ନିର୍ଜ୍ଜନ ପଥ । ନିକଟରେ କେହି କୁଆଡ଼େ ନାହିଁ । ମଝିରେ ମଝିରେ ଗୋଟାଏ ଗୋଟାଏ ମଟର ଗାଡ଼ି ତୀର ପରି ଛୁଟି ଆସେ । ପୁଣି ତୀର ପରି ଅଦୃଶ୍ୟ ହୋଇଯାଏ । ଦେହ ଶିହରି ଉଠେ ।

 

ବୁଢ଼ା କଥା ମନେପଡ଼େ । କେତେ କଥା ତାଙ୍କର ମନେପଡ଼େ । ମନେହୁଏ ବୁଢ଼ା ଯେପରି ‘ବାପା, ବାପା’ ବୋଲି ତାଙ୍କୁ ଡ଼ାକୁଛି । ଚମକି ଉଠନ୍ତି ସେ । କାହିଁ, କେହିତ କୁଆଡ଼େ ନାହିଁ, କାହାର ସୋର୍‍ଶବ୍ଦ ନାହିଁ । ଅସହ୍ୟ ଯନ୍ତ୍ରଣାରେ ମୁଣ୍ଡଟା ଛିଣ୍ଡି ପଡ଼ୁଛି । ମୁଣ୍ଡ ଟେକି ପାରୁନାହାନ୍ତି । ବୁଢ଼ା ଯେ ତାଙ୍କର ପିଲା ଏଥିରେ କୌଣସି ଭୁଲ ନାହିଁ । ରାକ୍ଷସୀ ନିଶ୍ଚୟ ତାଙ୍କୁ ମିଥ୍ୟା କଥା କହିଚି-। ତାହା ଯଦି ନ ହୁଏ, ତେବେ ତା’ପାଇଁ ତାଙ୍କ ପ୍ରାଣ କାନ୍ଦୁଚି କାହିଁକି ରକ୍ତର ସମ୍ବନ୍ଧ, ସେ କ’ଣ ଖାଲି କଥା ପଦକରେ ମିଥ୍ୟା ହୋଇଯିବ କିନ୍ତୁ ବୁଢ଼ା ଯଦି ସତରେ ତାଙ୍କ ପିଲା ନ ହୋଇ ଥାଏ ତେବେ ଅଲିତ ସ୍ପଷ୍ଟ କହିଚି, ବୁଢ଼ା ମାଧବର ପିଲା । ଅନ୍ଧ ଆଖିରେ ବି ଧୂଳି ଦେଇ ହେବନି । ମାୟା ବି ଏକା କଥା କହିଲା । ଏପରି ଗୋଟାଏ ମାରାତ୍ମକ କଥା କେହି କେବେ ମିଛ କହେ ?

 

ଭାବି ଭାବି ମୁଣ୍ଡ ଗରମ ହୋଇଉଠେ । ଲଜ୍ଜାରେ; ଘୃଣାରେ ଆଖି ମୁହଁ ଲାଲ ହୋଇ ଉଠେ । କପାଳର ଶୀରା ଫୁଲି ଉଠେ । ଉତ୍ତେଜନାରେ ପାଦ ଥରେ । ମନହୁଏ ଆଉ ହୁଏତ ଚାଲି ହେବନି । ରାସ୍ତା ମଝିରେ ବସି ପଡ଼ିବେ ।

 

କ୍ରମେ କ୍ରମେ ମାତାଲମାନଙ୍କ ଆଡ୍ଡାରେ ସେ ଜଣେ ସଭ୍ୟ ହୋଇଗଲେ । ଏବେ ଆଉ ମଦ ନ ହେଲେ ଚଳୁନାହିଁ । କିଛି ତରଳ ପଦାର୍ଥ ପେଟକୁ ଗଲେ, ମନଟା ବେଶ୍‌ ହାଲୁକା ହୁଏ । ଦୁଶ୍ଚିନ୍ତାରୁ ରକ୍ଷା ମିଳେ । ମନରେ ଆଉ କୌଣସି ଦୁଃଖ ରହେନାହିଁ । ସୁରାର ନିଶାରେ ଚୂର ହୋଇ ରହନ୍ତି ଭାଗବତ ବାବୁ ।

 

ଦିନରାତି ଏଇ ନରକରେ ବସି ବସି କେତେ ମାତାଲଙ୍କ ସଙ୍ଗେ ପରିଚୟ ହୁଏ । ପ୍ରତିଦିନ ଯେଉଁମାନେ ଆସନ୍ତି, ସେମାନଙ୍କ ସଙ୍ଗେ ଚିହ୍ନା ପରିଚୟ ହୋଇଯାଇଛି । କଥାବାର୍ତ୍ତା ଅବଶ୍ୟ ବିଶେଷ କିଛି ହୁଏନା । ସମସ୍ତେ ଚୁପ୍‌ଚାପ୍‌ ଆସନ୍ତି । ଚୁପ୍‌ଚାପ୍‌ ବୋତଲ ନେଇ ଚେଆରରେ ବସିପଡ଼ନ୍ତି । ଖାଇବା ଶେଷ ହେଲେ ନିଃଶବ୍ଦରେ ଚାଲିଯାଆନ୍ତି । କେହି ଜାଣିପାରନ୍ତିନି । ମଝିରେ ମଝିରେ ଜଣେଅଧେ ବେହୋସ ହୋଇପଡ଼ନ୍ତି । ସେତେବେଳେ କି ଚିତ୍କାର, ଅଶ୍ଳୀଳ ଗାଳି ଦିଆଦେଇ । ଶୁଣିଲେ କାନରେ ହାତ ଦେବାକୁ ହୁଏ । ମଝିରେ ମଝିରେ ମରାମରି ବି ଲାଗେ ଖାଲି ହାତରେ ସେତେବେଳେ ସେମାନଙ୍କୁ ସମ୍ଭାଳିବା ଅସମ୍ଭବ ହୋଇପଡ଼େ । ପୁଲିସ ଡାକିବାକୁ ହୁଏ । ପୁଲିସି ମାରି ମାରି ନେଇ ଯାଏ ।

 

ଘଣ୍ଟା ପରେ ଘଣ୍ଟା ଭାଗବତ ବାବୁ ଏଠାରେ କଟାଇ ଦିଅନ୍ତି । ଚୁରୁଟ ଆଉ ସିଗାରେଟ୍‌ର ଧୁଆଁରେ ଘର ପ୍ରାୟ ଅନ୍ଧକାର । ତମାଖୁର ଉଗ୍ର ଗନ୍ଧରେ ମାନସିକ ଚଞ୍ଚଳତା ଶାନ୍ତ ହୁଏ । କଡ଼ା ମଦର ତୀବ୍ରତାରେ ମନ ନିସ୍ତେଜ ହୋଇପଡ଼େ । ଅଶାନ୍ତ ହୃଦୟ ହାଲୁକା ହୁଏ । କହିବାକୁ ଗଲେ ଏଇ ନରକହିଁ ବର୍ତ୍ତମାନ ତାଙ୍କର ଘର ହୋଇଛି । ଏଇଠାରେ ଦିନ ରାତି ଥାଆନ୍ତି ।

 

ନିଦରୁ ଉଠିଲେ ଚାଲି ଆସନ୍ତି । ଆସି ଦେଖନ୍ତି, ତାଙ୍କ ଆଗରୁ କେତେ ଲୋକ ଆସି ହାଜର ହୋଇଛନ୍ତି । ଭାଗବତ ବାବୁ ମନେମନେ ଖୁବ୍‌ ଖୁସି ହୁଅନ୍ତି । ମନଟା ହାଲୁକା କରିବାକୁ ହେବ । ସୁରା ହିଁ ଏକମାତ୍ର ନିର୍ଭରଯୋଗ୍ୟ ବନ୍ଧୁ । ଚେଆର ଉପରେ ବସିପଡ଼ି ଡାକନ୍ତି ‘ବୟ !’

 

‘ସଲାମ୍‍ ସାର୍‍ ।’

‘ସ୍ୟାମ୍ପେନ୍‍ ।’

‘ବହୁତ ଅଛା । ଆହୁରି କିଛି ?’

‘ନା, ଯାହା କହିଲି ନେଇଆସ ।’

ଏବେ ନେଇ ଆସୁଛି ସାର୍‍ ।’ ସଲାମ୍‍ ଦେଇ ବୟ ଚାଲିଗଲା ।

 

ଭାଗବତ ବାବୁ ଚେଆର ଛାଡ଼ି କାଉଣ୍ଟର ପାଖକୁ ଗଲେ । କାଉଣ୍ଟରରେ ବସିଛି ରେଖା-। ରେଖା ଖୁବ୍‌ ସୁନ୍ଦରୀ । ବୟସ ବେଶୀ ନୁହେଁ । କୋଡ଼ିଏ ବାଇଶି ହେବ । ବେଶ୍‌ ଗୋରା, ଗୋଲାପି ଆଭା ଫୁଟି ବାହାରୁଛି । ସିଲ୍‌କ ପରି ନରମ କେଶ । ପୋଷାକ ସ୍ଥାନୋପଯୋଗୀ । ଭାଗବତ ବାବୁ ହସିହସି କହିଲେ, ‘ନମସ୍କାର ରେଖା ଦେବୀ ।’
 

‘ନମସ୍କାର, ସାର୍‍ ।’

‘ଖବର କାଗଜଟା ଦିଅନ୍ତୁ ତ ।’

ଖବର କାଗଜ ଦେଉଛି । ଆପଣ ଆପଣଙ୍କ ଜାଗାରେ ଯାଇ ବସନ୍ତୁ । ପଠାଇ ଦେଉଛି-।’

‘ଧନ୍ୟବାଦ ।’

 

ଭାଗବତ ବାବୁ ନିଜ ସ୍ଥାନକୁ ଫେରିଗଲେ । ଅଳ୍ପ ସମୟପରେ ବୟ ସ୍ୟାମ୍ପେନ୍‍ ଆଉ ଖବର କାଗଜ ଦେଇଗଲା ।

 

ଦେଖୁ ଦେଖୁ ସମୟ ବିତିଯାଏ । ବାରଟା ବାଜିଯାଏ । ଦେହ କେମିତି ଲାଗୁଛି । ଘରକୁ ଫେରିବାକୁ ଆଉ ଇଚ୍ଛା ହେଉନାହିଁ ତାଛଡ଼ା, ଏଇ ଭୀଷଣ ଖରାରେ କେହି କ’ଣ ରାସ୍ତାକୁ ବାହାରନ୍ତି, ଭୋକ ହେଉଛି । ଏଇଠି ଖାଇନେବାହିଁ ଭଲ । ଟେବୁଲ୍‌ ଉପରେ ଚାପୁଡ଼ା ମାରି ଡାକିଲେ, ‘ବୟ ।’

 

‘ସଲାମ୍‌ ସାର୍‍ ।’

‘ଲଞ୍ଚ୍‌ ମିଳିବ ‘

‘ନିଶ୍ଚୟ ।’

‘ବର୍ତ୍ତମାନ ଆଣି ପାରିବ ଡେରି ହେବ ନାହିଁ ତ ?’

ପାଞ୍ଚ ମିନିଟ୍‌ ମଧ୍ୟରେ ଆଣୁଛି ।’

‘ବେଶ୍‌ ନେଇଆସ ।’

 

ବୟ ଚାଲିଯିବା ପରେ ଭାଗବତ ବାବୁ ରେଖା ଦିଗରେ ଚାହିଁ ମୁରୁକି ମୁରୁକି ହସିଲେ । ରେଖାର ଓଠରେ ମଧ୍ୟ ହସ ।

 

ତିନି ଚାରି ମିନିଟ୍‌ ପରେ ବୟ ଆସିଲା । ଗୋଟିଏ ହାତରେ ନାନା ପ୍ରକାରର ଖାଦ୍ୟ ସାମଗ୍ରୀ, ଅନ୍ୟ ହାତରେ ପାଣିଗ୍ଲାସ ।

 

ଖାଇବାପରେ ଭାଗବତ ବାବୁ ସିଗାରେଟ୍‍ ଟାଣିବାକୁ ଲାଗିଲେ । ସିଗାରେଟ୍‌ର ଧୂଆଁ କୁଣ୍ଡଳୀ ଖାଇ ପବନରେ ଭାସି ଯାଉଛି ।

 

ଟେବୁଲ୍‌ ଉପରେ ବ୍ରାଣ୍ଡିର ବୋତଲ ଭାଗବତ ବାବୁଙ୍କ ଦୃଷ୍ଟି ନିବଦ୍ଧ ହୋଇଛି ଏଇ ଜୀବନଦାୟିନୀ ସର୍ବଦୁଃଖ ହାରିଣୀ ସୁରା ଉପରେ । ସେଇ ଏବେ ତାଙ୍କ ଜୀବନର ଏକମାତ୍ର ଶାନ୍ତି-। ଟିକିଏ ଖାଇଦିଅ, ବେଶ୍‍ ଆଉ ଭାବିବାକୁ ହେବନାହିଁ । ସଙ୍ଗେ ସଙ୍ଗେ ସବୁ ଜ୍ୱାଳା ଲିଭିଯିବ-। ଅନ୍ତତଃ କେତେଘଣ୍ଟା ପାଇଁ ନିଶ୍ଚିନ୍ତ – କେତେଘଣ୍ଟା ପାଇଁ ସବୁ ଭୁଲିଯିବେ । ସେତେବେଳେ ମାଧବ ବା ମାୟା – କାହା କଥା ତାଙ୍କ ମନେପଡ଼ିବ ନାହିଁ । ଜମାଟ ନିଶା ମଧ୍ୟରେ ହଜିଯିବ । ବୁଢ଼ା ସେ କ’ଣ ଲୁଚିଯିବ ହଁ, ଭାରିତ ବୁଢ଼ା ! ସୁରା ପାଖରେ କେହି ନୁହେଁ ।

 

ଭାଗବତ ବାବୁ ବୋତଲର ଠିପି ଖୋଲି ଗିଲାସେ ବ୍ରାଣ୍ଡି ଢାଳି ଧୀରେ ଧୀରେ ଓଠରେ ଲଗାଇଲେ ଯେପରି ଅମୃତର ଆସ୍ୱଦ ଗ୍ରହଣ କରୁଛନ୍ତି । ତାପରେ ଗୋଡ଼ ଲମ୍ବାଇ ଦେଇ ଚେଆର ଉପରେ ବସିପଡ଼ିଲେ । ମୁଣ୍ଡଟା ଟିକିଏ ପଛକୁ ଝୁଙ୍କି ପଡ଼ିଛି । ଗ୍ଲାସ୍‌ଟା ଟେକି ଧରି ଦେଖିବାକୁ ଲାଗିଲେ । ଓଠରେ ସାମାନ୍ୟ ହସ, ସେ ହସ ଯେପରି ବୁକୁଫଟା କ୍ରନ୍ଦନର ନିଃଶବ୍ଦ ପ୍ରକାଶ । ହଠାତ୍‌ ଗମ୍ଭୀର ହୋଇଗଲେ । କିଏ ଯେପରି ଦୁଆତେ କାଳି ମୁହଁ ଉପରେ ଛାଟି ଦେଇଗଲା । ଢକ ଢକ କରି ସବୁ ପିଇଦେଇ ଆଉ ଏକଗ୍ଲାସ ଢାଳିଲେ । ତାକୁ ବି ଏକାଥରକେ ଶେଷ କରିଦେଲେ । ମୁହଁରୁ ଶ୍ଳେଷ୍ମା ଝିଲ୍ଲୀ, ତାପରେ କଣ୍ଠ ନାଳୀ ଦେଇ ସମସ୍ତ ମଦ ପେଟମଧ୍ୟକୁ ଚାଲିଗଲା । ଯିବାବେଳେ ସମସ୍ତ ପଥ ଜାଳି ଜାଳି ନିଜର ନିଜର ଅସ୍ତିତ୍ୱର ଭୟଙ୍କର ପ୍ରମାଣ ଦେଇଗଲା । ଭାଗବତ ବାବୁ ଠକ୍‌ କରି ଗ୍ଲାସଟା ଟେବୁଲ ଉପରେ ରଖିଦେଲେ । ସଙ୍ଗେ ସଙ୍ଗେ ଗୋଟାଏ ସ୍ୱସ୍ତିର ଦୀର୍ଘନିଶ୍ୱାସ ପକାଇ ମନେମନେ କହିଲେ, ‘ବେଶ, ଆଉ କୌଣସି ଭୟ ନାହିଁ ।’

 

ଦୁଇବେଳା ଖାଇବାପରେ ଏହାହିଁ ତାଙ୍କର କାର୍ଯ୍ୟ କେତେକ ଘଣ୍ଟା ଧରି ତିନିଚାରି ଗ୍ଲାସ ମଦ ଖାଇ ଚୁର ହୋଇ ରହନ୍ତି । ଧୀରେ ଧୀରେ ନିଶା ଧରେ । ଚେତନା ଆଚ୍ଛନ୍ନ ହୋଇ ଆସେ । ତାପରେ ମଧୂର ବିସ୍ମୃତି । ଏହା ମଧ୍ୟରେ କେତେବେଳେ ଶୋଇପଡ଼ନ୍ତି । ମୁଣ୍ଡଟା ଛାତି ଉପରକୁ ଝୁଲି ପଡ଼ିଥାଏ । ତାପରେ କେତେବେଳେ ନିଦ ଭାଙ୍ଗିଯାଏ । ଭଲ କରି ଉଠି ବସନ୍ତି ନରମ ଲାଲ ଭେଲଭେଟ୍‌ ଚେଆର ଉପରେ । ଭାରି ଆରାମ ଲାଗେ । ପ୍ୟାଣ୍ଟ୍‍ଟା ଟିକିଏ ଝୁଲି ପଡ଼ିଛି । ଠିକ୍‌ କରିଦିଅନ୍ତି । ଭାଗବତବାବୁ ପୋଷାକପତ୍ର ଠିକ୍‌ କରି ସିଧା ହୋଇ ବସି ଖବର କାଗଜ ଆଉଥରେ ପଢ଼ିବାକୁ ଆରମ୍ଭ କରନ୍ତି । ସକାଳେ ଥରେ ପଢ଼ା ହୋଇଯାଇଛି । ତେବେ ବି ପଢ଼ନ୍ତି । ବସି ବସି କ’ଣ ଆଉ କରିବେ ସମୟ କଟିବ କିପରି ।

 

ବେଳ ଗଡ଼ିଯାଏ । ଉପରଓଳି ହୁଏ । ଘଣ୍ଟାରେ ଢଂ ଢଂ କରି ସାଢ଼େ ପାଞ୍ଚଟା ବାଜେ । ଅସ୍ତଗାମୀ ସୂର୍ଯ୍ୟର ଆଲୋକରେ ସହରର ଆକାଶ ଲାଲ । ଧାଡ଼ିଧାଡ଼ି ଘରର ଛାତରେ ସୂର୍ଯ୍ୟ ଦେବତାଙ୍କର ଆଶୀର୍ବାଦ ଝରୁଛି । ଭାଗବତ ବାବୁ ଚେଆର ଛାଡ଼ି ଉଠି ପଡ଼ିଲେ । ବସି ବସି ଅଣ୍ଟା ପିଠି ଲାଗିଗଲାଣି । ଘର ମଧ୍ୟରେ ଆଉ ଭଲ ଲାଗୁନାହିଁ । ଉନ୍ମୁକ୍ତ ଉଦର ରକ୍ତିମ ଆକାଶ ତାଙ୍କୁ ନିମନ୍ତ୍ରଣ ଜଣାଏ । ଦିଗନ୍ତ ବିସ୍ତୃତ ସ୍ମିଗ୍ଧ ଶ୍ୟାମଳ ଅଞ୍ଚଳର ଶିହରଣ ତାଙ୍କ ପ୍ରାଣରେ ରୋମାଞ୍ଚ ସୃଷ୍ଟି କରୁଛି । ନା ଆଉ ଘରେ ନୁହେଁ ।

 

ଭାଗବତ ବାବୁ କାଉଣ୍ଟର ପାଖରେ ଠିଆ ହୋଇ ରେଖାକୁ କହିଲେ, ‘ନମସ୍କାର ରେଖା ଦେବୀ ।’

 

‘ନମସ୍କାର ସାର୍‌ । ଖବର କ’ଣ ଉଠି ପଡ଼ିଲେ ଯେ ଆପଣତ କବାଟ ବନ୍ଦ ହେବା ପୂର୍ବରୁ କେଉଁଦିନ ଉଠନ୍ତି ନାହିଁ ।’

 

‘ବସି ବସି ଆଉ ଭଲ ଲାଗୁନି ରେଖା ଦେବୀ । ଟିକିଏ ବୁଲି ଆସେ ।’

 

‘ଭଲ,ଏପରି ସୁନେଲି ସନ୍ଧ୍ୟାଟା ଏଇ ବନ୍ଦ ଘର ମଧ୍ୟରେ କାଟିବେ ନାହିଁ ସାର୍‍ । ଟିକିଏ ବୁଲି ଆସନ୍ତୁ । ମନ ପ୍ରଫୁଲ୍ଲ ହେବ ।’

 

‘ମନ ପ୍ରଫୁଲ୍ଲ ହେବ, ହୁଏତ ହେବ’ କହି ଭାଗବତ ବାବୁ ଟିକିଏ ହସିଲେ । ସେ ହସରେ ଆଲୋକ ନାହିଁ, ଆଶା ନାହିଁ ।

 

‘ଆଚ୍ଛା, ଆସୁଚି ।’

‘ହଁ ବୁଲି ଆସନ୍ତୁ ।’

 

ଭାଗବତ ବାବୁ ଦ୍ୱାରଯାଏ ଆସି କ’ଣ ମନେକରି ପୁଣି ଫେରି ଆସିଲେ । ରେଖା ତାଙ୍କୁ ଫେରି ଆସିବାର ଦେଖି ହସି ହସି କହିଲେ, ‘ପୁଣି କ’ଣ ହେଲା ସାର୍‍ ଫେରି ଆସିଲେ ଯେ ।’

‘ଏମିତି ।’

‘ଚେଆରଟିର ପ୍ରେମରେ ପଡ଼ି ଗଲେଣି ଦେଖୁଛି । କୌଣସିମତେ ତାକୁ ଛାଡ଼ିବା ପାଇଁ ମନ ଚାହୁଁନାହିଁ । ଯଦି ଅନ୍ୟ କେହି ଆସି ଦଖଲ କରିବସେ କ’ଣ କହୁଚନ୍ତି ସାର୍‍, କ’ଣ, ଠିକ୍‌ କହିନି ।’

 

ନିଜର ରସିକତାରେ ନିଜେ ହସିବାକୁ ଲାଗିଲା ରେଖା । ଭାଗବତ ବାବୁ ମୁଣ୍ଡ କୁଣ୍ଡାଇ ଥାଥା ମାମା ହୋଇ କହିଲେ, ‘କିଛି ଯଦି ମନେ ନ କର; ଗୋଟାଏ କଥା କହନ୍ତି ରେଖାଦେବୀ ।’

‘ଏପରି କିନ୍ତୁ କିନ୍ତୁ ହେଉଛନ୍ତି କାହିଁକି କ’ଣ କହିବାକୁ ଚାହାନ୍ତି କହି ପକାନ୍ତୁ ।’

‘ଯଦି ଅଭୟ ଦେବ ତ କହିବି ।’

‘ହଉ ଦେଲି । ଏଥର କହିପକାନ୍ତୁ ଶୀଘ୍ର । ଆପଣତ ଭୂମିକା କରୁ କରୁ ସନ୍ଧ୍ୟା ହୋଇଯିବ । ଆଉ କେତେବେଳେ ବାହାରିବେ ।’

ଆପଣ ଚାଲନ୍ତୁ ମୋ ସଙ୍ଗରେ । ଏକୁଟିଆ ଆଉ ଭଲ ଲାଗୁନି । ଚାଲନ୍ତୁ ଦୁହେଁ ଟିକିଏ ବୁଲି ଆସିବା ।’

‘ମୁଁ ଯିବି ।’

‘ଅବଶ୍ୟ ଯଦି ଆପଣଙ୍କ ତରଫରୁ କିଛି ଆପତ୍ତି ନ ଥାଏ ।’

‘କାଉଣ୍ଟର ଛାଡ଼ି ମୁଁ କିପରି ଯିବି ସାର୍‌ ।’

‘କାହିଁକି ।’

‘ଏମାନେ ମତେ ଛୁଟି ଦେବେ କାହିଁକି ।’

 

ଭାଗବତ ବାବୁ ଟିକିଏ କ୍ଷୁର୍ଣ୍ଣ ହେଲେ । ନିଜର ବୋକାମୀ ପାଇଁ ଦୁଇ ଗାଲରେ ଚାପୁଡ଼ା ମାରିବାକୁ ଇଚ୍ଛା ହେଲା । ଆଉ ମୁହୁର୍ତ୍ତେ ସୁଦ୍ଧା ସେଠାରେ ଠିଆ ନ ହୋଇ ମୁଣ୍ଡ ନୁଆଁଇ ବାହାରିଗଲେ ସେ । ବାହାରି ଯିବା ସମୟରେ ରେଖାକୁ ନମସ୍କାର କରିବାକୁ ବି ଭୁଲିଗଲେ ।

 

ସାଢ଼େ ସାତଟା ସମୟରେ ପୁଣି ଫେରି ଆସିଲେ । ଆଡ୍ଡାର ଅନେକଙ୍କ ସାଙ୍ଗରେ ତାଙ୍କର ପରିଚୟ ହୋଇଚି । କଥାବାର୍ତ୍ତା ବି ହୁଏ ମଝିରେ ମଝିରେ । ସନ୍ଧ୍ୟା ପରେ ଆଡ୍ଡା ବେଶ୍‍ ଜମେ । ଏଇ ସମୟରେ ଦିନଯାକର ଖବର ନେଇ ସେମାନଙ୍କ ମଧ୍ୟରେ ଆଳାପ ଆଲୋଚନା ହୁଏ-। ରାଜନୀତି, ସମାଜ ତତ୍ତ୍ୱ, ଇତିହାସ, ସହରର ଶ୍ରେଷ୍ଠ ସୁନ୍ଦରୀମାନଙ୍କ ବିଷୟ । କୌଣସି କଥା ବାଦ୍‌ ଯାଏନାହିଁ । ସହରର ଦୈନନ୍ଦିନ ଜୀବନର କେତେ ସାଧାରଣ ଘଟଣା ବି ସେମାନଙ୍କ ଆଲୋଚନାର ବିଷୟବସ୍ତୁ ହୁଏ । ଭାଗବତ ବାବୁ ସବୁ ଶୁଣି – ମଝିରେ ମଝିରେ ଗୋଟାଏ ଦୁଇଟା କଥା କହି ନିଜର ମତ ବ୍ୟକ୍ତ କରନ୍ତି ।

 

ଏଇସବୁ ଆଳାପ ଆଲୋଚନାରେ ତାଙ୍କର ଆଗ୍ରହ ଅଛି, ଅଥଚ କିପରି ଯେପରି ଗୋଟାଏ ନିର୍ଲିପ୍ତ ଭାବ । ସେ ଯେପରି ସେମାନଙ୍କ ମଧ୍ୟରେ ଥାଇ ମଧ୍ୟ, ବହୁ ଦୂରରେ । ସେମାନେ ତାଙ୍କୁ ପାଖରେ ପାଇ ମଧ୍ୟ ପାଆନ୍ତି ନାହିଁ । ତେଣୁ ଆଡ୍ଡା ଜମି ବି ଠିକ୍‌ ଜମେ ନାହିଁ ।

 

କ୍ରମେ କ୍ରମେ ରାତି ହୁଏ । ଜଣ ଜଣ କରି ଲୋକ କମିବାକୁ ଆରମ୍ଭ କରନ୍ତି । ଭାଗବତ ବାବୁ ଆଉଥରେ ମଦର ବୋତଲ ନେଇ ବସନ୍ତି । ଟିକିଏ ଟିକିଏ କରି ବୋତଲ ଖାଲି କରି ଦିଅନ୍ତି-। ତା’ପରେ ଖାଲି ବୋତଲଟାଆଡ଼େ ଚାହିଁ ଆଉ ଗୋଟାଏ ମଗାଇବେକି ନାହିଁ ଭାବନ୍ତି । ଆଉ ପିଇବା କ’ଣ ଉଚିତ ହେବ ତା ହେଲେ ହୁଏତ ବେହୋସ ହୋଇ ପଡ଼ିବେ । ଘରକୁ ଫେରିପାରିବେ ନାହିଁ । ରେଖା କାଉଣ୍ଟରରୁ ତାଙ୍କ ହାବ ଭାବ ସବୁ ଲକ୍ଷ୍ୟ କରୁଚି । ତାଙ୍କ ମନର ଅବସ୍ଥା ବୁଝିବା ପାଇଁ ତାର ମୋଟେ କଷ୍ଟ ହୁଏ ନାହିଁ । ସ୍ତ୍ରୀ ଲୋକର ମନତ । ଅନାଇ ଦେଖେ – ମାଲିକମାନେ କେହି ନାହାନ୍ତି । ଉଠିଆସି ଭାଗବତ ବାବୁଙ୍କ ପାଖରେ ଧୀରେ ଧୀରେ କହେ–

‘ସାର୍ !’

ଚମକି ଉଠନ୍ତି ଭାଗବତ ବାବୁ । ଏପରି ସ୍ନେହାର୍ଦ୍ର କଣ୍ଠରେ କେହି ତ ତାଙ୍କୁ ଡାକେନାହିଁ-। ହଁ, ଅଲି ଡାକୁଥିଲା । ନା, ନା, ଅଲି ତ ତାଙ୍କୁ ଛାଡ଼ି ଯାଇନି, ବରଂ ସେ ତା ପ୍ରତି ଅବିଚାର କରିଛନ୍ତି, ବର୍ବର ପରି ତାକୁ ଘରୁ ବାହାର କରି ଦେଇଛନ୍ତି । ବୁଢ଼ୀ ବୟସରେ ସେ କିପରି ଚଳିବ, ସେ କଥା ବି ଭାବିନାହାନ୍ତି । ରେଖା ଆଉଥରେ ଡାକେ, ‘ସାର୍‌ ।’

 

‘କିଏ ।’

‘ମୁଁ ରେଖା ।’

‘ଖବର କ’ଣ ।’

‘ଆଉ ମଦ ଖାଆନ୍ତୁ ନାହିଁ ସାର୍‌ ।’

‘ନା, ନା, ଆଉ ଖାଇବି ନାହିଁ ରେଖାଦେବୀ ଧନ୍ୟବାଦ ।’

‘ଟିକିଏ ଥଣ୍ଡାପାଣି ପଠାଇ ଦେଉଛି, ପିଇ ଦିଅନ୍ତୁ ।’

‘ଧନ୍ୟବାଦ ।’

 

ରେଖାର ବ୍ୟବହାରରେ ଭାଗବତ ବାବୁ ଅଭିଭୂତ ହୋଇପଡ଼ନ୍ତି । ମନୁଷ୍ୟ ପ୍ରତି, ବିଶେଷତଃ ସମସ୍ତ ସ୍ତ୍ରୀଜାତି ପ୍ରତି ଭୀଷଣ ଘୃଣା ଜନ୍ମିଥିଲା ତାଙ୍କ ମନରେ । ରେଖାର ସହୃଦୟତାରେ, ସମ୍ବେଦନଶୀଳତାରେ ମଝିରେ ମଝିରେ ତାଙ୍କର ମନେହୁଏ – ହୁଏତ ସମସ୍ତେ ଖରାପ ନୁହନ୍ତି । ପୃଥିବୀରେ ମନ୍ଦ ଅଛି, ଭଲ ବି ଅଛି । ପୃଥିବୀର ପ୍ରତ୍ୟେକ ଅଂଶ ମାୟାମାନେ ଅଧିକାର କରିନାହାନ୍ତି । କରୁଣାମୟୀ ମାତୃମୂର୍ତ୍ତି ଅଲି, ସ୍ନେହମୟୀ ସୁନ୍ଦରୀ ରେଖା । ଏମାନେ ବି ଅଛନ୍ତି – ହୁଏତ ବେଶୀ ସ୍ଥାନ ଏମାନେ ଅଧିକାର କରିଛନ୍ତି । ସେଇଥି ପାଇଁ ଆଲୋକିତ ଜଗତଟା ନରକରେ ପରିଣତ ହୋଇନି । ସେଇଥି ପାଇଁ ମଣିଷ ମଧ୍ୟରେ ଅମୃତର ସନ୍ଧାନ ମିଳେ ।

 

ବାର୍‌ ଏଥର ବନ୍ଦ ହେବ । ଭାଗବତ ବାବୁ ଚମକି ପଡ଼ିଲେ । ଏଇ ସମୟଟା ତାଙ୍କୁ ସବୁଠାରୁ ଖରାପ ଲାଗେ । ଘରକୁ ଫେରିବା କଥା ହେଲେ ମନ ଭାଙ୍ଗିପଡ଼େ । ସବୁ ଅନ୍ଧାର ଦେଖାଯାଏ । କିଛି ଭଲ ଲାଗେ ନାହିଁ । ତେବେ ବି ଯିବାକୁ ହେବ । ଉପାୟ ନାହିଁ । ହୋଟେଲ ତ ଆଉ ତାଙ୍କ ପାଇଁ ଚବିଶ ଘଣ୍ଟା ଖୋଲା ରହିବ ନାହିଁ । ଉଠିପଡ଼ନ୍ତି ଭାଗବତ ବାବୁ । କାଉଣ୍ଟର ପାଖକୁ ଆସି ରେଖାକୁ କହନ୍ତି, ‘ନମସ୍କାର ରେଖାଦେବୀ । ଆଜି ପାଇଁ ଯାଉଛି ।’

 

‘ନମସ୍କାର ସାର୍ । କାଲି ପୁଣି ଦେଖାହେବ ।’

ଅନ୍ଧକାର ଶୂନ୍ୟଘର ଯେପରି ଗିଳିବାକୁ ଆସୁଛି । ଏଇ ଘର ସଙ୍ଗେ ଅତୀତର କେତେ ସ୍ମୃତି ଜଡ଼ିତ ହୋଇ ରହିଚି । ମନେପଡ଼ିବା ମାତ୍ରେ ଭୟ ହୁଏ । ଏଇ ଘର ଏବେ ତାଙ୍କ ପକ୍ଷରେ କବର । ତାଙ୍କ ସ୍ୱପ୍ନର ସମାଧି । ପ୍ରେମର କେତେ ସ୍ମୃତି ଚର୍ତ୍ତୁଦିଗରେ ଇତଃସ୍ତତଃ ଭାବରେ ପଡ଼ିଛି । ସେମାନେ ଏବେ ତାଙ୍କୁ ବ୍ୟଙ୍ଗ କରୁଛନ୍ତି । ଏଇ କବର ମଧ୍ୟରେ କ’ଣ ମଣିଷ ରହିପାରେ ପ୍ରେତମାନଙ୍କର ମୃତ୍ୟୁ ଶୀତଳ ସ୍ପର୍ଶରେ ରକ୍ତ ଥଣ୍ଡା ହୋଇଯାଏ, ନିଶ୍ୱାସ ବନ୍ଦ ହୋଇଆସେ । ନା, ଆଉ ଦିନେ ସୁଦ୍ଧା ନୁହେଁ । କାଲି ସକାଳୁ କୌଣସି ହୋଟେଲରେ ବନ୍ଦୋବସ୍ତ କରିବାକୁ ହେବ ।

 

ନିଜର ଘରଦ୍ୱାର ସବୁ ପଡ଼ି ରହିଲା । ଭାଗବତ ବାବୁ ଗୋଟିଏ ବିଖ୍ୟାତ ହୋଟେଲରେ ଗୋଟିଏ ରୁମ୍‌ ନେଇ ରହିଲେ । ଅତୀତର ସବୁ ସ୍ମୃତି ସେ ମନରୁ ପୋଛି ପକାଇବା ପାଇଁ ଚେଷ୍ଟା କରୁଛନ୍ତି । ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ କାହାସଙ୍ଗେ ଦେଖାସାକ୍ଷାତ୍‍ କରନ୍ତି ନାହିଁ, କୌଣସି ଖୋଜ ଖବର ବି ରଖନ୍ତି ନାହିଁ ।

 

ଦିନେ ଯେ ସଂସାର କରିଥିଲେ, ତାଙ୍କର ସ୍ତ୍ରୀ –ପୁତ୍ର, ବନ୍ଧୁ –ବାନ୍ଧବ, ଆତ୍ମୀୟ ସ୍ୱଜନ, ଘରଦ୍ୱାର ସବୁ ଥିଲା ଏକଥା ବର୍ତ୍ତମାନ ପ୍ରାୟ ଭୁଲି ଯାଇଛନ୍ତି ।

 

ତଳ ମହଲାରେ ତାଙ୍କ ରୁମ୍‌ । ହୋଟେଲରେ କେତେ ଲୋକ । ବିଭିନ୍ନ ଜାତିର ମଣିଷ ଗୋଟିଏ ଛାତ ତଳେ ଏକାକାର ହୋଇଛନ୍ତି, ସେମାନେ ବନ୍ଧୁ ପରି, ଭାଇ ପରି ମିଳିମିଶି ଏଇ ଶିଳ୍ପତୀର୍ଥ ଦର୍ଶନ କରୁଛନ୍ତି । କେହି କେହି ନିଜେ ବି ଶିଳ୍ପୀ, ସେମାନେ ଆସିଛନ୍ତି ଶିଳ୍ପ ସାଧନା କରିବାକୁ ଏବଂ ଅତୀତର ଶ୍ରେଷ୍ଠ ଶିଳ୍ପୀମାନଙ୍କ ସାଧନା ସଙ୍ଗେ ପରିଚିତ ହେବାକୁ । ଭାଗବତ ବାବୁଙ୍କ ରୁମ୍‌ ପାଖ ଦେଇ ସମସ୍ତେ ଯାତାୟତ କରନ୍ତି । ରୁମ୍‌ ଅବଶ୍ୟ ଅଧିକାଂଶ ସମୟରେ ହିଁ ବନ୍ଦଥାଏ ।

 

ରାତିରେ ରୁମ୍‌କୁ ଫେରିଆସି ସେ ପାଦଚାରଣ କରୁ କରୁ ସିଗାରେଟ୍‍ ଟାଣନ୍ତି । ସବୁକଥା ଲକ୍ଷ୍ୟ କରନ୍ତି । କାହା ସଙ୍ଗେ ଏବେସୁଦ୍ଧା ପରିଚୟ ହୋଇନି । ନିଜକୁ ଆଉ ନିଃସଙ୍ଗ ମନେହୁଏନାହିଁ । କେତେ ଲୋକ, ସେମାନଙ୍କର ପଦଶବ୍ଦ ତାଙ୍କୁ ସଚକିତ କରି ତୋଳେ । ପାଖ ଘରୁ ଶବ୍ଦ ଭାସି ଆସେ । ସେ ଘରେ ଥାଆନ୍ତି ଏକ ନବ ବିବାହିତ ଦମ୍ପତି । ଧୀରେ ଧୀରେ ସେମାନେ କଥାବର୍ତ୍ତା ହେଉଛନ୍ତି । କେତେ କଥା, ଅସରନ୍ତି କଥା । ନୂଆ ପ୍ରେମର ଉନ୍ମତ୍ତ ସ୍ରୋତରେ ଭାସି ଚାଲିଛନ୍ତି ସେମାନେ । ଭାଗବତ ବାବୁ ମନ ଦେଇ ଶୁଣୁଛନ୍ତି । ଗୋଟାଏ ଦୀର୍ଘ ଶ୍ୱାସ ବାହାରି ଆସେ । ନିଜ ବିଛଣାକୁ ଥରେ ଚାହିଁ ଦେଖନ୍ତି ଭାଗବତ ବାବୁ । ବିଛଣା ଗୋଟା ହୋଇଛି, ଜୀର୍ଣ୍ଣ, ମଳିନ । କୌଣସି ଭଦ୍ରଲୋକ ଯେ ଏଇ ବିଛଣାରେ ଶୋଇପାରନ୍ତି ତାହା ନ ଦେଖିଲେ କେହି ବିଶ୍ୱାସ ବିଶ୍ୱାସ କରିବେ ନାହିଁ । ବିଛଣା ଦିଗରେ ଆଖି ପଡ଼ିବା ମାତ୍ରେ ହିଁ ଅତୀତ କଥା ସବୁ ଗୋଟିଏ ପରେ ଗୋଟିଏ ମନେପଡ଼ିଯାଏ । ମାୟା, ମାଧବ, ବୁଢ଼ା, ଅଲି ସମସ୍ତେ ଆସନ୍ତି । ମୁଣ୍ଡ ବୁଲାଇ ଦିଏ । କିଛି ଦେଖାଯାଏ ନାହିଁ । ପାଖଘରୁ ସେମାନଙ୍କର କୌଣସି କଥା ଆଉ ଶୁଣାଯାଉ ନାହିଁ । ସମସ୍ତ ଇନ୍ଦ୍ରୀୟ ଯେପରି ହଠାତ୍‌ ଗୋଟାଏ ଆଘାତରେ ଅଚଳ ହୋଇ ଯାଇଛନ୍ତି । ପୁରୁଣା କ୍ଷତ ଦେଇ ଆଉଥରେ ରକ୍ତ ଝରିବାକୁ ଲାଗେ, ଅସହ୍ୟ ଯନ୍ତ୍ରଣା । ଭାଗବତ ବାବୁ ଆଉ ସ୍ଥିର ହୋଇ ରହିପାରୁ ନାହାନ୍ତି । ହୋଟେଲର ବାରଣ୍ଡାରେ ପ୍ରହରୀପରି ପାଦଚାରଣା କରିବାକୁ ଆରମ୍ଭ କଲେ । ଆନତ ଶୂନ୍ୟ ଦୃଷ୍ଟି, ସେଥିରେ ନା ଅଛି ଆଶା, ନା ଅଛି ଭରସା ।

 

ଦୁଇ ପାଖରେ ଅସଂଖ୍ୟ ରୁମ୍‌ । ସବୁ କବାଟ ବନ୍ଦ । କୌଣସି ଶବ୍ଦ ନାହିଁ । ନିବିଡ଼ ଶାନ୍ତି ବିରାଜମାନ। ସମସ୍ତ ହୋଟେଲ ଯେପରି ଶୋଇ ପଡ଼ିଛି । ଖାଲି ଭାଗବତ ବାବୁଙ୍କ ଆଖିରେ ନିଦ ନାହିଁ । ପ୍ରତ୍ୟେକ ଦୁଆର ପାଖରେ ଜୋତା ରହିଛି । ପୁରୁଷମାନଙ୍କ ଭାରି ଭାରି ଜୋତା ପାଖରେ ସ୍ତ୍ରୀମାନଙ୍କର ହାଲୁକା ଛୋଟ ଛୋଟ ଜୋତା । ମନେହୁଏ ସେମାନେ ଭଲରେ ଅଛନ୍ତି, ସୁଖରେ ଅଛନ୍ତି । ଆରାମରେ ଶୋଇଛନ୍ତି । ସ୍ୱାମୀ ସ୍ତ୍ରୀ ପରସ୍ପରର ବାହୁ ବନ୍ଧନମଧ୍ୟରେ ଶାନ୍ତିରେ ନିଦ୍ରା ଯାଇଛନ୍ତି । ତାଙ୍କପରି ହତଭାଗା ଆଉ କିଏ ଅଛି ।

 

ଏହିପରି ଭାବରେ ପାଞ୍ଚ ବର୍ଷ କଟିଯାଇଛି । ଏହା ମଧ୍ୟରେ ଆଉ କୌଣସି ଉଲ୍ଲେଖଯୋଗ୍ୟ ଘଟଣା ଘଟିନି । ମଝିରେ ମଝିରେ ତାଙ୍କ ନିସ୍ତରଙ୍ଗ ଜୀବନରେ ସାମୟିକ ବୁଦ୍‌ବୁଦ୍‌ ଦେଖାଦିଏ – ସେଥିରେ ଜୈବିକ କ୍ଷୁଧା ହୁଏତ ଶାନ୍ତ ହୁଏ, କିନ୍ତୁ ମନ ଅତୃପ୍ତ ରହିଯାଏ । ଅର୍ଥର ବିନିମୟରେ କିଣା ସୁଖ, କ’ଣ ଆତ୍ମାକୁ ଶାନ୍ତି ଦେଇପାରେ

 

ପ୍ରତିଦିନ ପରି ସେଦିନ ବି ବୁଲୁଛନ୍ତି ଭାଗବତ ବାବୁ । ବଡ଼ ରାସ୍ତାର ମଝିରେ ହଠାତ୍‌ ଜଣେ ମହିଳାକୁ ଦେଖି ପାରିଲା । ତାର ଚାଲିଚଳଣି ହାବଭାବ ଭାଗବତ ବାବୁଙ୍କୁ ବିସ୍ମିତ କଲା ସାଙ୍ଗରେ ଜଣେ ପୁରୁଷ । ବେଶ୍‌ ଲମ୍ବା । ଆଉ ଗୋଟିଏ ଛୋଟ ପିଲା । ତିନିହେଁ ଭାଗବତ ବାବୁଙ୍କ ଆଗ ଦେଇ ଯାଉଥିଲେ । ତାଙ୍କର ମନେହେଲା, କେଉଁଠି ଯେପରି ଏମାନଙ୍କୁ ଦେଖିଛନ୍ତି । ହଠାତ୍‌ ମହିଳାଟିର ହାତ ହଲାଇବା ଭଙ୍ଗି ଦେଖି ସେ ବୁଝି ପାରିଲେ ସେ ତାଙ୍କର ସ୍ତ୍ରୀ ମାୟା । ସାଙ୍ଗରେ ମାଧବ ଆଉ ତାଙ୍କ ପୁଅ ବୁଢ଼ା ।

 

ଭାଗବତ ବାବୁଙ୍କ ଛାତି ଧଡ଼୍‍ଧଡ଼୍‍ କରିବାକୁ ଲାଗିଲା, ବର୍ତ୍ତମାନ ବୋଧହୁଏ ହୃଦ୍‌ଯନ୍ତ୍ରର କ୍ରିୟା ବନ୍ଦ ହୋଇଯିବ । ତେବେ ବି ସେ ଠିଆ ହେଲେ ନାହିଁ । ସେମାନଙ୍କୁ ଦେଖିବା ପାଇଁ ଇଚ୍ଛା ହେଲା, ସଙ୍ଗେ ସଙ୍ଗେ ଛୁଟିଲେ ସେମାନଙ୍କ ପଛେ ପଛେ । ଦେଖିଲେ ମନେହୁଏ ଗୋଟିଏ ମଧ୍ୟବିତ୍ତ ପରିବାର, ସ୍ୱଚ୍ଛଳ ଅବସ୍ଥା । ମାୟା ମାଧବର ହାତଧରି ଚାଲୁଚାଲୁ ଖୁବ୍‌ ଧୀରେଧୀରେ କଥା କହୁଛି, ଆଉ ମଝିରେ ମଝିରେ ଆଡ଼ ଆଖିରେ ତାକୁ ଚାହୁଁଛି । ସ୍ତ୍ରୀ ମୁହଁର ଗୋଟିଏ ପାଖ ଦେଖାଯାଉଛି । ତାର ସୁନ୍ଦର ମୁଖଶ୍ରୀ, ଓଷ୍ଠଧାରର ମୃଦୁ କମ୍ପନ, ମଧୁବୋଳା ହସ, ପ୍ରେମ ମଧୂର ଦୃଷ୍ଟି ସବୁ ସେ ଚିହ୍ନି ପାରିଛନ୍ତି । କିନ୍ତୁ ଶିଶୁଟିହିଁ ତାଙ୍କର ସମସ୍ତ ଚିନ୍ତା ଆବୋରି ବସିଛି । ବାଃ ! କି ଲମ୍ବା ହୃଷ୍ଟ ପୃଷ୍ଟ ପିଲା-। ଖାଲି ତାର ଲମ୍ବା ଲମ୍ବା ଝାମ୍ପୁରା ବାଳ, ଏତିକି ମାତ୍ର ଦେଖିବାକୁ ପାଉଛନ୍ତି । ସେଇ ଲମ୍ବା ପିଲାଟି, ଯିଏ ଖାଲି ପାଦରେ ତା’ ମା’ର ହାତ ଧରି ଚାଲୁଛି..... ସେ ତାଙ୍କର ପିଲା, ତାଙ୍କର ଛୋଟ ବୁଢ଼ା । ସେଇ ଛୋଟ ବୁଢ଼ା ଆଜି ଏତେ ବଡ଼ ହେଲାଣି ।

 

ଗୋଟାଏ ଦୋକାନ ପାଖକୁ ଆସି ସେମାନେ ଠିଆ ହେଲେ । ସେ ବି ସେମାନଙ୍କୁ ଦେଖିନେଲେ । ମାଧବ ଯେପରି ଅନେକ ବୁଢ଼ା ହୋଇଗଲାଣି, ବାଳ ପାଚିଲାଣି, ଆଗ ତୁଳନାରେ ବେଶ୍‌ ରୋଗା ଦେଖାଯାଉଛି । ମାୟା କିନ୍ତୁ ବେଶ୍‌ ମୋଟା ସୋଟା ହୋଇଛି, ତାର ଯୌବନ ଏତେ ଟିକିଏ ସୁଦ୍ଧା ମଳିନ ପଡ଼ିନି । ଠିକ୍‌ ଆଗ ପରି ଅଛି.....ପାଞ୍ଚ ବର୍ଷର ବ୍ୟବଧାନରେ ବି ବୟସ ବଢ଼ିବାର କୌଣସି ଲକ୍ଷଣ ତା ଦେହରେ ଦେଖାଯାଉନି । କିନ୍ତୁ ବୁଢ଼ା ଯେପରି ଏକାଥରେ ବଦଳି ଯାଇଛି । ଚିହ୍ନି ହେଉନାହିଁ । ଆଗରୁ ସେ ଯେପରି ଦେଖାଯାଉଥିଲା, ସେ ଆଉ ସେପରି ନାହିଁ ।

 

ସେମାନେ ପୁଣି ଚାଲିବାକୁ ଲାଗିଲେ । ଭାଗବତ ବାବୁ ବି ପଛେ ପଛେ ଯାଉ ଯାଉ ହଠାତ୍‌ ଜୋରରେ ଆଗେଇ ଯାଇ ସେମାନଙ୍କୁ ଅତିକ୍ରମ କରିଗଲେ । ତାପରେ ପୁଣି ଫେରି ଆସିଲେ । ବୁଢ଼ା ପାଖ ଦେଇ ଯିବାବେଳେ ତାଙ୍କର ମନେହେଲା ତାକୁ ଧରି ଛୁଟି ପଳାଇ ଯାଆନ୍ତେ-। ଅନ୍ୟମନସ୍କଭାବେ ଚାଲୁ ଚାଲୁ ବୁଢ଼ା ସଙ୍ଗେ ଧକ୍କା ଲାଗିଗଲା, ଧକ୍କା ଲାଗି ବୁଢ଼ା ପଡ଼ିଗଲା ତଳେ । ତାପରେ କଟ ମଟ କରି ତାଙ୍କ ଆଡ଼େ ଚାହିଁଲା । ଭାଗବତ ବାବୁ ଆଉ ତା ଆଡ଼େ ଚାହିଁ ପାରିଲେନି । ଶିଶୁର ତୀକ୍ଷ୍ଣ ଦୃଷ୍ଟି ଛୁଞ୍ଚି ପରି ତାଙ୍କୁ ବିନ୍ଧିବାକୁ ଲାଗିଲା । ମର୍ମାହତ ହୋଇ ସେ ଚୋର ପରି ସେଠାରୁ ପଳାଇ ଆସିଲେ । ମନେ ମନେ ଭୟ ହେଲା, ହୁଏତ ତାଙ୍କ ସ୍ତ୍ରୀ ଆଉ ମାଧବ ତାଙ୍କୁ ଦେଖି ଚିହ୍ନି ପାରିଛନ୍ତି । ବାଟରେ ଆଉ କୌଣସି ଠାରେ ଠିଆ ନହୋଇ ସିଧା ହୋଟେଲକୁ ଆସି ଚେଆରରେ ବସି ପଡ଼ିଲେ । ସେଦିନ ରାତିରେ ଅନ୍ୟ ଦିନଠାରୁ ଖୁବ୍‌ ବେଶି ମଦ ଖାଇଲେ ଭାଗବତ ବାବୁ ।

 

ଚାରିମାସ ଧରି ଏଇ ଅପ୍ରତ୍ୟାଶିତ ଘଟଣାରେ ତାଙ୍କ ଦେହ ପ୍ରାଣ ବ୍ୟଥାରେ ବ୍ୟଥିତ ହୋଇଉଠିଲା କୌଣସିମତେ ସେମାନଙ୍କ କଥା ଭୁଲି ପାରୁନାହାନ୍ତି । ପ୍ରତିଦିନ ରାତିରେ ଖାଇବାକୁ ଯିବା ଆଗରୁ ସେମାନଙ୍କୁ ଦେଖିବାକୁ ପାଆନ୍ତି । ବାପ, ମା’ ଆଉ ପିଲା, ତିନିହେଁ ପାଖାପାଖି ବଡ଼ ରାସ୍ତା ଉପରେ ବୁଲୁଛନ୍ତି । ପୁରୁଣା ସ୍ମୃତି ଧୀରେଧୀରେ ଲିଭିଯାଏ, ଆଉ ତା ସ୍ଥାନରେ ଏଇ ନୂତନ ବିଭୀଷିକା ଉଦୟ ହୁଏ । ବୁଢ଼ା, ତାଙ୍କ ପ୍ରାଣର ବୁଢ଼ା, ଯାହାକୁ ଦିନେ ଖୁବ୍‌ ଭଲ ପାଉଥିଲେ, ଆଦର କରି କେତେ ଚୁମା ଦେଉଥିଲେ, ସେ ବି ଆଜି ଅତୀତର ଅନ୍ଧକାରରେ ବିଲୀନ ହୋଇଯାଇଛି । ସେ ସ୍ଥାନରେ ଠିଆ ହୋଇଛି ଗୋଟିଏ ନୂତନ ବାଳକ – ସେ ତାକୁ ଚିହ୍ନନ୍ତି ନାହିଁ । ଏକଥା ଭାବିଲେ କଷ୍ଟ ହୁଏ । ଶିଶୁପୁତ୍ରର ସକଳସ୍ନେହ ମରିଯାଇଛି । ସେମାନଙ୍କ ମଧ୍ୟରେ ଆଉ କୌଣସି ବନ୍ଧନ ନାହିଁ । ତାଙ୍କୁ ଦେଖି ଦୁଇହାତ ବଢ଼ାଇ ତାଙ୍କ କୋଳକୁ ସେ ତ ଡେଇଁ ପଡ଼ିଲାନି ବରଂ ସେ ତାଙ୍କୁ କଟମଟ କରି ଚାହୁଁଥିଲା ।

 

ଧୀରେଧୀରେ ଅଶାନ୍ତ ମନ ଶାନ୍ତ ହୁଏ । ମାନସିକ ଯନ୍ତ୍ରଣା ବି ଧୀରେଧୀରେ କମି ଆସେ । ଯେଉଁ ବିଭିଷୀକାମୟୀ ମୂର୍ତ୍ତି ରାତିପରେ ରାତି ତାଙ୍କୁ ନିର୍ଯ୍ୟାତିତ କରୁଥିଲା, ତାହା ବି କ୍ରମେ ମିଳାଇ ଯାଇଛି । ସେ ପୁଣିଥରେ‌ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲେ । ଆଉ ପାଞ୍ଚଜଣ ବଡ଼ଲୋକ ଯେପରି ଦିନ କଟାନ୍ତି, ଭାଗବତ ବାବୁ ସେହିପରି ଜୀବନ ଆରମ୍ଭ କଲେ । କାଚବସା ଟେବୁଲ ଉପରେ ମଦ ଖାଆନ୍ତି ଆଉ ଭେଲଭେଟ୍‌ ଚେଆରରେ ବସି କଡ଼ି କାଠ ଗଣନ୍ତି ।

 

ବସିବସି ବୟସ ଯେପରି ଚାରିଗୁଣ ବଢ଼ିଯାଇଛି, ଗ୍ୟାସ ବତୀର ଆଲୋକରେ ମୁଣ୍ଡ ଚନ୍ଦା ହୋଇଯାଇଛି । ଯଦି କୌଣସିଦିନ ଗୋଟାଏ ନୂଆ କୋଟ କି ଗୋଟାଏ ଟୋପି କିଣି ଆଣନ୍ତି-– ତାଙ୍କ ଜୀବନରେ ସେ ଏକ ଐତିହାସିକ ଘଟଣା ହୁଏ । ସେଦିନ କି ଆନନ୍ଦ ଭାଗବତ ବାବୁଙ୍କର-। ଯେଉଁଦିନ ନୂଆ ଟୋପି ପିନ୍ଧି ହୋଟେଲକୁ ଆସନ୍ତି ବାରମ୍ବାର ଆଇନାରେ ମୁହଁକୁ ଦେଖନ୍ତି, ଅନେକ ସମୟ ଧରି ଦେଖନ୍ତି, ତାଙ୍କୁ କିପରି ମାନୁଛି । କେବେ ବା ପିଲାଙ୍କପରି ହସି ଉଠନ୍ତି, ପୁଣି କେତେବେଳେ ଭ୍ରୂକୁଞ୍ଚନ କରି ନୀରବ ଭାଷାରେ ଜଣାନ୍ତି, ନା ଠିକ୍ ମାନୁନାହିଁ । ତାପରେ ହଠାତ୍‌ ଆଇନା ଆଗରୁ ଉଠିଆସି ନିଜ ଚେଆରରେ ବସିପଡ଼ି ଟୋପିଟା ଖୋଲି ଟେବୁଲ ଉପରେ ରଖନ୍ତି-। ପୁଣି କ’ଣ ମନେକରି ହଠାତ୍‌ ଟୋପି ମୁଣ୍ଡରେ ଦେଇ ତାଙ୍କ ବାନ୍ଧବୀ ରେଖାକୁ କହନ୍ତି,

 

‘ରେଖାଦେବୀ ।’

‘କ’ଣ କହୁଛନ୍ତି ସାର୍‌ ।’

‘ଦେଖନ୍ତୁତ ଏଇ ଟୋପିଟା ମୋତେ କିପର ମାନୁଛି ।’

‘ବେଶ୍‌ତ । ଭଲ ଦେଖାଯାଉଛି ସାର୍‌ ।’

 

‘ଜାଣେ । ଭଲ ତମକୁ କହିବାକୁ ହେବ ।’ ଏହା କହି ଭାଗବତ ବାବୁ ହୋ ହୋ କରି ହସି ଉଠିଲେ । ରେଖା ମୁରୁକି ମୁରୁକି ହସିଲା । ସେ ହସରେ ଅସୀମ ସହାନୁଭୂତି ଯେପରି ଫୁଲ ପରି ଝରି ପଡ଼ିଲା ।

 

ଭାଗବତ ବାବୁ ବୁଝିପାରନ୍ତି ନାହିଁ, କେତେବେଳେ ସେଇ ରଙ୍ଗୀନ ଦିନଗୁଡ଼ିକ ତାଙ୍କ ଆଗ ଦେଇ ଚାଲିଯାଉଛି । ହୋଟେଲର ଗୋଟାଏ କୋଣରେ ଗୋଟାଏ ଟେବୁଲ ପାଖରେ ବସି ବସି ଧୀରେ ଧୀରେ ସେ ମୃତ୍ୟୁ ନିକଟକୁ ଆଗେଇ ଯାଉଛନ୍ତି ନିର୍ଭୟରେ, ବିନା ଉତ୍ତେଜନାରେ । କେବଳ ଯେଉଁ ବଡ଼ ଆଇନାଟା ଉପରେ ମୁଣ୍ଡ ରଖି ସେ ବସନ୍ତି, କାଳର ଅନିବାର୍ଯ୍ୟ ଧ୍ୱଂସଲୀଳା ସେଥିରେ ପ୍ରତିବିମ୍ବିତ ହୁଏ ।

 

ଭାଗବତ ବାବୁ ଆଉ ନିଜ କଥା ଭାବୁନାହାନ୍ତି । ଯେଉଁ ଭୀଷଣ ଝଡ଼ ତାଙ୍କ ଜୀବନକୁ ଭାଙ୍ଗି ଚୁରମାର କରିଦେଇଛି, ତାଙ୍କ ସ୍ୱପ୍ନର ସମାଧି ରଚନା କରିଛି ସେ କଥା ବି ଆଜି ଆଉ ମନେପଡ଼ୁନାହିଁ । ମନ ରିକ୍ତ....କୌଣସି ସ୍ମୃତି ଆଉ ନାହିଁ । ସେଇ ନାଟକୀୟ ସନ୍ଧ୍ୟାର କଥା ଏକଦମ ଭୁଲି ଯାଇଛନ୍ତି । ସେ ତ ବର୍ଷେ ଦୁଇ ବର୍ଷର କଥା ନୁହେଁ । କୋଡ଼ିଏ ବର୍ଷ ତା’ପରେ ବିତିଗଲାଣି । ଏଇ ସୁଦୀର୍ଘ ସମୟ ମଧ୍ୟରେ ସେ ଅତ୍ୟନ୍ତ ଅବସନ୍ନ ହୋଇପଡ଼ିଛନ୍ତି । ଜୀବନର ସମସ୍ତ ରସ ନିଃଶେଷ ହୋଇଯାଇଛି । ସମସ୍ତ ଆଲୋକ ନିର୍ବାପିତ ହୋଇଛି । କ୍ଲାନ୍ତ କ୍ଷତ ବିକ୍ଷତ ସୈନିକ ମୃତ୍ୟୁର ଦିନ ଗଣୁଛି । ତାଙ୍କୁ ଦେଖିଲେ କଷ୍ଟ ହୁଏ, ଆଖିର ଲୁହ ସମ୍ଭାଳିବା କଷ୍ଟ ହୁଏ । ହୋଟେଲ ମାଲିକ ମଝିରେ ମଝିରେ କହନ୍ତି, ‘ସାର, ଏଣିକି ସାବଧାନ ହୁଅନ୍ତୁ । ଗତ କେତେମାସ ମଧ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟ ଭାରି ଖରାପ ହୋଇଗଲାଣି । କିଛିଦିନ ପାଇଁ ବାହାରେ ବୁଲି ଆସନ୍ତୁ । ସ୍ଥାନ ପରିବର୍ତ୍ତନ କଲେ ଦେହ ସୁସ୍ଥ ହେବ ।’

 

ଭାଗବତ ବାବୁ ବାହାରକୁ ଗଲେ ସେ ରେଖାକୁ କହନ୍ତି, ‘ଭାଗବତ ବାବୁଙ୍କର ଆଉ ବେଶୀଦିନ ନୁହେଁ ! ସେପୁରରୁ ତାଙ୍କୁ ନିମନ୍ତ୍ରଣ ଆସିଗଲାଣି । ସହର ମଧ୍ୟରେ ଏପରି ଆବଦ୍ଧ ରହିବାର କୌଣସି ଅର୍ଥ ନାହିଁ । କହନା, ସେ ମଝିରେ ମଝିରେ ଦିନେ ଦୁଇଦିନ ପାଇଁ କୁଆଡ଼େ ଯାଇ ବୁଲି ଆସନ୍ତୁ । ତୁମ ଉପରେ ତ ତାଙ୍କର ଅଗାଧ ବିଶ୍ୱାସ । ଏବେ ଉପଯୁକ୍ତ ସମୟ, ଦେହ ଭଲ ହୋଇଯିବ ।’

 

ଏକଥା ଶୁଣି ରେଖାର ଆଖି ଦୁଇଟି ଚିକ୍‌ଚିକ୍‌ କରି ଉଠେ । କେତେ ବିନ୍ଦୁ ଲୁହ ଝରିପଡ଼େ । କାନିରେ ଲୁହ ପୋଛୁପୋଛୁ କହେ, ‘ଯିଏ ମରିବାକୁ ଚାହେଁ, ତାକୁ ବଞ୍ଚାଇବି କିପରି, ଭାଗବତ ବାବୁ ତ ଆତ୍ମହତ୍ୟା କରୁଛନ୍ତି, ତେବେ ମୁଁ ଚେଷ୍ଟା କରି ଦେଖିବି – ଯଦି କିଛି କରିପାରେ-।’

 

ଦିନେ ରେଖା ଭାଗବତ ବାବୁଙ୍କ ପାଖକୁ ଆସି ଧୀରେ ଧୀରେ କହିଲା, ‘ସାର୍‍ ଗୋଟିଏ କଥା କହିବି, ରଖିବେ ତ’

‘କି କଥା କୁହ ।’

 

କିଛିଦିନ ପାଇଁ ସହର ଛାଡ଼ି ବାହାରେ ବୁଲି ଆସନ୍ତୁ । ସ୍ଥାନ ପରିବର୍ତ୍ତନ ହେଲେ ଦେହ ଭଲ ରହିବ, ମନ ପ୍ରଫୁଲ୍ଲ ହେବ । ଏବେ ତ ଠିକ୍‌ ସମୟ । ଏବେ ଗାଁ ମାଟି ବେଶ୍‌ ଭଲ ଲାଗିବ ଆପଣଙ୍କୁ । ମୋର ବି ବାହାରି ପଡ଼ିବା ପାଇଁ ଇଚ୍ଛା ହେଉଛି ।’

 

ଭାଗବତ ବାବୁ ରେଖାଆଡ଼େ ଥରେ ଚାହିଁଲେ । ଆଖି ଦୁଇଟି ସମବେଦନାରେ ଛଳ ଛଳ କରୁଛି । ଭାଗବତ ବାବୁଙ୍କ ଆଖିରେ ବି ଲୁହ । କହିଲେ, ‘ତୁମକୁ ବୋଧହୁଏ ଗାଁ ଭଲ ଲାଗେ-।’

 

‘ଖୁବ୍‌ ଭଲ ଲାଗେ ସାର୍‌ ।’ ତା ପରେ କହିଗଲା ତାର ସ୍ୱପ୍ନର କଥା । ଗରିବ ଘରର ଝିଅମାନେ ଯେଉଁ ସ୍ୱପ୍ନ ଦେଖନ୍ତି । ବର୍ଷ ପରେ ବର୍ଷ ସହରର କୌଣସି ଦୋକାନରେ ସେମାନେ କାମ କରନ୍ତି । ଆଗରେ ସହରର ସୁରଭିତ ରଙ୍ଗୀନ ଜୀବନର ସ୍ରୋତ ଚାଲିଛି । ଅଥଚ ସେମାନେ ପଲ୍ଲୀର ନିବିଡ଼ ଶାନ୍ତି, ଶ୍ୟାମଳ ସୁଷମାର ସ୍ୱପ୍ନ ଦେଖନ୍ତି । ଗ୍ରାମର ଶାନ୍ତ ସୁନ୍ଦର ଜୀବନ ସେମାନଙ୍କ ରକ୍ତରେ ଆଲୋଡ଼ନ ଆଣେ । ସ୍ନିଗ୍ଧ ଛାୟାଘେରା ବିପିନର ଜୀବନ, ପଥ-ପ୍ରାନ୍ତର ସୂର୍ଯ୍ୟସ୍ନାତ ଜୀବନ, ଗଭୀର ଅରଣ୍ୟ, ସ୍ୱଚ୍ଛ ନଦୀର କଳ କଳ ଧ୍ୱନି, ସୁଗନ୍ଧିତ ପୁଷ୍ପର ମନ ଉତ୍ତଳା ସୌରଭ ପାଗଳ କରି ତୋଳେ । କେତେ ଛୋଟ ବଡ଼ ସ୍ୱପ୍ନବୋଳା ଛବି ଆଙ୍କିଗଲା ରେଖା । ବ୍ୟର୍ଥ ଜୀବନର ଦୁଃଖ ଉଦ୍‌ବେଳିତ ହୋଇଉଠିଲା । ଝରଝର କରି ଲୁହ ଝରିବାକୁ ଲାଗିଲା । ଲୁହ ପୋଛିବାକୁ ନିଜ ସ୍ଥାନକୁ ଫେରିଗଲା ରେଖା ।

 

ଏହାପରେ ଅନେକ ଥର ରେଖା ତାର ଆଶାର କଥା, ସ୍ୱପ୍ନର କଥା – ଯାହା କୌଣସି ଦିନ ପୂରଣ ହୋଇପାରିବନି, ସେ କଥା ଭାଗବତ ବାବୁଙ୍କୁ କହିଛି । ତାଙ୍କୁ ମଧ୍ୟ ଶୁଣିବାକୁ ଭଲ ଲାଗେ । ଆଶାହତ ଏକ ବୃଦ୍ଧ, ଆଉ ଜଣେ ବିତ୍ତହୀନ ତରୁଣୀ – ଦୁହେଁ ଭଗ୍ନ ହୃଦୟ । ଭାଗବତ ବାବୁ ବି ମଝିରେ ମଝିରେ ତା ପାଖରେ ବସି ଗ୍ରାମ ସମ୍ବନ୍ଧରେ କେତେକଥା ଆଲୋଚନା କରନ୍ତି । କ୍ରମେ ତାଙ୍କର ଥରେମାତ୍ର କୌଣସି ଗ୍ରାମକୁ ଯାଇ ସବୁ ନିଜ ଆଖିରେ ଦେଖି ଆସିବାକୁ ଇଚ୍ଛା ହେଲା । ସତେ କ’ଣ ଗ୍ରାମ ଏତେ ସୁନ୍ଦର ରେଖା ତ ବଢ଼େଇ କରି କହୁନି । ବିଶାଳ ସହରର ଉପକଣ୍ଠରେ ମଣିଷର ଜୀବନ ସତେ କ’ଣ ଏପରି ସୁନ୍ଦର, ଏପରି ମଧୁର ଥରେ ଯାଇ ଦେଖି ଆସିଲେ ହେବ । ଦିନେ ସେ ରେଖାକୁ କହିଲେ, ‘କହିପାରିବ ରେଖା, ଏଇ ସହରର ଉପକଣ୍ଠରେ କେଉଁଠି ଭଲ ଖାଇବାକୁ ମିଳିବ ।’

 

‘କାହିଁକି ସାର ଏଥର ସତେ କ’ଣ ବାହାରୁଛନ୍ତି ଭଲ ଭଲ । ନୀଳକଣ୍ଠପୁରକୁ ଯାଆନ୍ତୁ, ଖୁବ୍‌ ଭଲ ଜାଗା ।’

 

ଭାଗବତ ବାବୁ ନୀଳକଣ୍ଠ ପୁରକୁ ଆଗରୁ ଥରେ ଯାଇଥିଲେ । ସେତେବେଳେ ମାୟା ସଙ୍ଗେ ବିବାହ ଠିକ୍‌ ହେଉଛି । ସେଠାକୁ ଯିବା ପାଇଁ ସ୍ଥିର କଲେ । ଗୋଟାଏ ରବିବାର ଦେଇ ବାହାରି ପଡ଼ିଲେ । ରବିବାର ଦିନ ଯାତ୍ରା କରିବାର ଅବଶ୍ୟ ବିଶେଷ କୌଣସି କାରଣ ନ ଥିଲା ।

 

ଅକ୍ଟୋବର ମାସ । ମେଘମୁକ୍ତ ଆକାଶ, ସୂର୍ଯ୍ୟ କିରଣ ଝଲ ମଲ କରୁଛି । ଶୀତ ଆରମ୍ଭ ହୋଇନାହିଁ । ରେଳଗାଡ଼ିର ଝରକା ପାଖକୁ ବସିଛନ୍ତି ଭାଗବତ ବାବୁ । ହୁ ହୁ କରି ଛୁଟି ଚାଲିଛି ରେଳଗାଡ଼ି । ଗଛସବୁ ଯେପରି ଓଲଟା ଦିଗରେ ଛୁଟି ପଳାଉଛନ୍ତି । ଦେଖି ଦେଖି ନିଶାଲାଗି ଆସେ । ମୁଣ୍ଡ ଝିମ୍‌ଝିମ୍‌ କରିଉଠେ । ଟିକିଏ ବିଷନ୍ନ ହୋଇପଡ଼ନ୍ତି ସେ । ମନେମନେ ନିଜ ଉପରେ ବିରକ୍ତ ହୁଅନ୍ତି । କାହିଁକି ସେ ସହର ବାହାରକୁ ମରିବାକୁ ଆସିଲେ କାହିଁକି ତାଙ୍କର ଏପରି ଅଦ୍ଭୁତ ଖିଆଲ ହେଲା କୋଡ଼ିଏ ବର୍ଷର ଅଭ୍ୟସ୍ତ ଜୀବନକୁ ଏପରି ଭାବରେ ପକାଇ ଦେଇ ଆସିବା ମୋଟେ ଉଚିତ ହୋଇନି । ଅନନ୍ତ ପରିବର୍ତ୍ତନ ଶୀଳ, ଗତିମୟ ଅଥଚ ଚିରନ୍ତନ ଏଇ ଦୃଶ୍ୟ, ତାଙ୍କୁ ମୋଟେ ଭଲ ଲାଗୁନାହିଁ । କ୍ଲାନ୍ତିରେ ମନ ଯେପରି ଭାଙ୍ଗି ପଡ଼ୁଛି । ତୃଷାରେ ଗଳା ଶୁଖିଯାଉଛି । ଇଚ୍ଛାହେଉଚି ପ୍ରଥମ ଷ୍ଟେସନରେ ଓହ୍ଲାଇ ପଡ଼ି ଆଗ ଚା ଦୋକାନରୁ ଚା’ ଖାଇ ପରବର୍ତ୍ତୀ ଗାଡ଼ିରେ ପୁଣି ପରିଚିତ ସହରକୁ ଫେରିଯିବାକୁ । ପଥ ଯେପରି ଆଉ ସରିବାକୁ ଚାହେଁନାହିଁ । ରାତିସାରା ଚୁପ୍‌ ହୋଇ ବସିଥାନ୍ତେ ଆଉ ଆଖି ଆଗରେ ସମସ୍ତ ଜଗତ ସ୍ତବ୍ଧହୋଇ ଠିଆ ହୋଇଥାନ୍ତା । ଏଇ ଗତିହୀନ ଦୃଶ୍ୟ ହିଁ ତାଙ୍କ ନିକଟରେ ସତ୍ୟ ହୋଇଯାଇଛି । ଆଜି ଖାଲି ସେ ହିଁ ସ୍ଥାବର ଆଉ ସବୁକିଛି ଚଳମାନ । ଏଇ ଦୃଶ୍ୟ ଭଲ ଲାଗୁନାହିଁ । ବିରକ୍ତି ହୋଇ ଉଠନ୍ତି । ପ୍ରାଣ କମ୍ପି ଉଠେ ।

 

ଗୋଟାଏ ପୋଲ ଉପର ଦେଇ ଗାଡ଼ି ଚାଲିଛି । ନଦୀରେ କେତେଟା ନୌକା, ନାଉରୀମାନେ ଜୋର୍‍ରେ କାତ ମାରୁଛନ୍ତି । କେତେ ଲୋକ ଏଇ ସୁନ୍ଦର ଜୀବନଟା ଉପଭୋଗ କରୁନାହାନ୍ତି । ଅଳ୍ପ ସମୟ ମଧ୍ୟରେ ଗାଡ଼ି ଆସି ରହିଲା ନୀଳକଣ୍ଠପୁର ଷ୍ଟେସନରେ । ଭାଗବତ ବାବୁ ଓହ୍ଲାଇ ପଡ଼ିଲେ । ଭାରି ପଥଶ୍ରାନ୍ତ । ଧୀରେଧୀରେ ଚାଲିବାକୁ ଲାଗିଲା । ଟିକିଏ ପରେ ହଠାତ୍‌ ଠିଆହୋଇ ମୁଗ୍ଧ ବିସ୍ମିତ ଆଖିରେ ଚାହିଁରହିଲେ । ଶସ୍ୟ ଶ୍ୟାମଳା ଧରଣୀ, ଯେତେଦୂର ଆଖି ଯାଏ, ଖାଲି ସବୁଜ ଆଉ ସବୁଜ, ନିସ୍ତରଙ୍ଗ ସବୁଜ ପରି ଦିଗନ୍ତ ବିସ୍ତୃତ । ନୀଳ ଆକାଶରେ ତାରାପରି ମଝିରେ ମଝିରେ ଗୋଟାଏ ଦୁଇଟା ଗ୍ରାମ, ସହର ପରି ଜନାକୀର୍ଣ୍ଣ । ମାଟି ସଡ଼କଟା ବଙ୍କାଟଙ୍କା ହୋଇ ଚାଲିଯାଇଛି ଗ୍ରାମ ଭିତର ଦେଇ, ସଡ଼କ ଦୁଇପାଖେ ଧାଡ଼ି ଧାଡ଼ି ଗଛ । ଦୂରରେ ଗୋଟାଏ ଦୁଇଟା ପୋଖରୀ ରୂପାପରି ଚିକ୍‌ଚିକ୍‌ କରୁଛି । ଆହୁରି ଦୂରରେ କେତେଗୁଡ଼ାଏ ପାହାଡ଼ ମୁଣ୍ଡ ଟେକି ଠିଆ ହୋଇଛନ୍ତି । ନୀଳର କୁଜ୍‌ଝଟିକାରେ ସବୁ ଏକାକାର ହୋଇ ଯାଇଛି, ଅଲଗା କରି ସୂର୍ଯ୍ୟ ସ୍ନାତ ଧରିତ୍ରୀ ଯେପରି ଆନନ୍ଦରେ ଝଲମଲ କରୁଛି । ଆଉ ଅଳକା ନଦୀ ଗୋଟାଏ ଅଜଗର ପରି ସର୍ପିଳ ଗତିରେ ସମତଳ ଭୂମିକୁ ବେଷ୍ଟନ କରି, କେତେଗ୍ରାମ, କେତେପଥ, କେତେପ୍ରାନ୍ତର ଅତିକ୍ରମ କରି ଦିଗ୍‍ବଳୟରେ ମିଳାଇ ଯାଇଛି । ଭାଗବତ ବାବୁ ପ୍ରାଣଭରି ବିଶୁଦ୍ଧ ପବନ ଗ୍ରହଣ କଲେ । ଦକ୍ଷିଣା ପବନର ଯାଦୁସ୍ପର୍ଶରେ ସେ ଯେପରି ହୃତଯୌବନକୁ ଫେରିପାଇଲେ । ମନେମନେ କହିଲେ, ‘କି ସୁନ୍ଦର ସ୍ଥାନ ।’

 

ଆଉକିଛି ବାଟ ଯାଇ ଭାଗବତ ବାବୁ ଠିଆ ହୋଇ ଚତୁର୍ଦ୍ଦିଗ ଦେଖିବାକୁ ଲାଗିଲେ । ବିଧାତାର ଆଶୀର୍ବାଦ ପରି ସୂର୍ଯ୍ୟ ଲୋକ ଚର୍ତ୍ତୁଦିଗ ଚତୁର୍ଦ୍ଦିଗରେ ବିଞ୍ଚି ହୋଇପଡ଼ିଛି । ଆଲୋକର ସମାରୋହରେ ଜୀବନର ଅନ୍ଧାକର ଯେପରି ହଠାତ୍‌ ଆଜି ତାଙ୍କ ମାନସପଟରେ ଭାସିଉଠିଲା । ବିଗତ କୋଡ଼ିଏ ବର୍ଷର ହୋଟେଲ ଜୀବନ ଭାସି ଉଠିଲା । କି ବିବର୍ଣ୍ଣ, କି କରୁଣ ସେ ଜୀବନ । ଆଉ ପାଞ୍ଚଜଣଙ୍କ ପରି ସେ’ତ ଦେଶଭ୍ରମଣ କରିପାରିଥାନ୍ତେ । ସାଗର ପରପାରର କେତେ ଅଜଣା ଦେଶ ଦେଖା ହୋଇଥାନ୍ତା । କେତେ ଅପରିଚିତ ସଙ୍ଗେ ଚିହ୍ନା ପରିଚୟ ହୋଇ ପାରିଥାନ୍ତା । କେତେ ଭାବ‌ରେ ଏଇ ବିଚିତ୍ର ଜୀବନ ରସ ଆସ୍ୱାଦନ କରିପାରିଥାନ୍ତେ ସେ । ଉଦାର ପରିବର୍ତ୍ତନଶୀଳ ଏଇ ଜୀବନ – ରହସ୍ୟର ଆବରଣରେ ଘେରା ହୋଇଚି । ନା, ଡେରି ହୋଇଯାଇଛି । ଫେରିବାର ଆଉ କୌଣସି ପଥ ନାହିଁ । ପରିଚିତ ଅନ୍ଧକାରମୟ ବାଟରେ ହିଁ ତାଙ୍କୁ ଚାଲିବାକୁ ହେବ । ଯେଉଁ କେତେଦିନ ବଞ୍ଚିବେ, ମଦ ହିଁ ତାଙ୍କର ଏକମାତ୍ର ଆଶ୍ରୟ । ନିଃସହାୟ, ବିଷାଦମୟ ଜୀବନର ଏଇ ତ ପରିଣତି ।

 

କୌଣସିଥିରେ ଆଉ ତାଙ୍କର ଆଗ୍ରହ ନାହିଁ, କାହାପ୍ରତି କୌଣସି ମାୟା ନାହିଁ, ବ୍ୟର୍ଥତାର ଦୁଃଖରେ ହଠାତ୍‌ ସେ ଭାଙ୍ଗି ପଡ଼ିଲେ । ଇଚ୍ଛା ହେଲା ଛୁଟି ପଳାଇ ଯିବାକୁ, କାହାକୁ ମୁହଁ ଦେଖାଇବାକୁ ଇଚ୍ଛା ହେଉନାହିଁ । ହୋଟେଲର ଅନ୍ଧକାରମୟ ଗର୍ତ୍ତରେ ଲୁଚି ରହିପାରିଲେ ଯେପରି ବଞ୍ଚି ଯିବେ ।

 

ଭାଗବତ ବାବୁ ଭାବିଲେ, ଆଉ ବେଶୀସମୟ ଏଠାରେ ରହିଲେ ମୁଣ୍ଡ ଖରାପ ହୋଇଯିବ । ତେଣୁ ଶୀଘ୍ର ନୀଳକଣ୍ଠପୁର ଗଲେ ସେଠାରେ ଖାଇ ପିଇ ମଦନିଶା‌ରେ ନିଜର ଦୁଃଖ ଭୁଲିବାକୁ ଚେଷ୍ଟା କରିବେ ଅନ୍ତତଃ କଥାବର୍ତ୍ତା ହେବା ପାଇଁ ଜଣେ ଲୋକ ତ ମିଳିବ ଗୋଟାଏ ଛୋଟ ହୋଟେଲରେ ଯାଇ ପହଁଞ୍ଚଲେ ।

 

ନୀଳକଣ୍ଠପୁରରେ, ଖୋଲା ଆକାଶତ‌ଳେ ଗଛତଳେ ଗୋଟିଏ ଟେବୁଲ ପକାଇ ବସିଲେ । ସମସ୍ତ ଗ୍ରାମଟା ସେଠାରୁ ଦେଖାଯାଏ । ଖାଇବାକୁ ଦେବାକୁ କହିଲେ । ଧୀରେଧୀରେ ଆଉ କେତେଜଣ ଆସି ତାଙ୍କ ନିକଟରେ ବସିବାକୁ ଲାଗିଲେ । ଭାଗବତ ବାବୁ ଏତେବେଳକେ ସ୍ୱସ୍ତିର ନିଃଶ୍ୱାସ ପକାଇଲେ । ଏକା ଏକା ଭଲ ଲାଗୁନାହିଁ ଆଉ । ନିକଟରେ ତିନିଜଣ ଖାଉଛନ୍ତି । ଥରେ ଦୁଇଥର ମୁହଁଟେକି ସେମାନଙ୍କଆଡ଼େ ଚାହୁଁଛନ୍ତି, କିନ୍ତୁ ଭଲ କରି ଦେଖିନାହାନ୍ତି । ହଠାତ୍‌ ନାରୀ କଣ୍ଠର ଶଦ୍ଧରେ ଚମକି ପଡ଼ିଲେ ଭାଗବତ ବାବୁ ।

 

ନାରୀକଣ୍ଠ କହିଲା, ‘ବୁଢ଼ା, ତୁ କ’ଣ ମାଂସ ଖାଇବୁ ?’

ଜଣେ ଉତ୍ତର ଦେଲା, ‘ହଁ, ମା’ ।’

 

ଭାଗବତ ବାବୁ ମୁହଁଟେକି ଥରେ ସେମାନଙ୍କଆଡ଼େ ଚାହିଁ ବୁଝିପାରିଲେ ସେମାନେ କିଏ ତାଙ୍କ ସ୍ତ୍ରୀ ଯେପରି ଆହୁରି ଗୋରା ହୋଇଛି । ମୋଟା ସୋଟା ଗମ୍ଭୀର ପ୍ରକୃତିର ସମ୍ଭ୍ରାନ୍ତ ମହିଳା ପରି ଦେଖାଯାଉଛି ସେ । ଆଗକୁ ଝୁଙ୍କି ପଡ଼ିଛି, କାଳେ ଝୋଳ ପଡ଼ି ତା ପୋଷାକ ଖରାପ ହୋଇଯିବ । ବୁଢ଼ା ବର୍ତ୍ତମାନ ଯୁବକ । ଅଳ୍ପ ଦାଢ଼ୀ ଉଠିଚି । ଗୋଟାଏ ଟୋପି ତା ମୁଣ୍ଡରେ । ଦେହରେ ଧଳା ସାର୍ଟ ଓ ଚକଲେଟ୍‌ ରଙ୍ଗର ପ୍ୟାଣ୍ଟ । ବେଶ୍‌ ମାନୁଛି ତାକୁ । ବିନୟରେ ଭାଗବତ ବାବୁ ତାକୁ ଚାହିଁ ଚାହିଁ ଭାବିଲେ, ଏ କ’ଣ ସେଇ ବୁଢ଼ା, ତାଙ୍କ ପୁଅ ବୁଢ଼ା ନା ସେ ଏହାକୁ ଚିହ୍ନନ୍ତି ନାହିଁ । ସେମାନଙ୍କ ମଧ୍ୟରେ କୌଣସି ଆତ୍ମୀୟତା ରହିପାରେନା । ମାଧବ ତା ଆଡ଼କୁ ପଛକରି ବସିଛି ।

 

ସେମାନେ ବେଶ୍‌ ସୁଖ ସ୍ୱାଚ୍ଛନ୍ଦରେ ଅଛନ୍ତି । ସହରରୁ ମଝିରେ ମଝିରେ ଗ୍ରାମର ଶାନ୍ତ ପରିବେଶକୁ ବୁଲିବାକୁ ଆସନ୍ତି । ପ୍ରସିଦ୍ଧ ହୋଟେଲରେ ଭଲମନ୍ଦ ଖାଆନ୍ତି । ବେଶ୍‌ ମଧୁର ସେମାନଙ୍କର ଜୀବନ ଶାନ୍ତିମୟ ପାରିବାରିକ ଜୀବନ । ସୁନ୍ଦର ଘର, କେତେ ଜିନିଷରେ ଭରା, ଦେଖିଲେ ମନେହୁଏ ବାଜେ, କିନ୍ତୁ ନ ହେଲେ ଚଳେନା, ସାଂସାରିକ ଜୀବନରେ ସେମାନେ ଦିଅନ୍ତି କେତେ ଆରାମ । ମିଠା କଥାରେ ସେମାନଙ୍କ ପାରିବାରିକ ଜୀବନ ବେଶ୍‌ ମଧୁର । ଏପରି ସୁଖରେ ସେମାନେ ଅଛନ୍ତି, ଭାଗବତ ବାବୁଙ୍କ କଲ୍ୟାଣରେ, ତାଙ୍କର ଅର୍ଥରେ । ଅଥଚ ସେମାନେ ତାଙ୍କ ସଙ୍ଗରେ ପ୍ରତାରଣା କରିଛନ୍ତି, ତାଙ୍କର ସର୍ବସ୍ୱ ଅପହରଣ କରି ଜୀବନଟା ନଷ୍ଟ କରିଦେଇଛନ୍ତି-। ତାଙ୍କ ପରି ଜଣେ ନିରାପଦ ସରଳ ପ୍ରକୃତି ବ୍ୟକ୍ତିଙ୍କୁ ସେମାନେ ବାଟରେ ବସାଇ ଅଭିଶପ୍ତ ଘୃଣିତ ଜୀବନର ଦୁଃଖର ବୋଝ ତାଙ୍କ ମୁଣ୍ଡରେ ଚାପି ଦେଇଛନ୍ତି । ସେମାନେ କିନ୍ତୁ ବେଶ୍‌ ଆରାମରେ ଅଛନ୍ତି । ଏଇତ ବିଧିର ବିଧାନ । ଆଜି ସେ ହୋଇଛନ୍ତି ଅପଦାର୍ଥ, ମନୁଷ୍ୟ ସମାଜରେ ଅପାଂକ୍ତେୟ-। ଜୀବନରେ କୌଣସି ଆଶା ନାହିଁ, ଉତ୍ସାହ ନାହିଁ । କାହାକୁ ଆଜି ତାଙ୍କର ପ୍ରୟୋଜନ ନାହିଁ । କାହାର ବି ତାଙ୍କୁ ପ୍ରୟୋଜନ ନାହିଁ-। ପୃଥିବୀ ଆଜି ତାଙ୍କ ପାଖରେ ମରୁଭୂମି ପରି ଶୂନ୍ୟ, ନିଷ୍କରୁଣ । ପୃଥିବୀରେ କେତେ ମନୁଷ୍ୟ, କେତେ ବିଚିତ୍ର ମନୁଷ୍ୟ, ନା - ନା ଜାତିର ମନୁଷ୍ୟ । କି ବିଚିତ୍ର ସେମାନଙ୍କର ଆଚାର, ବ୍ୟବହାର, ରାଜନୀତି, ଅଥଚ ସମସ୍ତେ ଯେପରି ଗୋଟିଏ ମାଳାରେ ଗୁନ୍ଥା-। ଗୋଟିଏ ଅଭିନବ ହୀରାର ହାର । ତେବେ ବି ଭଲ ଲାଗେନି। ବିଶାଳ ନଗର । ଲକ୍ଷ ଲକ୍ଷ ଲୋକଙ୍କ ବାସସ୍ଥଳୀ, ପରିଚିତ, ଅପରିଚିତ କେତେ ଲୋକ ସଙ୍ଗରେ ତ ପ୍ରତିଦିନ ତାଙ୍କର ଦେଖାଶୁଣା, ମିଳାମିଶା ଅଥଚ ସେମାନଙ୍କ କାହାସଙ୍ଗେ ନାହିଁ ତାଙ୍କର ପ୍ରାଣର ଯୋଗଯୋଗ, ହୃଦୟର ବନ୍ଧନ । ସହରର କୌଣସି ଝରକାରେ ଉତ୍ସୂକ ଦୁଇଟି ଆଖି ତାଙ୍କ ଆଗମନ ପ୍ରତୀକ୍ଷାରେ ଜାଗ୍ରତ ରହିନାହିଁ । ତାଙ୍କ କଲ୍ୟାଣ କାମନା କରି କେହି ଇଶ୍ୱରଙ୍କ ପାଖରେ ପାର୍ଥନା କରେନାହିଁ ।

 

ଭାବି ଭାବି ମନରେ ପ୍ରବଳ ଝଡ଼ ସୃଷ୍ଟି ହୋଇଛି । ଗ୍ୱହର ସ୍ୱପ୍ନ, ପ୍ରେମର ଆକାଂକ୍ଷା ତାଙ୍କୁ ପାଗଳ କରି ତୋଳିଛି ।

 

ଘରକୁ ଫେରି ସ୍ତ୍ରୀକୁ ଦେଖିପାରିବେ, ତାକୁ ଆଦର କରିବେ, ଏ ଆଶା ତାଙ୍କର ସଫଳ ହେବନି । କିନ୍ତୁ ତାଙ୍କର କୌଣସି ଦୋଷ ନାହିଁ । ସେମାନେ ତିନିହେଁ ତାଙ୍କର ଏଇ ଅବସ୍ଥା ପାଇଁ ଦାୟୀ । ସେମାନେ ତ ତାଙ୍କଘରେ ନିଆଁ ଲଗାଇ ତାଙ୍କ ସ୍ୱପ୍ନକୁ ଭାଙ୍ଗି ଚୁର୍‌ମାର୍‌ କରିଦେଇଛନ୍ତି । ଏଇ ବ୍ୟଭିଚାରିଣୀ ସ୍ତ୍ରୀଲୋକ, ବିଶ୍ୱାସଘାତକ ବନ୍ଧୁ ଆଉ ଗର୍ବୋଦ୍ଧତ ତରୁଣର ଅପରାଧରେ ତ ଆଜି ସେ ମଣିଷ ସମାଜଠାରୁ ବିତାଡ଼ିତ ।

 

ବୁଢ଼ା ଉପରେ ତାଙ୍କର ସବୁଠାରୁ ବେଶି ରାଗ ହେଲା । ସେ କ’ଣ ମାଧବର ପିଲା ନୁହେଁ ତାହା ଯଦି ନ ହୋଇଥାନ୍ତା, କେବେହେଲେ ସେ ତାଙ୍କୁ ଆଶ୍ରୟ ଦେଇ ନ ଥାନ୍ତା, ତାକୁ ଏତେ ଭଲପାଇ ନ ଥାନ୍ତା । ଯଦି ତା ମନରେ କୌଣସି ସନ୍ଦେହ ଥାଆନ୍ତା, ତା ହେଲେ ସେଇ ମା’ ପୁଅ ଦୁହିଁଙ୍କୁ ଏମଧ୍ୟରେ ଗୋଇଠା ମାରି ବାହାର କରି ସାରନ୍ତାଣି । ଅନ୍ୟର ପିଲାକୁ କିଏ ପିତୃ ସ୍ନେହରେ ମଣିଷ କରିବ ?

 

ଭାଗବତ ବାବୁ ସେମାନଙ୍କ ଦିଗରେ ଚାହିଁ ଚାହିଁ ନିଜ ବିଷାଦ ବୋଳା ଜୀବନର କଥା ଭାବୁଛନ୍ତି । ଭାଗବତ ବାବୁଙ୍କ ମୁଣ୍ଡ ଗରମ ହୋଇଉଠେ । ବିଶେଷ ସେମାନଙ୍କ ମୁହଁରେ ଯେଉଁ ନିବିଡ଼ ଶାନ୍ତି ଆଉ ସୁଖର ଛାୟା ପଡ଼ିଛି, ତାହା ଦେଖି ସେ ଆହୁରି ଉତ୍ତେଜିତ ହୋଇପଡ଼ିଲେ । ମୁଣ୍ଡ ହଠାତ୍‌ ଗରମ ହୋଇଯାଉଛି । ଇଚ୍ଛା ହେଉଛି, ସେମାନଙ୍କୁ ଖୁନ୍‌ କରିଦେବାକୁ, ମାଧବର ମୁଣ୍ଡର ଖପୁରୀଟା ଉଠାଇ ଦେବାକୁ, ତଣ୍ଟି ଚିପି ମାୟାକୁ ହତ୍ୟା କରି ଚରମ ପ୍ରତିଶୋଧ ନେବାକୁ । ଜଣକର ଜୀବନ ବ୍ୟର୍ଥ କରି ନିଜେ କି ସୁଖରେ ଅଛନ୍ତି । ଭାବନା ନାହିଁ, ଚିନ୍ତା ନାହିଁ । ନା, ଅସହ୍ୟ, ଭାଗବତ ବାବୁ ପ୍ରତିଶୋଧ ନେବେ, ନିଶ୍ଚୟ ସେ ସେମାନଙ୍କୁ ଶାସ୍ତି ଦେବେ । ଡେରି କଲେ ଚଳିବ ନାହିଁ । ଏଇଠାରେ ଏଇ ମୁହୂର୍ତ୍ତରେ ଗୋଟାଏ କିଛି କରିବା ଦରକାର । ଏଇତ ଉପଯୁକ୍ତ ସମୟ । ହାତ ମୁଠାରେ ପାଇଛନ୍ତି । କିନ୍ତୁ କି ଭାବରେ ପ୍ରତିଶୋଧ ନେବେ ଭାଗବତ ବାବୁ ସମ୍ଭବ ଅସମ୍ଭବ ନାନା ପନ୍ଥାର କଥା ଭାବୁଛନ୍ତି । ଖବର କାଗଜରେ ଏଇପରି କେତେ କଥା ବେଳେ ବେଳେ ବାହାରେ । କିନ୍ତୁ କୌଣସି କଥା ଠିକ୍‌ କରିପାରିଲେନି । ଢକ ଢକ କରି ଆଉ ଟିକିଏ ମଦ ପିଇଲେ, ସାହାସ ଦରକାର । ଏ ସୁଯୋଗ ହରାଇଲେ ଚଳିବ ନାହିଁ । ଏପରି ସୁଯୋଗ ହୁଏତ ଆଉ କୌଣସି ଦିନ ଆସିବ ନାହିଁ ।

 

ହଠାତ୍‌ ଗୋଟିଏ ମତଲବ ଆସିଛି ତାଙ୍କର, ଭୀଷଣ ନିଷ୍ଠୁର ମତଲବ । ମଦ ଖାଇ ଖାଇ ଆହୁରି ଗଭୀର ଭାବରେ ଭାବୁଛନ୍ତି । ମନେମନେ ସବୁ ଠିକ୍‌ କରି ନେଇଛନ୍ତି । ଗୋଟାଏ କ୍ରୁର ହସ ଖେଳିଗଲା ତାଙ୍କ ଓଠ କୋଣରେ । ମନେମନେ କହିଲେ, ‘ପାଇଛି, ପାଇଛି, ଆଜି ସେମାନଙ୍କୁ ପାଇଛି । ଥରେ ଦେଖି ନେବି ।’

 

ହୋଟେଲର ବୟ ଆସି କହିଲା, ‘କ’ଣ ଚାହାଁନ୍ତି ସାର’

‘କିଛି ନୁହେଁ । ଖାଲି କଫି, ହଁ, ସବୁଠାରୁ ଯାହା ଭଲ ଦେବ ।’

 

ତାପରେ ସେମାନଙ୍କ ଦିଗରେ ଚାହିଁ ଚାହିଁ ପୁଣି ମଦ ଖାଇବାକୁ ଆରମ୍ଭ କଲେ । ନା, ଏଠାରେ ହେବନି । ଭାରି ଭିଡ଼ । ଏତେ ଲୋକଙ୍କ ଆଗରେ.....ତା’ଠାରୁ ଆଉକିଛି ସମୟ ଅପେକ୍ଷା କରିବା ଭଲ । ସେମାନେ ଉଠିଲେ ସେମାନଙ୍କୁ ଅନୁସରଣ କରିବା ବୁଦ୍ଧିମାନର କାର୍ଯ୍ୟ ହେବ । ଖାଇସାରିବା ପରେ ସେମାନେ ନିଶ୍ଚୟ କୌଣସି ନିର୍ଜ୍ଜନ ସ୍ଥାନରେ କିଛି ସମୟ ବୁଲିବେ । ହଁ ସେଇ ସମୟରେ, ଠିକ୍‌ ସେଇ ସମୟରେ । ହଠାତ୍‌ ଯମଦୂତପରି ସେମାନଙ୍କ ଆଗରେ ଉଭାହୋଇ ପ୍ରତିଶୋଧ ନେବେ । ପ୍ରତିଶୋଧ, ପାପର ଦଣ୍ଡ ଦେବାକୁ ହେବ । ଖୁବ୍‌ ଡେରୀରେ ଆସିଲା ଦଣ୍ଡ, ଏହା ହିଁ ଦୁଃଖ । କୋଡ଼ିଏ ବର୍ଷ ପରେ । କୋଡ଼ିଏ ବର୍ଷ ଧରି କେତେ ନିର୍ଯ୍ୟାତନ, କେତେ ଅନ୍ତର୍ଜ୍ଜ୍ୱାଳା ପରେ ଆଜି ଆକସ୍ମିକଭାବେ ସୁଯୋଗ ଆସିଲା । ହାଃ –ହାଃ –ହାଃ । ସେମାନେ ଜାଣିପାରିବେ ନାହିଁ ଆଜି ସେମାନଙ୍କ ଭାଗ୍ୟରେ କ’ଣ ଅଛି ।

 

ଧୀରେସୁସ୍ଥେ ଖାଇବା ପିଇବା ସାରି ସେମାନେ ଗଳ୍ପ କରୁଛନ୍ତି । ଜାଣିନାହାନ୍ତି ଯେ ଆଗରେ ବିପଦ ଅଛି । ଭାଗବତ ବାବୁ ସେମାନଙ୍କର ଗୋଟିଏ କଥା ବି ଶୁଣିପାରୁନାହାନ୍ତି, କିନ୍ତୁ ସେମାନଙ୍କର ହାବଭାବ ସବୁ ସେ ଲକ୍ଷ୍ୟ କରୁଛନ୍ତି । ସ୍ତ୍ରୀର ମୁହଁରେ ଆଖି ପଡ଼ିବା ମାତ୍ରେ ସେ ବାରୁଦ ପରି ଜଳି ଉଠିଲା । ଭକ୍ତିମତି ସତୀସାଧ୍ୱୀ ମହିଳା ପରି ତାର ଚାଲିଚଳଣ । ଚରିତ୍ରରେ ଯେପରି କୌଣସି ଦୋଷ ନାହିଁ । ଆଦର୍ଶ ଯେପରି ତାର ପ୍ରାଣ, ଧର୍ମହିଁ ତାର ଭରସା । ବିଲ୍‌ ତୁଟାଇଦେଇ ସେମାନେ ଉଠିଲେ । ଏତେବେଳକେ ଭାଗବତ ବାବୁ ମାଧବର ମୁହଁ ଦେଖି ପାରିଲେ । ମାଧବର ମୁହଁ ଦେଖିଲେ ଅବସରପ୍ରାପ୍ତ କୂଟନୈତିକ ବୋଲି ଭୁଲ ହେବା ଅସମ୍ଭବ ନୁହେଁ ।
 

ତା’ପରେ ସେମାନେ ବାହାରି ପଡ଼ିଲେ । ସେମାନେ ବାହାରି ଯିବାମାତ୍ରେ ଭାଗବତ ବାବୁ ସଙ୍ଗେ ସଙ୍ଗେ ଉଠି ପଡ଼ିଲେ । ସେମାନେ ନିକଟସ୍ଥ ଜଙ୍ଗଲଆଡ଼କୁ ଆଗେଇଲେ । ଭାଗବତବାବୁ ଉତ୍ତେଜନାରେ ହାତ ମଳି ମଳି ଚାଲିଛନ୍ତି ସେମାନଙ୍କ ପଛେ ପଛେ । କାଳେ ତାଙ୍କୁ ଦେଖି ସେମାନଙ୍କର ସନ୍ଦେହ ହୋଇପାରେ, ସେଥିପାଇଁ ଭାଗବତ ବାବୁ ଟିକିଏ ଦୂରରେ ରହି ଚାଲିଛନ୍ତି । ଧୀରେଧୀରେ ଯାଉଯାଉ ସେମାନେ ପ୍ରକୃତିର ଶ୍ୟାମଳ ସଜୀବତା ଆଉ ମଳୟର ସ୍ନିଗ୍ଧ ଆଶୀର୍ବାଦ ଉପଭୋଗ କରୁଛନ୍ତି । ମାୟା ମାଧବର ହାତ ଧରି ପାଖେ ପାଖେ ଚାଲୁଛି । ତୃପ୍ତ ତାର ଚାଲିବାର ଭଙ୍ଗି, କୌଣସି ସଙ୍କୋଚ ନାହିଁ । ବୁଢ଼ା ଯାଉ ଯାଉ ମଝିରେ ମଝିରେ ଗଛର ପତ୍ର ଛିଣ୍ଡାଉଛି, ଆଗରେ ଛୋଟ ନାଳ ପଡ଼ିଲେ ଏକା ଡିଆଁରେ ପାର ହୋଇଯାଉଛି - ସେ ଯେପରି ଦୂରନ୍ତ ଯୌବନର ସଜୀବ ଅବତାର ।

 

ଭାଗବତ ବାବୁ ଧୀରେ ଧୀରେ ତାଙ୍କ ପାଖକୁ ଆଗେଇ ଗଲେ । ଉତ୍ତେଜନାରେ ସର୍ବାଙ୍ଗ ଥର ଥର କରି କମ୍ପୁଛି, କ୍ଲାନ୍ତିରେ ଦେହ ଅବସନ୍ନ । କେଉଁଦିନ ତ ହୋଟେଲ ଛାଡ଼ି ବାହାରି ନାହାନ୍ତି । ଏତେବାଟ ଚାଲିବା ଅଭ୍ୟାସ ନାହିଁ । ପାଦ ଦୁଇଟି ଯେପରି ଆଉ ଚାଲିବ ନାହିଁ । କିନ୍ତୁ ଯେପରି ଏକ ଅଦୃଶ୍ୟ ଶକ୍ତି ତାଙ୍କୁ ଟାଣି ନେଇ ଚାଲିଛି । ଖୁବ୍‌ ନିକଟକୁ ଚାଲି ଆସିଲେଣି, କିନ୍ତୁ କୌଣସି ମତେ ସେମାନଙ୍କ ମୁହାଁମୁହିଁ ଠିଆ ହୋଇ ପାରିଲେନି ଭୟ ହେଲା । ଅଜଣା ଆଶଙ୍କାରେ ମନର ଦୃଢ଼ତା ଶିଥିଳ ହୋଇପଡ଼ିଲା । ବିଦ୍ୟୁତ ଗତିରେ ସେମାନଙ୍କୁ ଅତିକ୍ରମ କରି ଟିକିଏ ଆଗେଇ ଗଲେ । ଏଥର ପଛକୁ ଫେରି ଅତର୍କିତ ଭାବରେ ସେମାନଙ୍କ ଆଗରେ ଠିଆ ହେବାକୁ ହେବ । ଛାତିଟା ଧଡ଼୍‌ଧଡ଼୍‌ କରୁଛି, ହୃଦସ୍ପନ୍ଦନର ଶବ୍ଦ ଶୁଣାଯାଉଛି । ସେମାନେ ଠିକ୍‌ ତାଙ୍କ ପଛରେ ଅଛନ୍ତି । ଭାଗବତ ବାବୁ ସେମାନଙ୍କର ପଦଧ୍ୱନି ଶୁଣି ପାରୁଛନ୍ତି । ଆଉ ଡେରି କଲେ ଚଳିବ ନାହିଁ-। ବହୁ ପ୍ରତୀକ୍ଷିତ ଲଗ୍ନ ଆସିଯାଇଛି । ଏ ସୁଯୋଗ ହରାଇଲେ ଆଉ ମିଳିବ ନାହିଁ । ପ୍ରତିଶୋଧ ଦରକାର, ପ୍ରତିଶୋଧ, ବିଶ୍ୱାସ ଘାତକତାର ପ୍ରତିଶୋଧ, ବନ୍ଧୁତ୍ୱ ଅବମାନନାର ପ୍ରତିଶୋଧ । ମନେମନେ କହିଲେ, ‘ଏଇତ ସମୟ । ସାହାସ, ସାହସ ଦରକାର, ଏଇତ ସମୟ ।’

 

ଭାଗବତ ବାବୁ ହଠାତ୍‌ ବୁଲିପଡ଼ି ଠିଆ ହେଲେ । ସେମାନେ ସେତେବେଳକୁ ଗୋଟାଏ ଗଛତଳେ ବସି କଥାବାର୍ତ୍ତା ହେଉଛନ୍ତି । ମାୟା ଗଛକୁ ଆଉଜି ବସିଛି । ଗୋଟାଏ ପାଖରେ ମାଧବ ଆଉ ଗୋଟାଏ ପାଖରେ ବୁଢ଼ା । ବୁଢ଼ା କଥା କହୁଚି, ସେମାନେ ଦୁହେଁ ଶୁଣୁଛନ୍ତି । ଦ୍ରୁତ ଗତିରେ ଆଗେଇ ଯାଇ ସେମାନଙ୍କ ଆଗରେ ଠିଆହୋଇ ହଠାତ୍‌ କହି ପକାଇଲେ, ‘ମୁଁ ଫେରିଆସିଛି । ତୁମେ କେହି ବୋଧହୁଏ ମୋତେ ଆଶା କରି ନ ଥିଲ । ଆଶ୍ଚର୍ଯ୍ୟ ହେଉଛ କି ।’

 

ତିନିହେଁ ଭଲ କରି ଦେଖିଲେ । ସେମାନେ ତାଙ୍କୁ ପାଗଳ ବୋଲି ମନେକରି କୌଣସି ଗୁରୁତ୍ୱ ଦେଲେ ନାହିଁ । କିନ୍ତୁ ସେ କହି ଚାଲିଲେ, ‘ଲୋକେ ଦେଖିଲେ ମନେକରିବେ ତୁମେମାନେ ମୋତେ ଚିହ୍ନି ନାହଁ । ମତେ ଭଲକରି ଦେଖ । ଠିକ୍‌ ଚିହ୍ନିପାରିବ; ଟିକିଏ ସୁଦ୍ଧା ଭୁଲ ହେବନି । ଭାଗବତ, ମୁଁ ଭାଗବତ । ତୁମେମାନେ ଭାବୁଥିଲ ମୁଁ ମରିଯାଇଛି । ଆଉ ମୁଁ ତୁମମାନଙ୍କୁ କୌଣସି ଦିନ ଜଳାଇବାକୁ ଆସିବି ନାହଁ । କ’ଣ କହୁଚ କିନ୍ତୁ କି ଦୁଃଖର ବିଷୟ, ମୁଁ ମଲି ନାହିଁ । ସମସ୍ତ ଆଘାତ, ଅପମାନ ସହ୍ୟ କରି ବି ବଞ୍ଚି ରହିଲି । ଖାଲି ଏଇ ଦିନଟିର ଅପେକ୍ଷାରେ । ହଁ, ଖାଲି ଏଇ ଶୁଭ ମୁହୂର୍ତ୍ତଟିର ଅପେକ୍ଷା କରି ଏତେଦିନ ବଞ୍ଚି ରହିଚି । ଆଜି ହିସାବ ନିକାଶର ଶେଷ ଦିନ ।’

 

ଭୟରେ ମାୟାର ମୁହଁ କଳା ପଡ଼ିଗଲା । ଲଜ୍ଜାରେ, ଘୃଣାରେ ଦୁଇ ହାତରେ ମୁହଁ ଲୁଚାଇ ଗଛ ଉହାଡ଼କୁ ଚାଲିଗଲା । ଗୋଟାଏ ଚାପା ଦୀର୍ଘଶ୍ୱାସ ସଙ୍ଗେ ମୁହଁରୁ ବାହାରି ଆସିଲା ଗୋଟାଏ କ୍ଷୀଣ ଆର୍ତ୍ତନାଦ, ‘ହାୟ ଭଗବାନ ।’

 

ମା’ର ଅବସ୍ଥା ଦେଖି ବୁଢ଼ା ଆଶ୍ଚର୍ଯ୍ୟ ହେଲା । ପୁଣି ଏଇ ପାଗଳ ଲୋକଟି ମାଆଙ୍କୁ ଭୟ ଦେଖାଉଛି କାହିଁକି ସେ ରାଗିଗଲା । ହଠାତ୍‌ ଡେଇଁପଡ଼ି ଦୁଇ ହାତରେ ଭାଗବତ ବାବୁଙ୍କ ସାର୍ଟର କଲର ଚିପି ଧରି ଠେଲି ଠେଲି କିଛିଦୂର ପଛକୁ ନେଇଯାଇ ପଚାରିଲା, ‘ଆପଣ କ’ଣ ପାଗଳ ନା କ’ଣ ।’

 

‘ପାଗଳ କିଏ ମୁଁ ହାଃ, ହାଃ, ହାଃ, ।’

‘ପାଗଳ ପରି ହସୁଛନ୍ତି କାହିଁକି ।’

‘ହସିବି ନାହିଁ ।’

‘କ’ଣ ଚାହାନ୍ତି ଆପଣ ଶୀଘ୍ର କହନ୍ତୁ ।’

‘କ’ଣ କହିଲ, କ’ଣ ଚାହେଁ ମୁଁ ।’

‘ମୁଁ ଖାଲି ତୁମକୁ କେତୋଟି କଥା କହିବାକୁ ଚାହେଁ ।’

‘କି କଥା ।’

‘ଖାଲି ଏମାନଙ୍କ ପରିଚୟ ତୁମକୁ ଦେବାକୁ ଚାହେଁ ।’

 

ବୁଢ଼ା ଭୀଷଣ ରାଗିଗଲା । କଲର ଚିପି ଧରି ସମସ୍ତ ଶକ୍ତି ଦେଇ ଭାଗବତ ବାବୁଙ୍କୁ ବିଧା ମାରିବାକୁ ଯାଉଛି, ଏପରି ସମୟରେ ଭାଗବତ ବାବୁ ଛାଡ଼ିଲେ ତାଙ୍କର ମାରଣାସ୍ତ୍ର–

 

‘ମୋ ଦେହରେ ହାତ ଦିଅନା ପାପ ହେବ ।’

‘ପାପ ।’

‘ବାପ ଦେହରେ ହାତ ଦେଲେ ପାପ ହୁଏ ।’

‘ବାପ କିଏ କାହାର ବାପ ।’

‘ତୁମ ମା’କୁ ପଚାର ।’

‘ମୁହଁ ସମ୍ଭାଳି କଥା କୁହନ୍ତୁ । ଭଦ୍ର ମହିଳାଙ୍କ ସମ୍ମାନ ରଖି କଥା କହି ଜାଣନ୍ତି ନାହିଁ ।’

‘ଭଦ୍ର ମହିଳାଙ୍କ ଆଖିକୁ ଥରେ ଚାହିଁ ଦେଖତ ସେ ମତେ ଠିକ୍‌ ଚିହ୍ନିପାରିଛନ୍ତି କି ନାହିଁ ।’

 

ବଜ୍ରାହତ ପରି ବୁଢ଼ା ମା’ ଦିଗରେ ଥରେ ମାତ୍ର ଅନାଇ ମାଟିରେ ବସି ପଡ଼ିଲା । ଶୂନ୍ୟ ଦୃଷ୍ଟି । କଥା କହିବାର ଶକ୍ତି ବି ଯେପରି ସେ ହରାଇ ବସିଛି । ମା’କୁ କୌଣସି କଥା ନ ପଚାରି ଚୁପ୍‌ ହୋଇ ମାଟି‌ରେ ବସି ସେ କାନ୍ଦିବାକୁ ଲାଗିଲା ।

 

ଭାଗବତ ବାବୁ ମୁକ୍ତିପାଇ ଚିତ୍କାର କରି ଉଠିଲେ, ‘କହ ତାକୁ ମୁଁ କିଏ ।’

 

ମାୟା ନୀରବ ରହିଛି ଦେଖି ଭାଗବତ ବାବୁ ଅସ୍ଥିର ଭାବରେ ତା ଦେହ ଧରି ହଲାଇ ଦେଇ କହିଲେ, ‘ଚୁପ୍‌ ଅଛୁ କାହିଁକି ପୁଅକୁ କହ ମୁଁ କିଏ କହ, ମୋ ନାଁ ଭାଗବତ ଦାସ, ମୁଁ ତାର ବାପା, କାରଣ ତାର ପଦବୀ ବି ଦାସ । ଆଉ ତୁ ମୋର ବିବାହିତା ସ୍ତ୍ରୀ । ତୁମେମାନେ ମୋରି ଅନ୍ନରେ ପ୍ରତିପାଳିତ । ମାସକୁ ମାସ ଦୁଇଶହ କରି ମୁଁ ତୁମମାନଙ୍କୁ ଦେଉଛି । ଯେଉଁଦିନ ତତେ ଘରୁ ବାହାର କରିଦେଲି, ସେଇ ଦିନଠାରୁ ଦେଇ ଆସୁଚି । ହଁ, କାହିଁକି ତତେ ଘରୁ ବାହାର କରିଦେଇଛି, ସେ କଥା ବି କହ ତାକୁ । କାହିଁକି ଜାଣୁ ଏଇ ଭିକାରୀ, ଏଇ ସଇତାନ - ତୋର ନାଗର ସଙ୍ଗେ ପ୍ରେମ କରୁଥିଲୁ । ଲୁଚି ଲୁଚି ମୁଁ ଧରି ପକାଇଲି । କହ, ମୁଁ କିପରି ଲୋକ ଥିଲି । ଜଣେ ଗଣ୍ୟମାନ୍ୟ ଭଦ୍ରଲୋକ ଥିଲି ମୁଁ । ଲୋକେ କେତେ ମତେ ଭଲ ପାଉଥିଲେ, କେତେ ଖାତିର କରୁଥିଲେ । କେତେ ସମ୍ମାନ କରୁଥିଲେ । ଖାଲି ଟଙ୍କା ଲୋଭରେ ତୁ ମୋତେ ବାହା ହୋଇଥିଲୁ । ଆଉ ବିବାହର ପ୍ରଥମ ଦିନଠାରୁ ମତେ ଠକାଇ ଆସିଥିଲୁ । କହ ତାକୁ ତୁ କେମିତି ଆଉ ମୁଁ କେମିତି ।’

 

ରାଗରେ ଠକ୍‌ଠକ୍‌ କରି କମ୍ପୁଛନ୍ତି ଭାଗବତ ବାବୁ । ହଠାତ୍‌ ହିଂସ୍ରପଶୁର ଆଗରେ ପଡ଼ିଯାଇ ମନୁଷ୍ୟ ଯେପରି କାତର ଭାବରେ କାନ୍ଦିଉଠେ ସାହାଯ୍ୟ ପାଇଁ, ମାୟାର ଠିକ୍‌ ସେଇ ଅବସ୍ଥା । ଭୟରେ ଗଳା ଶୁଖିଯାଉଛି । ଲଜ୍ଜାରେ ମୁହଁ ଲାଲ୍ ହୋଇ ଉଠିଛି । ପାଟିରୁ କଥା ବାହାରୁ ନାହିଁ । ଆର୍ତ୍ତନାଦ ପରି ଶୁଣାଗଲା ତାର କ୍ଷୀଣ କଣ୍ଠର କାତର ଆବେଦନ, ‘ବନ୍ଦକର ତାଙ୍କୁ । ତାଙ୍କୁ ଚୁପ୍‌ କରାଅ । ପୁଅ ଆଗରେ ଏ ସବୁ କଥା କହିବାକୁ ଦିଅନା ।’

 

ମାଧବ ବାବୁ ସଙ୍ଗେ ସଙ୍ଗେ ଉଠିପଡ଼ି ଭାଗବତ ବାବୁଙ୍କ ହାତ ଧରି ପକାଇ କହିଲେ, ଚୁପ୍‌ କର ଭାଗୁ । ଏ ସବୁ ପିଲାଳିଆ କାଣ୍ଡ କାହିଁକି ।’ ବୁଝିପାରୁନା ତୁମେ କି କାଣ୍ଡ କରି ବସିଛ ।’

 

ଭାଗବତ ବାବୁ ରାଗରେ ଗର ଗର ହେଉଛନ୍ତି । କେତେକ ମୁହୂର୍ତ୍ତ କଟ୍‍ମଟ୍‍ କରି ମାଧବ ବାବୁଙ୍କଆଡ଼େ ଚାହିଁ କହିଲେ, ‘କ’ଣ କରୁଛି, ତାହା ମୁଁ ଠିକ୍‌ ଜାଣେ ।’

 

‘ନା, ଜାଣନା, ଜାଣିଥିଲେ କେବେହେଲେ ପାଗଳ ପରି ଏ ପ୍ରକାର କାଣ୍ଡ କରି ବସି ନଥାନ୍ତ ।’

‘ପାଗଳ ହାଃ ହାଃ ହାଃ । ଠିକ୍‌ କହିଛ । ପାଗଳ ମୁଁ ପାଗଳ । ହାଃ ହାଃ ହାଃ ।’

‘ଚୁପ୍‌ ହେବ ନା ନାହିଁ ।’

‘ପାଗଳ ମୁଁ ପାଗଳ କିନ୍ତୁ କିଏ ମତେ ପାଗଳ କରିଛି ତୁମେସବୁ, ସଇତାନ, ତୁମେସବୁ ମତେ ପାଗଳ କରିଛ ।’

 

‘ସେ କଥା ପରେ । ଏବେ ଚୁପ୍‌ ହୁଅ ।’

ନା, କୌଣସିମ‌ତେ ନୁହେଁ । ମୁଁ ଚୁପ୍‌ ରହିବି ନାହିଁ । କୋଡ଼ିଏ ବର୍ଷ ଧରି ଗୋଟାଏ କଥା... ଖାଲି ଗୋଟାଏ କଥା ଜାଣିବାକୁ ଚାହିଁଚି । କୋଡ଼ିଏ ବର୍ଷ ଧରି କି ଅମାନୁଷିକ ଯନ୍ତ୍ରଣା ବା ମୁଁ ଭୋଗ କରିନାହିଁ । ସେଇ କଥାଟା ମତେ କଣ୍ଟାପରି ବିନ୍ଧିଚି । ରାତିରେ ଶୋଇପାରିନି । ଦିନରେ ଶାନ୍ତି ପାଇନି । ଆଉ ମୁଁ ସନ୍ଦେହ ମଧ୍ୟରେ ରହିପାରୁନି । ଏହାର ଗୋଟାଏ ନିଷ୍ପତ୍ତି କରିବାକୁ ଚାହେଁ, ଆଜି ଏଇ ମୁହୂର୍ତ୍ତରେ ।

 

ଦୁଃଖରେ, ଲଜ୍ଜାରେ ବୁଢ଼ା ମର୍ମାହତ । ଗୋଟାଏ ଗଛକୁ ଆଉଜି ଠିଆ ହୋଇଛି । ଭାଗବତ ବାବୁ ତା ପାଖକୁ ଯାଇ କହିଲେ, ‘ଶୁଣ ବାପା । ନା, ନା, ଆଜି ମୁଁ ‌ତୋର କୌଣସି ଆପତ୍ତି ଶୁଣିବି ନାହିଁ । ମୋ ଦୁଃଖର କଥା ତତେ ଶୁଣିବାକୁ ହେବ । ହଁ, ତୋ ମା’ ଯେଉଁଦିନ ମୋ ଘର ଛାଡ଼ି ଚାଲି ଆସିଲା, ମୋ ସଙ୍ଗେ ବିଶ୍ୱାସଘାତକତା କରି ବି ତାର ସାଧ ମେଣ୍ଟିଲା ନାହିଁ । ଏଥିରେ ବି ଶାନ୍ତି ହେଲାନି, ମୋ ଜୀବନ ନଷ୍ଟ କରିଦେଲା । ମୋର ସଂସାରକୁ ଭାଙ୍ଗି ଟିକିଟିକି କରି ଯାଇ ଛାଡ଼ିଲା । ସେ ଜାଣିଥିଲା ତୁ ମୋର ଏକମାତ୍ର ସାନ୍ତ୍ୱନା । ତତେ ଛାଡ଼ି ମୁଁ ବଞ୍ଚିପାରିବି ନାହିଁ । ତେଣୁ ଯିବା ସମୟରେ କ’ଣ କହିଲା, ଶୁଣିବୁ ଶୁଣିଲେ ଲଜ୍ଜା ଲାଗିବ । ହଁ, ତୋ ମା’ ଛାତିଫୁଲାଇ କହିଲା, ମୁଁ ତୋର ବାପା ନୁହେଁ, ସେଇ ସଇତାନଟା ତୋର ବାପା । ଅର୍ଥାତ୍‌ ତୁ..... ତୁ..... ଲଜ୍ଜା ଲାଗୁଛି କିନ୍ତୁ ତୋର ମା’ ସେ କଥା କହିବାକୁ ଲଜ୍ଜା କରିନି । ମା’ ହୋଇ ବି ତୋ ମୁଣ୍ଡରେ ଏତେବଡ଼ କଳଙ୍କର ବୋଝ ଚାପି ଦେଇଛି । ତୋ କଥା ଏତେ ଟିକିଏ ବି ଭାବିନି । ଲୋକେ ତତେ ଘୃଣା କରିବେ, ତତେ ଥଟ୍ଟା କରିବେ । ଆତ୍ମଗ୍ଲାନିରେ ତୋ ଜୀବନଟା ପୋଡ଼ି ପାଉଁଶ ହୋଇଯିବ – କିଛି ତ ଭାବିଲାନି । ଖାଲି ନିଜର ସୁଖର କଥା ହିଁ ଭାବିଛି । ତେବେ, ତୋ ମା’ ମିଛକଥା କହିଛି କି ନାହିଁ ତାହା ମୁଁ କହିପାରିବି ନାହିଁ । ଏଇଟା ମୋର ବି ପ୍ରଶ୍ନ । କୋଡ଼ିଏ ବର୍ଷ ଧରି ମୁଁ ନିଜକୁ ସେଇ ପ୍ରଶ୍ନ କରି ଆସିଛି । କିନ୍ତୁ ଆଜି ସୁଦ୍ଧା କୌଣସି ଉତ୍ତର ପାଇନି ।’

 

ଭାଗବତ ବାବୁ ଟଳି ଟଳି ମାୟା ଆଗରେ ଯାଇ ଠିଆ ହେଲେ । ମାୟା ଦେହରେ ଯେପରି ପ୍ରାଣ ନାହିଁ, ଦୁଇ ହାତରେ ମୁହଁ ଲୁଚାଇ ଠିଆ ହୋଇଛି । ଭାଗବତ ବାବୁ ଜୋର୍‍ରେ ତାର ହାତ ଦୁଇଟି ଟାଣି ତଳକୁ କରିଦେଇ କହିଲେ, ‘ଶୁଣ, ତତେ ମିନତ କରୁଛି । କହ ଆମ ଦୁହିଁଙ୍କ ମଧ୍ୟରୁ କିଏ ବୁଢ଼ାର ବାପା, ତୋ ସ୍ୱାମୀ ନା ତୋର ପ୍ରଣୟୀ କହ, ସମସ୍ତଙ୍କ ଆଗରେ କହ । ସବୁ ରହସ୍ୟ ଆଜି ପରିଷ୍କାର ହୋଇଯାଉ । ଚୁପ୍‌ ରହିଛୁ କାହିଁକି କ’ଣ ଶୁଣି ପାରୁନୁ କହ, କହ ।’

 

ଉତ୍ତେଜିତ ଭାଗବତ ବାବୁ ଦୁଇ ହାତରେ ମାୟାକୁ ଉଠେଇ ନେଲେ । ମାୟାର ଆଖିରୁ ଝରଝର କରି ଲୁହ ଝରି ପଡ଼ୁଛି । ଲଜ୍ଜାରେ ମୁହଁ ଟେକି ଚାହିଁପାରୁନାହିଁ । ଗତି ଭଲ ନୁହେଁ ଦେଖି ମାଧବ ବାବୁ ତାକୁ ରକ୍ଷା କରିବାକୁ ଆଗେଇ ଆସିଲେ । ତାପରେ ଭାଗବତ ବାବୁଙ୍କ ହାତ ଧରି ଟାଣି ଆଣିବାକୁ ଚେଷ୍ଟା କଲେ । କିନ୍ତୁ ଭାଗବତ ବାବୁ ତାଙ୍କୁ ଧକ୍କା ଦେଇ ଠେଲି ଦେଇ କହିଲେ, ‘ତୁମର ତ ଦେଖୁଛି ସାହାସ ଅନେକ ବଢ଼ିଗଲାଣି । କିନ୍ତୁ ସେଦିନ କେଉଁଠି ଥିଲା ତୁମର ସାହାସ ତୁମକୁ ଖୁନ୍‌ କରି ଦେଇଥାନ୍ତି, ତେଣୁ ପ୍ରାଣ ଭୟରେ ପାହାଚ ଦେଇ ତଳକୁ ପଳାଇ ଯାଇଥିଲ । ମନେଅଛି ସେ କଥା ବୋଧହୁଏ ଭୁଲିଯାଇନ ସେ କଥା । ସେ ଯେତେବେଳେ କହିବ ନାହିଁ, ଅନ୍ତତଃ ତୁମେ ହିଁ କୁହ । ତୁମେ ତ ଜାଣ । ତୁମେ କ’ଣ ଏଇ ଯୁବକର ପିତା କୁହ; କୁହ ।’ ତାପରେ ସ୍ତ୍ରୀ ଦିଗରେ ମୁହଁ ଫେରାଇ କହିଲେ, ‘ମତେ ଯଦି କହିବାକୁ ଚାହୁଁ ନାହଁ, ତେବେ ତୋ ପୁଅକୁ କହ, ସେ ଏବେ ବଡ଼ ହୋଇଚି । ପିତୃପରିଚୟ ଜାଣିବା ପାଇଁ ତାର ଅଧିକାର ଅଛି, ତାକୁ ତା ଅଧିକାରରୁ ବଞ୍ଚିତ କରନି । ହଁ, ତୁ ମତେ ବିଶ୍ୱାସ କର, ମୁଁ ଜାଣେନା, କେବେ ଜାଣି ବି ପାରିନି । ତେଣୁ ତତେ କହିପାରିବିନି ବାପା ।’

 

ଭାଗବତ ବାବୁ ଯେପରି ପାଗଳ ହୋଇ ଯାଇଛନ୍ତି । କଣ୍ଠସ୍ୱର ହୋଇଛି କର୍କଶ । ମୃଗୀ ରୋଗୀ ପରି ଶୂନ୍ୟରେ ହାତ ଛାଟିଛାଟି ପୁଣି କହିଲେ, ‘ଆସ, ଉତ୍ତର ଦିଅ.....ସେ ଜାଣେନି । ହାଃ..... ହାଃ..... ହାଃ..... ! ସେ ଜାଣେନା, ଜାଣେନା, ମୁଁ ବାଜି ମାରି କହିପାରେ । ସେ କୌଣସିମତେ କହିପାରିବନାହିଁ । ସେ ଜାଣେନାହିଁ, କହିବ କିପରି ଆମ ଦୁହିଁଙ୍କୁ ଖୁସି କରିଛି, ଦୁହିଁଙ୍କ ପାଖରେ ଆତ୍ମଦାନ କରିଛି । ହାଃ..... ହାଃ..... ହାଃ..... । କେହି ଜାଣିନାହାନ୍ତି..... କେହି ଜାଣିନାହାନ୍ତି..... ହାଃ..... ହାଃ..... ହାଃ..... । କିପରି ବା ଜାଣିବେ ତୁ ବି କୌଣସି ଦିନ ଜାଣିପାରିବୁନାହିଁ ବାପା । ମୋ’ ପରି ତତେ ବି ସାରା ଜୀବନ ଅନ୍ଧକାରରେ ଅଣ୍ଡାଳି ଅଣ୍ଡାଳି ବୁଲିବାକୁ ହେବ । ସନ୍ଦେହରେ ମରିବାକୁ ହବ । ତୋ ମା’ କୁ ପଚାର...ମୁଁ ଜୋର କରି କହିପାରେ, ତୋ ମା’ ବି ଜାଣେନା, ମୁଁ ବି ଜାଣେନା । ହଁ ତତେ ହିଁ ବାଛି ନେବାକୁ ହେବ । ଆମ ଦୁହିଁଙ୍କ ମଧ୍ୟରୁ ଜଣକୁ ତତେ ବାଛି ନେବାକୁ ହେବ, ତାକୁ ବାପା ବୋଲି ଡାକିବାକୁ ହେବ । ତା ପରିଚୟ ନିଜ ପରିଚୟରେ ଦେବାକୁ ହେବ । ଏହାଛଡ଼ା ଆଉ କୌଣସି ଉପାୟ ନାହିଁ । ମୁଁ ଏଥର ଚାଲିଲି । ଇଶ୍ୱର ତୋର ମଙ୍ଗଳ କରନ୍ତୁ । ତୋ ମା’ ଯଦି କୌଣସି ଦିନ ତତେ ସେ କଥା କହେ, ମତେ ଜଣାଇବୁ । ଜଣାଇବୁ ତ ମୋ ଠିକଣା ଜାଣୁ ତ ମୁଁ ଏବେ ଭାରତ ହୋଟେଲରେ ଅଛି । ସେଠାରେ ମୋ ସଙ୍ଗେ ଦେଖାହେବ । ତୁ କେବେ ଆସିଲେ ମୁଁ ଖୁସି ହେବି । ଆଚ୍ଛା ଚାଲିଲି । ପ୍ରାର୍ଥନା କରୁଛି ତୁ ସୁଖରେ ଥାଅ ।’

 

ପାଗଳ ପରି ହାତ ହଲାଇ କେତେ ପ୍ରକାର ମୁଖଭଙ୍ଗି କରି, ମନେମନେ କେତେ କ’ଣ କହି ଚାଲିଛନ୍ତି ଭାଗବତ ବାବୁ । ଦୁଇ ପାଖରେ ଲମ୍ବା ଲମ୍ବା ଗଛ । ପବନ ଧୀରେ ଧୀରେ ବହୁଛି । କୌଣସି ଦିଗରେ ଫେରି ଅନାଉ ନାହାନ୍ତି ଭାଗବତ ବାବୁ । ସିଧା ଚାଲିଛନ୍ତି । ଉତ୍ତେଜନାରେ, ରାଗରେ ରକ୍ତ ଟଗମଗ କରି ଫୁଟୁଛି । ମନ ମଧ୍ୟରେ ପ୍ରବଳ ଝଡ଼ ବହୁଛି । ଅନ୍ୟମନସ୍କ ଭାବରେ ଷ୍ଟେସନରେ ପହଞ୍ଚି ଗଲେ । ଗୋଟାଏ ଗାଡ଼ି ପ୍ଲାଟଫର୍ମରେ ଠିଆ ହୋଇଛି । ଭାଗବତ ବାବୁ ଯାଇ ଉଠିଲେ ସେଇ ଗାଡ଼ିରେ ।

 

ବାଟରେ ରାଗ କମିଗଲା, ମୁଣ୍ଡ ବି ଥଣ୍ଡା ହେଲା । ଭାଗବତ ବାବୁ ପୁଣି ସହରକୁ ଫେରି ଆସିଲେ । ନିଜର ସାହାସ ଦେଖି ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମୁଣ୍ଡଟା ଏବେ ଘୁରୁଛି । ସମସ୍ତ ଶରୀରରେ ଅସହ୍ୟ ବଥ୍ୟା । ସିଧା ଚାଲିଆସିଲେ ହୋଟେଲକୁ । ତାପରେ ମଦ ନେଇ ବସିଲେ ।

 

ଭାଗବତ ବାବୁ ଫେରି ଆସିଛନ୍ତି ଦେଖି ରେଖା ଖୁବ୍‌ ଆଶ୍ଚର୍ଯ୍ୟ ହୋଇ କହିଲା; ‘କ’ଣ ସାର୍‍; ଏହା ମଧ୍ୟରେ ଫେରିଆସିଲେ ଯେ ଖୁବ୍‌ ନିସ୍ତେଜ ଦେଖାଯାଉଛନ୍ତି ଯେ ।’

 

‘ହଁ ଟିକିଏ ଟିକିଏ ହୋଇଛି । ବୁଝି ପାରୁଛତ । ବହୁଦିନ ହେଲା ଏପରି ଅଭ୍ୟାସ ନ ଥିଲା, ଅଭ୍ୟାସ ନ ଥିଲେ ଯାହାହୁଏ । ଯାହାହେଉ ମୋ କାମ ସରିଯାଇଛି । ଆଉ କୌଣସି ଦିନ ସହର ଛାଡ଼ି କୁଆଡ଼େ ଯିବିନାହିଁ, ଯିବାର ପ୍ରୟୋଜନ ବି ହେବନି ।’

 

‘କାହିଁକି ଏକଥା କହୁଛନ୍ତି ସାର୍‍ ।’

‘ହଁ ଆଉ ମୁଁ ସହର ଛାଡ଼ି ପାଦେସୁଦ୍ଧା ଯିବିନାହିଁ ।’

‘କ’ଣ ହେଲା ! ଏତେ ବିରସ କାହିଁକି ।’

‘ଆଉ ମୁଁ କୁଆଡ଼େ ବାହାରୁ ନାହିଁ । ବାକି ଜୀବନଟା‌ ଏଇଠାରେ ବେଶ୍‌ ଆରାମରେ କଟିଯିବ ।’

 

ଭାଗବତ ବାବୁ ରେଖାର ପ୍ରଶ୍ନର କୌଣସି ଉତ୍ତର ନ ଦେଇ ଚୁପ୍‌ ରହିଲେ । ରେଖାର ଭାରି ଇଚ୍ଛା ଭାଗବତ ବାବୁ କିପରି ତାଙ୍କ ଭ୍ରମଣର କାହାଣୀ କହନ୍ତେ । ବାରମ୍ବାର ପଚାରିଲେ ବି କୌଣସି ଉତ୍ତର ପାଇଲା ନାହିଁ ।

 

ସେ ଦିନ ରାତିରେ ଭାଗବତ ବାବୁ ମଦ ଖାଇ ବେହୋସ ହୋଇପଡ଼ିଲେ । ଦିନେ ସୁଦ୍ଧା ଏପରି ହୋଇ ନ ଥିଲା । ପ୍ରଥମେ ସେଦିନ ତାଙ୍କୁ ସଜ୍ଞାହୀନ ଅବସ୍ଥାରେ ତାଙ୍କ ରୁମ୍‌ରେ ପହଁଞ୍ଚାଇ ଦେବାକୁ ହେଲା ।

Image